ବ୍ରହ୍ମପୁର, (ବି.ବି.ନୁ୍ୟଜ୍): ବଙ୍ଗୋପସାଗର ସମୁଦ୍ର ତଟରେ ବିରାଟ ତିମିର ଗଳିତ ମୃତଦେହ ଶୁକ୍ରବାର ଠାବ କରାଯାଇଛି । ଗଞ୍ଜାମ ବ୍ଲକ୍ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ବଟେଶ୍ୱର ମନ୍ଦିର ନିକଟ ସମୁଦ୍ର ବେଳାଭୂମିରେ ଏହି ମୃତ ତିମିକୁ ପ୍ରଥମେ ଭୋର୍ ପ୍ରାୟ ୫ଟାରେ ବନ ବିଭାଗର ବିଚ୍ ପାଟ୍ରୋଲିଂ ଟିମ୍ ଠାବ କରିଥିଲା । ଏହାର ଲମ୍ବ ପ୍ରାୟ ୨୩ ମିଟର ଓ ଏହା ବେଲୀନ୍ ହ୍ୱେଲ୍ ବୋଲି ସୂଚନା ଦେଇଛନ୍ତି ବନ ବିଭାଗର ଖଲିକୋଟ ରେଞ୍ଜର୍ ଦିଲ୍ଲୀପ କୁମାର ମାର୍ଥା । ଭେଟେନାରୀ ସର୍ଜନଙ୍କ ଉପସ୍ଥିତିରେ ଶବ ବ୍ୟବଚ୍ଛେଦ ପରେ ତିମିକୁ ସମୁଦ୍ର ବାଲିରେ ଲୁଣ ପକାଇ ପୋତି ଦିଆଯାଇଛି ।
ପ୍ରାଥମିକ ତଦନ୍ତରୁ କୌଣସି ବଡ଼ ଜାହାଜ ଧକ୍କାରେ ଏହି ତିମିର ମୃତୁ୍ୟ ଘଟିଥିବା ଅନୁମାନ କରାଯାଉଛି । ପ୍ରାୟ ଦେଢ଼ମାସ ତଳୁ ଗଭୀର ସମୁଦ୍ରରେ ଏହାର ଜୀବନ ଯାଇଥିବା ବେଳେ ଶରୀର ଦୀର୍ଘଦିନ ଧରି ପାଣିରେ ଭାସମାନ ଅବସ୍ଥାରେ ରହିଥିଲା । ପରେ ଖଣ୍ଡବିଖଣ୍ଡିତ ତଥା ଗଳିତ ଅବସ୍ଥାରେ ଆସି ଗଞ୍ଜାମ ଉପକୂଳରେ ଲାଗିଥିବା କୁହାଯାଉଛି । ଅପରପକ୍ଷରେ ସମ୍ପୂର୍ଣ୍ଣ ଶରୀର ନୁହେଁ, ଶରୀରର ଏକ ବୃହତ୍ ଓ ଗଳିତ ଅଂଶ ଆସି କଣ୍ଟିଆଗଡ଼ ସମୁଦ୍ରତଟରେ ଲାଗିଥିବା କହିଛନ୍ତି ରେଞ୍ଜର୍ ମାର୍ଥା । ଏହାର ନମୁନା ସଂଗ୍ରହ କରାଯାଇଛି । ପରୀକ୍ଷା ପାଇଁ ପଠାଯିବ ଓ ରିପୋର୍ଟ ଆସିବା ପରେ ହିଁ ମୃତୁ୍ୟର କାରଣ ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି । ତେବେ ଓଡ଼ିଶା ଉପକୂଳ ନୁହେଁ କୌଣସି ଦୂରବର୍ତ୍ତୀ ଅଞ୍ଚଳ ତଥା ଗଭୀର ସମୁଦ୍ର ମଧ୍ୟରେ ହିଁ ଦୀର୍ଘଦିନ ତଳୁ ତିମିର ଜୀବନ ଯାଇଥିବା ଦର୍ଶାଇଛନ୍ତି ସେ ।
ଖବର ପ୍ରଚାରିତ ହେବା ପରେ ମୃତ ତିମିକୁ ଦେଖିବାକୁ ଭିଡ଼ ଜମିଥିଲା । ବନ ବିଭାଗ ଷ୍ଟାଫ୍ ପହଞ୍ଚି ମୃତଦେହକୁ ଅନୁଧ୍ୟାନ କରିବା ପରେ ପୋତିବା ବ୍ୟବସ୍ଥା କରିଥିଲେ । ସମୁଦ୍ର କୂଳରେ ମୃତ ବିରାଟ ତିମିଟି ପଡ଼ିଥିବା ବେଳେ ପଚି ଦୁର୍ଗନ୍ଧ ହେଉଥିଲା । ଅଞ୍ଚଳରେ ଏଭଳି ଘଟଣା ଦୁଇ ବର୍ଷରେ ଦ୍ୱିତୀୟ ଥର ଘଟିଛି । ଗତବର୍ଷ ମଧ୍ୟ ମାର୍କଣ୍ଡୀ ଠାରୁ କିଛି ଦୂରରେ ଗୋଟିଏ ହ୍ୱେଲ୍ ମୃତଦେହ ମିଳିଥିଲା । ତେବେ ତାହା ଏତେମାତ୍ରାରେ କ୍ଷତିଗ୍ରସ୍ତ ହୋଇ ନଥିଲା । ତାହା ମଧ୍ୟ କୌଣସି ଟ୍ରଲର୍ ବା ଜାହାଜ ଧକ୍କାରେ ମୃତୁ୍ୟ ହୋଇଥିଲା ବୋଲି ସୂଚନା ଦେଇଛନ୍ତି ଖଲିକୋଟ ରେଞ୍ଜର୍ । ଗଞ୍ଜାମ ଜିଲ୍ଲାକୁ ଲାଗିଥିବା ବଙ୍ଗୋପସାଗର ସମୁଦ୍ରତଟରେ ଏଭଳି ଘଟଣା ବାରମ୍ବାର ଘଟିଛି । ବିଗତବର୍ଷ ରଙ୍ଗେଇଲୁଣ୍ଡା ବ୍ଲକ୍ ଅନ୍ତର୍ଗତ ସୁନପୁର ଠାରୁ କିଛି ଦୂର ସମୁଦ୍ରତଟରେ ଗୋଟିଏ ମଲା ତିମି ମିଲିଥିବା ବେଳେ ପ୍ରାୟ ୪-୫ ବର୍ଷ ତଳେ ମାର୍କଣ୍ଡୀ ନିକଟ ବେଳାଭୂମିରେ ମଧ୍ୟ ଏକ ମୃତ ତିମି ମିଳିଥିଲା ।
ବ୍ରହ୍ମପୁର ଡିଏଫ୍ଓ ଅମ୍ଲାନ ନାୟକ ଏ ନେଇ କହିଛନ୍ତି ଯେ- ମୃତଦେହଟି ପ୍ରାୟ ୩୦ ଦିନରୁ ଅଧିକ ପୁରୁଣା ହେବ । ସମୁଦ୍ର ପାଣିରେ ଏହା ଭାସୁଥିଲା । ଅନ୍ୟ କୌଣସି ସ୍ଥଳ ଭାଗରେ ମଧ୍ୟ ଏହାର କିଛି ଅଂଶ ଲାଗି ଥାଇପାରେ । ତେବେ ଜୁଆର ସ୍ରୋତରେ ଗଞ୍ଜାମ ଉପକୂଳରେ ଗଳିତ ମୃତଦେହର କିଛି ଅଂଶ ଆସି ଶୁକ୍ରବାର ସକାଳେ ପହଞ୍ଚିଥିଲା । ବନବିଭାଗ କର୍ମଚାରୀମାନେ ପହଞ୍ଚି ଶବ ବ୍ୟବଚ୍ଛେଦ କରିଛନ୍ତି ।
Comments are closed, but trackbacks and pingbacks are open.