ମୁମ୍ବାଇ: ମୁମ୍ବାଇର ଚେମ୍ବୁରରେ ରହୁଥିବା ୨୫ ବର୍ଷୀୟ ରାହୁଲ ଘୋଡକେ ଯେତେବେଳେ ଇସ୍ରୋରେ ଟେକନିସିଆନ୍ ଭାବେ ଚାକିରି ପାଇଥିଲେ, ଏହା ତାଙ୍କ ପାଇଁ କୌଣସି ସ୍ୱପ୍ନଠୁ କମ ନଥିଲା। ତାଙ୍କ ପରିବାର ଓ ସମ୍ପର୍କୀୟଙ୍କ ସହ ସାରା ଦେଶରୁ ରାହୁଲଙ୍କୁ ଅଭିନନ୍ଦନର ସୂଅ ଛୁଟୁଛି।
ଦେଶର ପ୍ରତିଷ୍ଠିତ ମହାକାଶ ଅନୁଷ୍ଠାନରେ ଚାକିରୀ ପାଇବା ନିଶ୍ଚିତ ଭାବେ ଗର୍ବର କଥା। କିନ୍ତୁ ରାହୁଲଙ୍କୁ ଏହି ସଫଳତା ପାଇବା ପାଇଁ ଅନେକ ବାଧା ବିଘ୍ନର ସ୍ମମୁଖୀନ ହେବାକୁ ପଡିଛି। ତାଙ୍କ ଜୀବନର ସଂଗ୍ରାମ ଅତି ହୃଦୟସ୍ପର୍ଶୀ। ଯେଉଁ ଯୁବକ ପିତାଙ୍କ ମୃତ୍ୟୁ ପରେ ପାଠପଢା ଛାଡିଥିଲା, ଆଜି ସେ ଇସ୍ରୋର କର୍ମଚାରୀ।
ରାହୁଲ କହିଛନ୍ତି ଯେ, ସେ ପଞ୍ଚମ ଶ୍ରେଣୀ ଯାଏଁ ସରକାରୀ ସ୍କୁଲରେ ପାଠ ପଢିଥିଲେ। ଏହାପରେ ସେ ସ୍କୁଲ ପରିବର୍ତ୍ତନ କରିଥିଲେ। ସେହି ସମୟରେ ତାଙ୍କ ପରିବାର ପାଖରେ ନୂଆ ୟୁନିଫର୍ମ ପାଇଁ ଟଙ୍କା ନଥିଲା। ସେ ତାଙ୍କ ମାଉସୀଙ୍କ ସାହାଯ୍ୟରେ ପୋଷାକ କିଣିଥିଲେ। ସେ ଦଶମରେ ନିଜ ଅଂଚଳରେ ସର୍ବାଧିକ ନମ୍ବର ରଖିଥିଲେ। କିନ୍ତୁ ଏକାଦଶ ଶ୍ରେଣୀ ପଢୁଥିବା ସମୟରେ ତାଙ୍କ ପିତାଙ୍କ ଦେହାନ୍ତ ହୋଇଥିଲା। ଫଳରେ ତାଙ୍କର ଆର୍ଥିକ ସ୍ଥିତି ଖରାପ ଆଡକୁ ଗତି କଲା। କିନ୍ତୁ ତାଙ୍କ ମା’ ଶାରଦା ଘୋଡକେ ନିଜ ସନ୍ତାନଙ୍କୁ ଏକ ସୁସ୍ଥ ଜୀବନ ଦେବେ ବୋଲି ପ୍ରତିଜ୍ଞା କରିଥିଲେ।
ଏଥିପାଇଁ ମା’ଙ୍କୁ ଅନ୍ୟ ଘରେ କାମ କରିବା ସହ ବାସନ ମାଜିବାକୁ ପଡିଥିଲା। ତେବେ ମା’ ପ୍ରତିଦିନ କାମ କରିବାରୁ ରାହୁଲଙ୍କୁ ଖରାପ ଲାଗିଥିଲା।ସେ ନିଜ ମା’ଙ୍କୁ ସାହାଯ୍ୟ କରିବେ ବୋଲି ଚିନ୍ତା କରିଥିଲେ। ସେହି ସମୟରେ ତାଙ୍କୁ ଜଣେ ଇଲେକ୍ଟ୍ରିସିଆନଙ୍କ ପାଖରେ କାମ କରିବାର ସୁଯୋଗ ମିଳିଲା ଓ ସେ ବହୁତ କିଛି ଶିଖିବାକୁ ପାଇଥିଲେ। ଏହାପରେ ସେ ଆଇଆଇଟି ପଢିଥିଲେ। ତାଙ୍କ ମନରେ ମା’ ଓ ଭଭଣୀଙ୍କ ଦୁଃଖ କିପରି ଦୂର କରିବେ ସେ ଇଚ୍ଛା ରହିଥିଲା। ସେ ନିଜ କଲେଜରେ ଟପ୍ କରିବା ସହ ଏକ କମ୍ପାନୀରେ ଇଣ୍ଟର୍ନସିପ୍ କରିଥିଲେ। ସେଠାରେ ସେ ଡିଆରଡିଓ ଓ ଇସ୍ରୋ ବାବଦରେ ଜାଣିବାକୁ ପାଇଥିଲେ।
ସେ ଆହୁରି କହିଛନ୍ତି ଯେ, ଆଇଆଇଟି ପରେ ସେ ଡିପ୍ଲୋମା କରିଥିଲେ। ସେହି ସମୟରେ ଇସ୍ରୋରେ ଟେକନିସିଆନ୍ ପଦ ପାଇଁ ନୋଟିଫିକେସନ ବାହାରି ଥିଲା। ସେ ଆବେଦନ କରିଥିଲେ ଓ ପରୀକ୍ଷା ମଧ୍ୟ ଦେଇଥିଲେ।ଯେଉଁଥିରେ ସେ ୧୭ ରାଙ୍କ୍ ରଖି ସଫଳ ହୋଇଥିଲେ। ଏବେ ସେ ଦେଶ ପାଇଁ କିଛି କରିପାରୁ ଥିବାରୁ ନିଜକୁ ଗୌରବାନ୍ୱିତ ମନେ କରୁଥିବା କହିଛନ୍ତି।
Comments are closed, but trackbacks and pingbacks are open.