କେନ୍ଦ୍ର ସରକାରଙ୍କୁ ଓଡ଼ିଶାର ଦାବି:ପେନ୍ସନ୍ ସ୍କିମ୍ ବୟସ ସୀମା ୫୦କୁ ବଢ଼ାଅ

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ‘ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା (ପିଏମ୍-ଏସ୍ଏମ୍ୱାଇ)’ ଓ ‘ଜାତୀୟ ପେନ୍ସନ୍ ଯୋଜନା (ଏନ୍ପିଏସ୍)’ରେ ସାମିଲ ହେବାର ସର୍ବୋଚ୍ଚ ବୟସ ସୀମାକୁ ୫୦ ବର୍ଷକୁ ବଢ଼ାଅ । ଫଳରେ ଅଧିକରୁ ଅଧିକ ଅଣସଂଗଠିତ କ୍ଷେତ୍ର ଶ୍ରମିକ ଓ ବ୍ୟବସାୟୀ ଏହି ସାମାଜିକ ନିରାପତ୍ତା ସ୍କିମ୍ରେ ନିଜକୁ ଯୋଡ଼ିପାରିବେ । କେନ୍ଦ୍ର ସରକାରଙ୍କ ନିକଟରେ ଏଭଳି ଦାବି ରଖିଛି ଓଡ଼ିଶା । ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୀତ ଉଭୟ ସ୍କିମ୍ରେ ସାମିଲ ହେବାର ବୟସ ସୀମା ୧୮ରୁ ୪୦ ବର୍ଷ ରହିଛି । ଶ୍ରମ ଓ କର୍ମଚାରୀ ରାଜ୍ୟବୀମା, ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ସୁଶାନ୍ତ ସିଂହ ଶୁକ୍ରବାର ଏହି ସୂଚନା ଦେଇଛନ୍ତି ।
ଓଡ଼ିଶା ସରକାରଙ୍କ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ପକ୍ଷରୁ ପିଏମ୍-ଏସ୍ଏମ୍ୱାଇ ଓ ଏନ୍ପିଏସ୍ ସମ୍ପର୍କରେ ଅନୁÂିତ ରାଜ୍ୟସ୍ତରୀୟ ସଚେତନତା ସପ୍ତାହ ଉତ୍ସବରେ ଯୋଗଦେଇ ଶ୍ରୀ ସିଂହ ଏହା କହିଛନ୍ତି । ସେ କହିଛନ୍ତି, ଅଣସଂଗଠିତ କ୍ଷେତ୍ରର ବହୁ ଶ୍ରମିକ ୪୦ରୁ ୬୦ ବର୍ଷ ବୟସ ବର୍ଗରେ ରହିଛନ୍ତି । ଏଣୁ ଉଭୟ ସ୍କିମ୍ରେ ସାମିଲ ହେବାର ବୟସ ସୀମାକୁ ଅତିକମ୍ରେ ୫୦ ବର୍ଷକୁ ବଢ଼ାଯିବା ସହ ସର୍ବନିମ୍ନ ପେନ୍ସନ୍ ଅବଦାନ ଅବଧିକୁ ୧୦ ବର୍ଷ କରାଯିବା ଉଚିତ । ଫଳରେ ଅଣସଂଗଠିତ କ୍ଷେତ୍ରର ବହୁ ଶ୍ରମିକଙ୍କ ସାମାଜିକ ନିରାପତ୍ତାକୁ ସୁନିଶ୍ଚିତ କରାଯାଇପାରିବ । ନିକଟରେ ଅନୁÂିତ ଶ୍ରମମନ୍ତ୍ରୀ ବୈଠକରେ ଏନେଇ ଓଡ଼ିଶା କେନ୍ଦ୍ର ସରକାରଙ୍କ ନିକଟରେ ଦାବି ଉପସ୍ଥାପନ କରିଛି ।
ଏ ଅବସରରେ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ସଚିବ ଅନୁ ଗର୍ଗ କହିଛନ୍ତି, ମାସକୁ ୧୫,୦୦୦ ଟଙ୍କାରୁ କମ୍ ରୋଜଗାର ଥିବା ଅଣସଂଗଠିତ କ୍ଷେତ୍ର ଶ୍ରମିକଙ୍କ ସାମାଜିକ ନିରାପତ୍ତା ପାଇଁ ସରକାର ପ୍ରଧାନମନ୍ତ୍ରୀ ଶ୍ରମଯୋଗୀ ମାନଧନ ଯୋଜନା ଆଣିଛନ୍ତି । ସେହିଭଳି ବାର୍ଷିକ ଦେଢ଼ କୋଟିରୁ କମ୍ ବ୍ୟବସାୟ କରୁଥିବା ବ୍ୟବସାୟୀ ଓ ସ୍ୱରୋଜଗାରୀମାନଙ୍କ ଏନ୍ପିଏସ୍ ଅଣାଯାଇଛି । ଉଭୟ ଯୋଜନାରେ ସାମିଲ ହେବାର ବୟସ ସୀମା ୧୮ରୁ ୪୦ ବର୍ଷ ରହିଛି । ହିତାଧିକାରୀମାନେ ଏହି ଯୋଜନାରେ ଯୋଡ଼ିହୋଇ ବୟସ ଅନୁସାରେ ୫୫ ଟଙ୍କାରୁ ୨୦୦ ଟଙ୍କାର ମାସିକ ଅବଦାନରେ ୬୦ ବର୍ଷ ପରେ ମାସିକ ୩,୦୦୦ ଟଙ୍କା ପେନ୍ସନ୍ ପାଇବାକୁ ଯୋଗ୍ୟ ବିବେଚିତ ହୋଇପାରିବେ ।
ଗର୍ଗ କହିଛନ୍ତି, ଏବେ ରାଜ୍ୟରେ ଥିବା ୧୯,୯୫୨ଟି ଜନସେବା କେନ୍ଦ୍ର (ସିଏସ୍ସି) ମଧ୍ୟରୁ ୧୬,୦୦୦ କେନ୍ଦ୍ରରେ ହିତାଧିକାରୀଙ୍କୁ ଏହି ଯୋଜନାରେ ସାମିଲ କରାଯାଉଛି । ବର୍ତ୍ତମାନ ସୁଦ୍ଧା ଶ୍ରମଯୋଗୀ ମାନଧନ ଯୋଜନାରେ ଓଡ଼ିଶାର ୧.୮୦ ଲକ୍ଷ ଶ୍ରମିକ ସାମିଲ ହୋଇସାରିଛନ୍ତି । ସେହିଭଳି ଏନ୍ପିଏସ୍ରେ ଏବେ ସୁଦ୍ଧା ୧୫୫ ଜଣ ସାମିଲ ହୋଇଥିବା ବେଳେ ମାର୍ଚ୍ଚ ସୁଦ୍ଧା ଏହି ସଂଖ୍ୟା ୧.୫ ଲକ୍ଷରେ ପହଞ୍ଚିବ ବୋଲି ଆକଳନ କରାଯାଉଛି ।
ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଅଧ୍ୟକ୍ଷ ସୁବାସ ସିଂହ କହିଛନ୍ତି, ରାଜ୍ୟ ସରକାରଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନାରେ ୨୯ ଲକ୍ଷ ୬୦ ହଜାର ହିତାଧିକାରୀ ପଞ୍ଜୀକୃତ ହୋଇଛନ୍ତି । ୧୭ଟି କଲ୍ୟାଣକାରୀ ଯୋଜନାରେ ଏହି ହିତାଧିକାରୀଙ୍କୁ ୧,୪୭୦ କୋଟି ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ପେନ୍ସନ୍ ସଚେତନତା ସପ୍ତାହ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଅନନ୍ତ ନାରାୟଣ ଜେନା, ଶ୍ରମ ଆୟୁକ୍ତ ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons