ଜୟପୁର,(ବି.ବି.ନୁ୍ୟଜ୍): ଆର୍ଥିକ ବର୍ଷ ସରିବାକୁ ୩ ମାସ ବାକି । ତେବେ ବର୍ତ୍ତମାନ ସୁଦ୍ଧା ଟାର୍ଗେଟ ୧୮ ହଜାର ୭୨୦ ଟି ପ୍ରଧାନମନ୍ତ୍ରୀ ଆବାସରୁ ଶେଷ ହୋଇଛି ମାତ୍ର ୨ ହଜାର ୭୦୫ । ଅସମ୍ପୂର୍ଣ୍ଣ ରହିଛି ୧୬ ହଜାର ୧୫ ଘର । କୋରାପୁଟ ଜିଲ୍ଲାରେ ଏଭଳି ଦୃଶ୍ୟ ଏବେ ପଦାକୁ ଆସିଛି । ଆର୍ଥିକ ବର୍ଷର ୯ ମାସରେ ମାତ୍ର ୧୫ ପ୍ରତିଶତ କାମ ହୋଇଛି । ଜିଲ୍ଲାର ବୋରିଗୁମ୍ମା ବ୍ଲକରେ ସବୁଠାରୁ ଅଧିକ ଆବାସ ସମ୍ପୂର୍ଣ୍ଣ ହେଇଛି । ନାରାୟଣାପାଟଣା ବ୍ଲକରେ ମାତ୍ର ୨ ଟି ସରିଛି । ଏଭଳି ଅନିୟମିତତା ପାଇଁ ଅନେକ କାରଣକୁ ଦାୟୀ କରାଯାଉଛି । ତେବେ ହିତାଧିକାରୀ ଟଙ୍କା ଉଠାଇ ଠିକ୍ ସମୟରେ କାମ କରୁ ନଥିବାରୁ ଏହି ସମସ୍ୟା ଉପୁଜିଥିବା ବିଭାଗୀୟ ସୂଚନା ମିଳିଛି ।
ରିପୋର୍ଟ ଅନୁସାରେ, ଜିଲ୍ଲାର ବନ୍ଧୁଗାଁ ବ୍ଲକରେ ୨ ହଜାର ୪୪୦ ଟି ପିଏମ୍ ଆବାସ ନିର୍ମାଣ ପାଇଁ ପ୍ରଶାସନର ଲକ୍ଷ୍ୟ ଥିଲା । ଏଠାରେ ଆଜି ସୁଦ୍ଧା ମାତ୍ର ୩୨୦ ଟି ଘର କାମ ସରିଛି । ବୈପାରିଗୁଡାରେ ୪ ହଜାର ୭୦୦ ରୁ ୪୩୭, ବୋରିଗୁମ୍ମାରେ ୨ ହଜର ୮୩୪ ରୁ ୭୬୩, ଦଶମନ୍ତପୁରରେ ୧ ହଜାର ୮୦୧ ରୁ ୧୩୭, ଜୟପୁରରେ ୨ ହଜାର ୧୫୧ ରୁ ୪୯୮, କୋରାପୁଟରେ ୫୫ ରୁ ୧୦, କୋଟପାଡରେ ୮୪୫ ରୁ ୨୯୩, କୁନ୍ଦୁରାରେ ୨ ହଜାର ୬୭୬ ରୁ ୧୬୧, ଲମତାପୁଟରେ ୪୬୨ ରୁ ୨୦, ଲକ୍ଷ୍ମୀପୁରରେ ୫୯ ରୁ ୧୨, ନନ୍ଦପୁରରେ ୪୪୯ ରୁ ୪୭, ନାରାୟଣପାଟଣାରେ ୨୨୦ ରୁ ୨ ଓ ପଟ୍ଟାଙ୍ଗିରେ ୨୮ ରୁ ୫ ଟି ଆବାସ କାମ ଶେଷ ହୋଇଛି । ହିତାଧିକାରୀ ଟଙ୍କା ଉଠାଇ ଠିକ୍ ସମୟରେ କାମ କରୁ ନଥିବା କୁହାଯାଉଥିଲେ ହେଁ କାମ କଲେ ମଧ୍ୟ ପରବର୍ତ୍ତୀ କିସ୍ତି ମିଳିବାରେ ବିଳମ୍ବ ହେଉଥିବା କେତେଜଣ ହିତାଧିକାରୀ କହିଛନ୍ତି ।
ପଞ୍ଚାୟତସ୍ତର କର୍ମଚାରୀ କହିଛନ୍ତି, ଜିଲ୍ଲାରେ ପିଏମ୍ ଆବାସ କାର୍ଯ୍ୟାଦେଶ ବଣ୍ଟନରେ ବିଳମ୍ବ ହୋଇଛି । ଗତ ଅକ୍ଟୋବର ଶେଷ ସପ୍ତାହରେ କାର୍ଯ୍ୟାଦେଶ ଦିଆଯାଇଛି । ଫଳରେ କାମ ଶେଷ ଡେରି ହେଉଛି । ଏପରିସ୍ଥଳେ, ଯଦି ବିଳମ୍ବରେ କାର୍ଯ୍ୟାଦେଶ ଦିଆଯାଇଥିଲା ତେବେ ୨ ହଜାର ଘର କିପରି ସମ୍ପୂର୍ଣ୍ଣ ହୋଇଛି ବୋଲି ପ୍ରଶ୍ନ ଉଠୁଛି । କେଉଁଠି ନା କେଉଁଠି ପ୍ରଶାସନିକ ତଦାରଖ ଅବହେଳା ଥିବା ଆଲୋଚନା ହେଉଛି । ସୂଚନାଯୋଗ୍ୟ, ସରକାରଙ୍କ ଅନ୍ୟ ଯୋଜନା ଅପେକ୍ଷା ଆବାସ ଯୋଜନାକୁ ଗୁରୁତ୍ୱ ଦେଉଛନ୍ତି । ଏହାର ତଦାରଖ ମଧ୍ୟ କଡାକଡି କରାଯାଉଛି । ପ୍ରତି ସପ୍ତାହରେ ଘର ସମ୍ପୂର୍ଣ୍ଣ ସମ୍ପର୍କରେ ସରକାରଙ୍କୁ ରିପୋର୍ଟ ଯାଉଛି ।
Comments are closed, but trackbacks and pingbacks are open.