ନୂଆଦିଲ୍ଲୀ: ନାଗରିକତା (ସଂଶୋଧନ) ବିଲ୍ ୨୦୧୯ ବୁଧବାର ରାଜ୍ୟସଭାରେ ବି ଗୃହୀତ ହୋଇଛି । ବିଲ୍ ସପକ୍ଷରେ ୧୨୫ ଭୋଟ୍ ପଡ଼ିଥିଲା ବେଳେ ବିପକ୍ଷରେ ୧୦୫ ଭୋଟ୍ ପଡ଼ିଛି । ଭୋଟିଙ୍ଗ୍ ପୂର୍ବରୁ ଶିବସେନା ଓ ବହୁଜନ ସମାଜ ପାର୍ଟି (ବସପା) ସାଂସଦମାନେ କକ୍ଷତ୍ୟାଗ କରିଥିଲେ । ଅନ୍ୟପକ୍ଷରେ ବିଲ୍କୁ ସିଲେକ୍ଟ କମିଟି ନିକଟକୁ ପଠାଇବା ପ୍ରସ୍ତାବ କାଟ୍ ଖାଇଥିଲା । ପ୍ରସ୍ତାବ ସପକ୍ଷରେ ୯୯ ଭୋଟ୍ ପଡ଼ିଥିଲା ଏବଂ ବିପକ୍ଷରେ ୧୨୪ ସାଂସଦ ଭୋଟ୍ ଦେଇଥିଲେ । ସଂଶୋଧନର ୧୪ ପ୍ରସ୍ତାବକୁ ମଧ୍ୟ ବହୁମତ ଆଧାରରେ ନାମଞ୍ଜୁର କରାଯାଇଥିଲା ।
ରାଜ୍ୟସଭାର ମଞ୍ଜୁରି ମିଳିଥିବାରୁ ନାଗରିକତା ସଂଶୋଧନ ବିଲ୍ ଏବେ ସଂସଦର ଅନୁମୋଦନ ଲାଭ କରିଛି । ସୋମବାର ଲୋକସଭାରେ ଏହା ଗୃହୀତ ହୋଇଥିଲା । ଉଭୟ ଗୃହରେ ମଞ୍ଜୁରି ମିଳିଥିବାରୁ ଏବେ ବିଲ୍କୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇ ଦିଆଯିବ । ଏହାପରେ ବିଲ୍ଟି ଆଇନର ରୂପ ନେବ । ଏହାଦ୍ୱାରା ଅଣମୁସ୍ଲିମ୍ ଶରଣାର୍ଥୀମାନେ ନୂଆ ପରିଚୟ ପାଇବେ । ସେମାନଙ୍କୁ ଭାରତର ନାଗରିକତା ମିଳିବ ଏବଂ ଭାରତକୁ ହିଁ ସେମାନେ ନିଜ ଦେଶ ବୋଲି କହିପାରିବେ ।
ବିଲ୍କୁ ରାଜ୍ୟସଭାରେ ଅନୁମୋଦନ ମିଳିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏ ନେଇ ପ୍ରତିକ୍ରିୟା ରଖି କହିଛନ୍ତି, ‘‘ଭାରତ ପାଇଁ ଆଜି ଐତିହାସିକ ଦିନ । ବିଲ୍ଟି ରାଜ୍ୟସଭାରେ ଗୃହୀତ ହୋଇଥିବା ଜାଣି ମୁଁ ବହୁତ ଖୁସି । ବର୍ଷ ବର୍ଷ ଧରି ମାମଲାର ସମ୍ମୁଖୀନ ହୋଇଆସୁଥିବା ଅନେକ ଲୋକ ଯନ୍ତ୍ରଣାରୁ ମୁକ୍ତି ପାଇବେ । ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା ସମସ୍ତ ସାଂସଦଙ୍କୁ ମୁଁ କୃତଜ୍ଞତା ଜଣାଉଛି ।’’
ବିଲ୍କୁ ଲୋକସଭାରେ ସମର୍ଥନ ଜଣାଇଥିବା ଶିବସେନା ରାଜ୍ୟସଭାରେ ଭିନ୍ନ ଆଭିମୁଖ୍ୟ ପୋଷଣ କରିଥିଲା । ଦଳର ସନେ୍ଦହ ଦୂର ନ ହେବା ପର୍ଯ୍ୟନ୍ତ ଏହା ସମର୍ଥନ କରିବ ନାହିଁ ବୋଲି କହିଥିଲା । ଶେଷରେ ଭୋଟିଙ୍ଗ୍ ପୂର୍ବରୁ ଦଳର ସାଂସଦମାନେ କକ୍ଷତ୍ୟାଗ କରିଥିଲେ । ଏହାପରେ ବସପା ସାଂସଦମାନେ ମଧ୍ୟ ଗୃହରୁ ବାହାରି ଯାଇଥିଲେ । ତେବେ ଶିବସେନା ଓ ବସପାର କକ୍ଷତ୍ୟାଗ ବିଲ୍କୁ ଗୃହୀତ କରାଇବାରେ କୌଣସି ପ୍ରତିବନ୍ଧକ ସାଜିନଥିଲା । ଅନ୍ୟପକ୍ଷରେ ବିଜେଡି, ୱାଇଏସ୍ଆର କଂଗ୍ରେସ ପାର୍ଟି ଭଳି ଦଳ ଲୋକସଭା ଭଳି ରାଜ୍ୟସଭାରେ ମଧ୍ୟ ବିଲ୍କୁ ସମର୍ଥନ ଜଣାଇଥିଲେ ।
ଉଲ୍ଲେଖଯୋଗ୍ୟ, ବୁଧବାର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହ ରାଜ୍ୟସଭାରେ ଆଗତ କରିଥିଲେ । ଏହାକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ପ୍ରବଳ ମୁହାଁମୁହିଁ ହୋଇଥିଲେ । କଂଗ୍ରେସ, ଟିଏମ୍ସି, ସମାଜବାଦୀ ପାର୍ଟି ଓ ଶିବସେନା ଭଳି ଦଳର ସାଂସଦମାନେ ବିଲ୍କୁ ତୀବ୍ର ବିରୋଧ କରି ସରକାରଙ୍କୁ ଟାର୍ଗେଟ୍ କରିଥିଲେ । ଅନ୍ୟପକ୍ଷରେ ବିଲ୍କୁ ସିଲେକ୍ଟ କମିଟି ନିକଟକୁ ପଠାଇବା ପ୍ରସ୍ତାବ କାଟ୍ ଖାଇଥିଲା ।
ରାଜ୍ୟସଭାରେ ବୁଧବାର ନାଗରିକତା ସଂଶୋଧନ ବିଲ୍ (ସିଏବି) ଆଗତ ହେବା ପରେ ପୂର୍ବାହ୍ନ ୧୨ଟାରୁ ଏହାକୁ ନେଇ ମହାବିତର୍କ ଆରମ୍ଭ ହୋଇଥିଲା । ଏହି ସମୟରେ ମହାତ୍ମା ଗାନ୍ଧୀ, ସର୍ଦ୍ଧାର ପଟେଲ, ସାବରକର, ଜିନ୍ନା ଏବଂ ଚାଣକ୍ୟଙ୍କ ପ୍ରସଙ୍ଗ ଉଠିଥିଲା । ଏହି ନାମଗୁଡ଼ିକୁ ନେଇ ଶାସକ ଓ ବିରୋଧୀମାନେ ପରସ୍ପରକୁ ହମଲା କରିଥିଲେ ।
କଂଗ୍ରେସ ସାଂସଦ ଆନନ୍ଦ ଶର୍ମା କହିଥିଲେ, ଆଜି ଯଦି ସର୍ଦ୍ଧାର ପଟେଲ୍ ବଞ୍ଚିଥାନ୍ତେ, ତେବେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଉପରେ ଭୀଷଣ ରାଗିଥାନ୍ତେ । ସେ ଆହୁରି କହିଥିଲେ, କଂଗ୍ରେସ ନୁହେଁ, ବରଂ ହିନ୍ଦୁ ମହାସଭା ଏକ ଅଧିବେଶନରେ ‘ଟୁ-ନେସନ୍ ଥିଓରି’ ପ୍ରସ୍ତାବକୁ ପାରିତ କରିଥିଲା । ଉକ୍ତ ବୈଠକରେ ସାବରକର ଅଧ୍ୟକ୍ଷତା କରିଥିଲେ । ୧୯୩୭ରେ ଅହମ୍ମଦାବାଦରେ ହିନ୍ଦୁ ମହାସଭାରେ ଏହି ପ୍ରସ୍ତାବ ପାରିତ ହୋଇଥିଲା । ଏହାପରେ ୧୯୩୮ରେ ମୁସଲିମ ଲିଗ୍ର ଅଧିବେଶନ ବସି ‘ପାର୍ଟିସନ୍ ଅଫ୍ ଇଣ୍ଡିଆ’ ପ୍ରସ୍ତାବ ଆଗତ କରାଯାଇଥିଲା ।
ସମାଜବାଦୀ ପାର୍ଟି ନେତା ଜାଭେଦ ଅଲ୍ଲୀ ଖାନ କହିଥିଲେ, ବିଭାଜନ ବେଳେ ମହମ୍ମଦ ଅଲ୍ଲୀ ଜିନ୍ନାଙ୍କର ଯାହା ସ୍ୱପ୍ନ ଥିଲା, ତାହାକୁ ଆଜି ବିଜେପି ସରକାର ପୂରା କରୁଛି । ଜିନ୍ନା ଚାହୁଁଥିଲେ, ପାକିସ୍ତାନ ହିନ୍ଦୁମୁକ୍ତ ଏବଂ ଭାରତ ମୁସଲିମମୁକ୍ତ ହେଉ । ବିଜେପି ସରକାର ଏବେ ଏନଆରସି ଏବଂ ସିଏବି ମାଧ୍ୟମରେ ତାହାକୁ ସତ୍ୟରେ ପରିଣତ କରୁଛି । କିନ୍ତୁ କୌଣସି ଦେଶ ଧର୍ମକୁ ଆଧାର କରି ପରିଚାଳିତ ହେବା ଅନୁଚିତ ।
କଂଗ୍ରେସ ସାଂସଦ ପି ଚିଦାମ୍ବରମ୍ କହିଥିଲେ, ସରକାର ନିଜ ହିନ୍ଦୁତ୍ୱ ଏଜେଣ୍ଡାକୁ ଆଗକୁ ବଢ଼ାଉଛନ୍ତି । ଏହା ଏକ ଦୁଃଖଦ ବିଷୟ । ତେବେ ଏ ପ୍ରସଙ୍ଗକୁ କୋର୍ଟଙ୍କ ଉପରେ ଛାଡ଼ିଦେବା ଆବଶ୍ୟକ । କୋର୍ଟରେ ଅଣନିର୍ବାଚିତ ବିଚାରପତି ଏବଂ ଓକିଲ ଏହା ଉପରେ ବିଚାର କରିବା ଉଚିତ । ମୁଁ ନିଶ୍ଚିତ ଯେ ଏଭଳି ହେଲେ ଏହି ଆଇନ ରଦ୍ଧ ହୋଇଯିବ ।
ଶିବସେନା ସାଂସଦ ସଞ୍ଜୟ ରାଉତ ବିଲ୍କୁ ବିରୋଧ କରିବା ସହ ବିଜେପି ସାଂସଦମାନଙ୍କୁ ଜୋରଦାର ଘେରିଛନ୍ତି । କହିଛନ୍ତି, ବିଜେପି ନେତାମାନେ ଯେଉଁ ସ୍କୁଲର ଛାତ୍ର ଅଛନ୍ତି, ଆମେ ସେଠାରେ ପ୍ରଧାନ ଶିକ୍ଷକ ଅଛୁ । ତେବେ ବିଲ୍କୁ ବିରୋଧ କରୁଥିବା ଲୋକଙ୍କୁ ‘ଦେଶଦ୍ରୋହୀ’ ବୋଲି କହିବା ଭୁଲ ବୋଲି ସେ କହିଥିଲେ । ସେ ଆହୁରି କହିଥିଲେ, ବିଲ୍କୁ ବିରୋଧ କରି ଦେଶର ଅନେକ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି । ଆସାମ, ତ୍ରିପୁରା, ମିଜୋରାମ, ମଣିପୁରରେ ଜନତା ରାସ୍ତାକୁ ଓହ୍ଲାଇ ଆନେ୍ଦାଳନ କରୁଛନ୍ତି । ଏମାନେ ସମସ୍ତେ ଦେଶଦ୍ରୋହୀ ନୁହନ୍ତି ବୋଲି ରାଉତ କହିଛନ୍ତି ।
ବିରୋଧୀଙ୍କୁ ଜବାବ ଦେଇ ବିଜେପି ସାଂସଦ ସୁବ୍ରମଣ୍ୟନ ସ୍ୱାମୀ କହିଛନ୍ତି, ନାଗରିକତା ସଂଶୋଧନ ବିଲ୍କୁ ଧାରା ୧୪ରେ ଅନୁମତି ଦିଆଯାଇଛି । କେବଳ ଗୋଟିଏ ଦିଗକୁ ଦୃଷ୍ଟିରେ ରଖି ଏହାକୁ ଟାର୍ଗେଟ୍ କରାଯାଇ ପାରିବ ନାହିଁ । ବିଭିନ୍ନ ସମୟରେ ଆସିଥିବା ସଂଖ୍ୟାଧିକ ରାୟ ଏହି ବିଲ୍ ସହ ଜଡ଼ିତ । ଦେଶରେ ବାସ କରୁଥିବା କିଛି ଲୋକଙ୍କ ପ୍ରତି ଉଦାରଶୀଳ ହେବା ପାଇଁ ମଧ୍ୟ କୋର୍ଟ ନିଦେ୍ର୍ଧଶ ରହିଛି । ତା’ଛଡ଼ା ବିରୋଧୀ ଦଳ ଏବେ ସିଏବି ଏବଂ ଏନଆରସି(ଜାତୀୟ ନାଗରିକ ପଂଜିକା)କୁ ନେଇ ଦ୍ୱନ୍ଦ୍ୱରେ ଥିବା ସୁବ୍ରମଣ୍ୟନ ଦର୍ଶାଇଛନ୍ତି । ଅଧିକାଂଶ ବିରୋଧୀ ଦଳ ଏନଆରସିକୁ ବିରୋଧ କରିଆସୁଥିବା ବେଳେ ଏବେ ସିଏବିକୁ ବିରୋଧ କରୁଛନ୍ତି ।
ବୁଧବାର ବିଜେପି ସଂସଦୀୟ ଦଳ ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଯୋଗଦେଇ ବିଲ୍କୁ ଐତିହାସିକ ବୋଲି ଦର୍ଶାଇଥିଲେ । ସେ କହିଥିଲେ, ନାଗରିକତା ସଂଶୋଧନ ବିଲ୍ ୨୦୧୯ ସ୍ୱର୍ଣ୍ଣାକ୍ଷରରେ ଲେଖାଯିବ । କାରଣ ଧାର୍ମିକ କାରଣରୁ ଅନ୍ୟ ଦେଶରୁ ଆସି ଭାରତର ଶରଣ ପଶିଥିବା ଲୋକମାନଙ୍କୁ ଏହା ସ୍ଥାୟୀ ଉପଶମ ପ୍ରଦାନ କରିବ । ଯେଉଁମାନେ ଜୀବନକୁ ଅତ୍ୟନ୍ତ ଅସ୍ଥିରତା ଦେଇ ଜିଇଁଆସୁଛନ୍ତି, ସେମାନଙ୍କ ପାଇଁ ଏହାକୁ ସ୍ୱର୍ଣ୍ଣାକ୍ଷରରେ ଲେଖାଯିବ । ମୋଦି ଆହୁରି କହିଥିଲେ, ବିଭାଜନ ପରେ ଏହି ସଂଖ୍ୟାଲଘୁ ଲୋକମାନେ ଭାରତ ପଳାଇ ଆସିଥିଲେ । ସେମାନେ ଏଠାରେ ସ୍ଥାୟୀ ଭାବେ ରହୁଛନ୍ତି । ସେମାନଙ୍କର ନାଗରିକତ୍ୱ ନାହିଁ କିମ୍ବା ରାସନ କାର୍ଡ ନାହିଁ । ଫଳରେ ସେମାନଙ୍କ ଜୀବନ ଦୁର୍ବିଷହ ହୋଇପଡ଼ିଛି ।
Comments are closed, but trackbacks and pingbacks are open.