ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମଗ୍ର ଦେଶରେ ଜାତୀୟ ରାଜପଥ ଉପରେ ନିର୍ମାଣ କରାଯାଇଥିବା ଟୋଲ୍ ପ୍ଲାଜାରେ ଫାଷ୍ଟ୍ୟାଗ୍ ବ୍ୟବସ୍ଥା ଆରମ୍ଭ ହୋଇଛି । ଡିସେମ୍ବର ୧ ତାରିଖଠାରୁ ଏହାକୁ ପରୀକ୍ଷାମୂଳକ ଭାବେ ଆରମ୍ଭ କରାଯାଇଛି । ତେବେ ଫାଷ୍ଟ୍ୟାଗ୍ କରିବା ଲାଗି ଗାଡ଼ି ଚାଳକଙ୍କୁ ୧୫ ଦିନ ପାଇଁ ମହଲତ ଦିଆଯାଇ ପୁନର୍ବାର ଆଜିଠାରୁ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଜାତୀୟ ରାଜପଥ କର୍ତ୍ତୃପକ୍ଷ ସମସ୍ତ ଟୋଲ୍ ପ୍ଲାଜା କର୍ମଚାରୀଙ୍କୁ ନିଦେ୍ର୍ଧଶ ଦେଇଥିଲେ । ତେବେ ଏହାକୁ ନେଇ ଆଜି ପୁରୀ ଜିଲ୍ଲା ପିପିଲି ନିକଟରେ ହୋଇଥିବା ଟୋଲ ପ୍ଲାଜାରେ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା । ଆଜି ରବିବାର ଥିବାରୁ ପୁରୀକୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ଏବଂ କୋଣାର୍କକୁ ଏବଂ ଚନ୍ଦ୍ରଭାଗା ବେଳାଭୂମିରେ ମେରାଇନ୍ ଡ୍ରାଇଭ୍ ଇକୋ ରିଟ୍ରିଟ୍କୁ ଦେଖିବା ପାଇଁ ପର୍ଯ୍ୟଟକମାନଙ୍କ ବେଶ ଭିଡ଼ ଲାଗିଥିଲା । ଫଳରେ ଟୋଲ ଗେଟ୍ରେ ଶହ ଶହ ସଂଖ୍ୟାରେ ଚାରି ଚକିଆ ଗାଡ଼ି ଅଟକି ରହିଥିଲା ।
ଟୋଲ ପ୍ଲାଜା ପକ୍ଷରୁ ଯିବା ପାଇଁ ୩ଟି ଆସିବା ପାଇଁ ୩ଟି ମୋଟ ୬ଟି ଧାଡ଼ିରେ ଫାଷ୍ଟ୍ୟାଗ୍ ବ୍ୟବସ୍ଥା କରାଯାଇଛି । ଫାଷ୍ଟ୍ୟାଗ୍ ଲାଗିଥିବା ଗାଡ଼ିଗୁଡ଼ିକ ଏହି ସବୁ ପଥ ଦେଇ ଯାତାୟାତ କରୁଥିଲା । ତେବେ ବାକି ରହିଥିବା ଅନ୍ୟ ଦୁଇଟି ଧାଡ଼ିରେ ଗାଡ଼ି ଚାଳକମାନେ ଦେୟ ପ୍ରଦାନ କରି ଯାତାୟାତ କରିଥିଲେ । ଅଧିକାଂଶ ଗାଡ଼ି ଚାଳକ ଫାଷ୍ଟ୍ୟାଗ୍ ସଂଯୋଗ କରି ନ ଥିବାରୁ ଜୋରଦାର ଭିଡ଼ ଲାଗିଥିଲା । ଟୋଲ କର୍ମଚାରମାନେ ନାକେଦମ ହୋଇଥିଲେ । ତେବେ ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ କର୍ମଚାରୀମାନେ ହାତ ମେସିନ ମାଧ୍ୟମରେ ଟୋଲ୍ ଦେୟ କାଟି ଦୁଇ ଚକିଆ ଏବଂ ତିନି ଚକିଆ ଗାଡ଼ି ପାଇଁ ଉଦ୍ଧିଷ୍ଟ ଥିବା ଧାଡ଼ିରେ ଗାଡ଼ିଗୁଡ଼ିକୁ ଛାଡ଼ିଥିଲେ ।
ତେବେ ଆଜି ସକାଳେ ଭୁବନେଶ୍ୱରରୁ ପିପିଲି ଅଭିମୁଖେ ଯାଉଥିବା ଗାଡ଼ିଗୁଡ଼ିକୁ ଦୀର୍ଘ ସମୟ ଧରି ଅଟକି ରହିବାକୁ ପଡ଼ିଥିଲା । ଏହା ପରେ ଟୋଲ୍ ପ୍ଲାଜା ନିକଟରେ ଥିବା ଫାଷ୍ଟ୍ୟାଗ୍ ସେଣ୍ଟରରୁ ଗାଡ଼ି ଚାଳକମାନେ ଗାଡ଼ିର ନମ୍ବରକୁ ସଂଯୋଗ କରିଥିଲେ । ଜାନୁଆରି ୧୫ ତାରିଖ ପର୍ଯ୍ୟନ୍ତ ସମୟ ସୀମା ବୃଦ୍ଧି କରାଯାଇଥିବାରୁ ଗାଡ଼ି ଚାଳକ କିଛି ମାତ୍ରାରେ ଆଶ୍ୱସ୍ତି ଲାଭ କରିଥିଲେ । ଏହା ପରେ ଟୋଲ ପ୍ଲାଜାରେ ଭିଡ଼ କମିଥିଲା । ତେବେ ଆଜି କୌଣସି ଗାଡ଼ି ଚାଳକଙ୍କଠାରୁ ଫାଷ୍ଟ୍ୟାଗ୍ ପାଇଁ ଜରିମାନା ଆଦାୟ କରାଯାଇନାହିଁ । ସେମାନଙ୍କୁ ଟୋଲ କର୍ମଚାରୀମାନେ ସଚେତନ କରାଇଥିଲେ ବୋଲି ଟୋଲ୍ ଗେଟ୍ ସହକାରୀ ପରିଚାଳକ ନକୁଳ ଚନ୍ଦ୍ର ଦାସ କହିଥିଲେ ।
Comments are closed, but trackbacks and pingbacks are open.