୩ ସଡ଼କ ଦୁର୍ଘଟଣା: ୩ ମୃତ, ୨ ଗୁରୁତର

Get real time updates directly on you device, subscribe now.

ସୁନ୍ଦରଗଡ,(ବି.ବି.ନୁ୍ୟଜ୍): ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡ଼ା, ଭଷ୍ମା ଓ ସଦର ଥାନା ଅଞ୍ଚଳରେ ପୃଥକ ପୃଥକ ଭାବେ ତିନୋଟି ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଚିକିତ୍ସା ଲାଗି ବୁର୍ଲା ସ୍ଥାନାନ୍ତର କରାଯାଇଛି ।
ପ୍ରଥମ ଦୁର୍ଘଟଣା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସୁଆରିଯୋରର ହନୁମାନ ମନ୍ଦିର ନିକଟରେ ଆଜି ମଧ୍ୟାହ୍ନରେ ଘଟିଥିଲା । ଏକ ବାଇକ୍ରେ ତିନି ଜଣ ଯୁବକ ସୁଆରିଯୋରରୁ ଲେଫ୍ରିପଡ଼ା ଆଡକୁ ଆସୁଥିଲେ । ହେଲେ ହନୁମାନ ମନ୍ଦିର ନିକଟରେ ବାଇକ୍ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏହି ଦୁର୍ଘଟଣାରେ ବାଲେଶ୍ୱର ବିଲୁଙ୍ଗ (୩୦)ଙ୍କ ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିବା ବେଳେ ରାଜେଶ ବିଲୁଙ୍ଗ ଗୁରୁତର ଆହତ ହୋଇଛନ୍ତି । ଆହତ ଯୁବକଙ୍କୁ ପ୍ରଥମେ ସୁନ୍ଦରଗଡ଼ ମୁଖ୍ୟ ଡାକ୍ତରଖାନାକୁ ଚିକିତ୍ସା ଲାଗି ନିଆଯାଇଥିଲା । ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଅଧିକ ଚିକିତ୍ସା ଲାଗି ବୁର୍ଲା ସ୍ଥାନାନ୍ତର କରାଯାଇଛି । ଏହି ଦୁର୍ଘଟଣା ପରେ ବାଇକ୍ ଚାଳକ ଗାଡ଼ି ଧରି ସେଠାରୁ ପଳାଇ ଯାଇଛନ୍ତି । ପୁଲିସ୍ ମୃତ ଦେହ ଜବତ କରି ଘଟଣାର ତଦନ୍ତ କରୁଛି । ଦ୍ୱିତୀୟ ଦୁର୍ଘଟଣା ଅପରାହ୍ନ ୩ଟା ସମୟରେ ସଦର ଥାନାର ସମରଡିହି ଅଞ୍ଚଳରେ ଘଟିଛି । ଦୁଇ ଜଣ ଯୁବକ ସାଇକଲ ଯୋଗେ କିରେଇରୁ ଧରୁଆଡିହି ଆଡକୁ ଆସୁଥିଲେ । ସମରଡିହି ନିକଟରେ ଏକ ଅଜଣା ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲେ । ଏହି ଦୁର୍ଘଟଣାରେ ଜଣଙ୍କ ମୃତୁ୍ୟ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତ ଓ ଆହତ ଯୁବକଙ୍କ ପରିଚୟ ମିଳି ପାରିନାହାନ୍ତି । ଆହତ ଯୁବକଙ୍କୁ ଚିକିତ୍ସା ଲାଗି ବୁର୍ଲା ସ୍ଥାନାନ୍ତର କରାଯାଇଛି । ତୃତୀୟ ଦୁର୍ଘଟଣାଟି ଭଷ୍ମା ଥାନା ଅନ୍ତର୍ଗତ ଫ୍ଲାଏ ଓଭର ବ୍ରିଜ୍ ତଳେ ସଂଧ୍ୟାରେ ଘଟିଛି । ଭଷ୍ମାରେ ରହୁଥିବା ଅଶୋକ ପଟେଲ (୫୮) ସଂଧ୍ୟାରେ ଫ୍ଲାଏ ଓଭର ବ୍ରିଜ୍ ତଳ ରାସ୍ତା ଦେଇ ଚାଲି ଚାଲି ଯାଉଥିଲେ । ଏହି ସମୟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ପଳାଇ ଯାଇଛି । ଉକ୍ତ ଦୁର୍ଘଟଣାରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତୁ୍ୟ ଘଟିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons