ସମ୍ପ୍ରସାରଣ ହେଲା ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ:ପରିଚାଳନା କମିଟିରେ ରହିଲେ ୧୪

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସମ୍ପ୍ରସାରଣ ହେଲା ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନ । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ‘ମୋ ସ୍କୁଲ’ ଯୋଜନା ବ୍ୟାପକ ସଫଳତା ପାଇବା ପରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ‘ମୋ କଲେଜ’ ଯୋଜନାକୁ ସଫଳ କରିବାକୁ ଅଣ୍ଟା ଭିଡିଛି । ପୂର୍ବରୁ ‘ମୋ କଲେଜ’ର ଅଧ୍ୟକ୍ଷ ଭାବେ ଅଭିନେତା ତଥା ପୂର୍ବତନ ବିଧାୟକ ଆକାଶ ଦାଶନାୟକଙ୍କ ନାମ ଘୋଷଣା ହୋଇଥିବା ବେଳେ ଆଜି ତାଙ୍କୁ ସହଯୋଗ କରିବା ପାଇଁ ୧୪ଜଣିଆ କମିଟି ଘୋଷଣା କରାଯାଇଛି । ଏ ବାବଦରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି ।
ପ୍ରକାଶିତ ବିଜ୍ଞପ୍ତି ଅନୁସାରେ, ଶ୍ରୀ ଦାସନାୟକ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନର ଅଧ୍ୟକ୍ଷ ହୋଇଥିବା ବେଳେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର ଉପାଧ୍ୟକ୍ଷ ରହିବେ । ସେହିପରି ‘ମୋ କଲେଜ’ ବାବଦରେ ବୁଝାବୁଝି କରୁଥିବା ବିଭାଗୀୟ ଯୁଗ୍ମ ସଚିବ ଓ ଉଚ୍ଚଶିକ୍ଷା ବିଭାଗ ଆର୍ଥିକ ଉପଦେଷ୍ଟା ସଦସ୍ୟ ଭାବେ କାମ କରିବେ ।
ଅପରପକ୍ଷେ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତି, ବିଜେବି ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ, ବ୍ରହ୍ମପୁରସ୍ଥିତ ଖଲିକୋଟ ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ, ଝାରସୁଗୁଡାସ୍ଥିତ ଏଲ୍ଏନ୍ କଲେଜର ଅଧ୍ୟକ୍ଷ ତଥା ଯାଜପୁର ରୋଡ୍ସ୍ଥିତ ବ୍ୟାସନଗର ସ୍ୱୟଂଶାସିତ କଲେଜର ଅଧ୍ୟକ୍ଷ ମନୋନୀତ ସଦସ୍ୟ ରହିବେ । ‘ମୋ କଲେଜ’ ଦାୟିତ୍ୱରେ ଥିବା ସ୍ୱତନ୍ତ୍ର ଅଧିକାରୀ ଏକ୍ସ ଅଫିସିଓ ସଦସ୍ୟ ରହିବେ । ତେବେ ରାଜ୍ୟ ସରକାର କିମ୍ବା ମୋ କଲେଜ ଅଧ୍ୟକ୍ଷ ୩ଜଣ ସଦସ୍ୟଙ୍କୁ କମିଟିକୁ ମନୋନୀତ କରିବେ ।
କମିଟିରେ କଲେଜ ଶିକ୍ଷା ସମେତ କଳା, ସାହିତ୍ୟ, ଡିଜାଇନ୍, ବିଜ୍ଞାପନ, ଉଦ୍ୟୋଗ ଜଗତ, ବିଜ୍ଞାନ, ଇଞ୍ଜିନିୟରିଂ, ସମାଜ ସେବା ଓ କ୍ରୀଡ଼ା କ୍ଷେତ୍ରରେ ଅଭିଜ୍ଞତା ଥିବା ବ୍ୟକ୍ତି କାମ କରିପାରିବେ । ‘ମୋ କଲେଜ’ର ମୁଖ୍ୟ ନିର୍ବାହୀ ଅଧିକାରୀ ସଦସ୍ୟ ସଚିବ ରହିବା ସହିତ ଆବାହକର ଦାୟିତ୍ୱ ନିର୍ବାହ କରିବେ ବୋଲି ଉଚ୍ଚଶିକ୍ଷା ସଚିବ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି । ତେବେ ଏହି କମିଟି ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଅନୁମୋଦନ ପରେ ଘୋଷଣା କରାଯାଇଥିବା ଶ୍ରୀ ମିଶ୍ର କହିଛନ୍ତି ।
ଉଲ୍ଲେଖଯୋଗ୍ୟ ‘ମୋ ସ୍କୁଲ’ ଭଳି ପ୍ରତି କଲେଜର ପୂର୍ବତନ ଛାତ୍ରଛାତ୍ରୀଙ୍କୁ ନେଇ ‘ମୋ କଲେଜ’ ଗଠନ କରାଯିବ । ସେହି କମିଟିରେ ପୂର୍ବତନ ଛାତ୍ରଛାତ୍ରୀମାନେ ସଦସ୍ୟ ରହିବା ସହିତ ଆର୍ଥିକ ଓ ବୌଦ୍ଧିକ ସହାୟତା ଦେବେ । ପୂର୍ବତନ ଛାତ୍ର ଯେଉଁ ପରିମାଣରେ ଦାନ କରିବେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ତା’ର ଦୁଇଗୁଣା ଅର୍ଥ ଦେବେ ବୋଲି ଏହି ଯୋଜନାରେ ରହିଛି । ଏହି ଯୋଜନା ହେବା ପରେ ଉକ୍ରଳ ବିଶ୍ୱବିଦ୍ୟାଳୟରେ ଏହାର ବ୍ୟାପକ ସଫଳତା ଦେଖିବାକୁ ମିଳିଛି । ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ସାହୁ ନିଜେ ଉକ୍ରଳ ବିଶ୍ୱବିଦ୍ୟାଳୟର ପୁରାତନ ଛାତ୍ର ହୋଇଥିବା ବେଳେ ପୂର୍ବତନ ମୁଖ୍ୟ ଶାସନ ସଚିବ ବିଜୟ ପ;ନାୟକ ଉକ୍ରଳ ବିଶ୍ୱବିଦ୍ୟାଳୟ ଆଲୁମ୍ନିର ଆବାହକ ରହିଛନ୍ତି । ପରେ ଏହି କମିଟିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ପୂର୍ବତନ ସାଂସଦ ବୀରଭଦ୍ର ସିଂ, ପୂର୍ବତନ ଅର୍ଥମନ୍ତ୍ରୀ ପ୍ରଫୁଲ୍ଲ ଘଡେଇ, ପଞ୍ଚାନନ କାନୁନଗୋ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ସାଂସଦ ଶର୍ମିÂା ସେଠୀ, ବିଧାୟକ ବ୍ୟୋମକେଶ ରାୟ, ଓଏସଆଇସି ଅଧ୍ୟକ୍ଷ ଚିନ୍ମୟ କୁମାର ସାହୁ, ଓଟିଡିସି ଅଧ୍ୟକ୍ଷା ଶ୍ରୀମୟୀ ମିଶ୍ର, ଛାତ୍ରସଂସଦ ପୂର୍ବତନ ସଭାପତି ତନ୍ମୟ କୁମାର ସ୍ୱାଇଁ ପ୍ରମୁଖ ବହୁ ପୂର୍ବତନ ଛାତ୍ରଛାତ୍ରୀ ଯୋଡି ହୋଇ ପ୍ଲାଟିନମ୍ ଜୁବୁଲିକୁ ସଫଳ କରିଥିଲେ । ଏହିି ମଡେଲ୍ ରାଜ୍ୟରେ ଥିବା ଅନ୍ୟ ବିଶ୍ୱବିଦ୍ୟାଳୟ ଓ କଲେଜଗୁଡିକରେ ସଫଳ କରିବାକୁ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଗଠନକୁ ସମ୍ପ୍ରସାରିତ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons