ସଂଶୋଧିତ ନାଗରିକତା ଆଇନ:କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନୋଟିସ

Get real time updates directly on you device, subscribe now.

ନୂଆଦିଲ୍ଲୀ: ସଂଶୋଧିତ ନାଗରିକତା ଆଇନକୁ ବିରୋଧ କରି ସୁପ୍ରିମକୋର୍ଟରେ ୫୯ଟି ପିଟିସନ ଦାୟର ହୋଇଥିଲା । ସର୍ବୋଚ୍ଚ ନ୍ୟାୟଳୟ ବୁଧବାର ସମସ୍ତ ପିଟିସନଗୁଡ଼ିକର ଶୁଣାଣି କରି କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି । ତେବେ ଏହି ଆଇନ ଉପରେ ରୋକ୍ ଲଗାଇବାପାଇଁ ପିଟିସନରେ କରାଯାଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିନାହାନ୍ତି । ବର୍ତ୍ତମାନ ଏହା ଉପରେ ରୋକ ଲଗାଯିବ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି । ଆସନ୍ତା ଜାନୁଆରୀ ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।
ପ୍ରଧାନ ବିଚାରପତି ଜଷ୍ଟିସ ଏସ୍ଏ ବୋବଡେଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ପିଟିସନଗୁଡ଼ିକର ଶୁଣାଣି କରିଥିଲେ । ଆଟର୍ଣ୍ଣି ଜେନେରାଲ କେ ବେଣୁଗୋପାଳ ମାମଲାର ଶୁଣାଣି ସମୟରେ କୋର୍ଟରେ ଯୁକ୍ତି ବାଢ଼ିଥିଲେ ଯେ, ଏହି ଆଇନ ଉପରେ ରୋକ ଲଗାଇବା ପାଇଁ ଅନେକ ପିଟିସନ ଦାୟର ହୋଇଛି । ଏହା ପରୋକ୍ଷରେ ଏହି ଆଇନକୁ ଚାଲେଞ୍ଜ କରୁଛି । ଏହା ସଂସଦର ଉଭୟ ଗୃହରେ ଗୃହୀତ ହେବା ସହ ରାଷ୍ଟ୍ରପତିଙ୍କ ଅନୁମୋଦନ ପାଇଛି । ଏଣୁ ଏହା ଉପରେ ରୋକ ଲଗା ନଯାଉ । ପ୍ରତିପକ୍ଷ ଓକିଲ ଆଟର୍ଣ୍ଣି ଜେନେରାଲଙ୍କ ଏହି ଯୁକ୍ତିକୁ ଅଗ୍ରାହ୍ୟ କରିଥିଲେ । କହିଥିଲେ, ଏହାକୁ ବିରୋଧ କରି ଆସାମ ଜଳୁଛି । ଦେଶବ୍ୟାପୀ ବିକ୍ଷୋଭ ଦେଖାଯାଉଛି । ଏଣୁ ବର୍ତ୍ତମାନ ଏହା ଉପରେ ରୋକ ଲଗାଇବା ନିହାତି ଆବଶ୍ୟକ । ତେବେ ସର୍ବୋଚ୍ଚ ନ୍ୟାୟଳୟ ରୋକ ଉପରେ ଶୁଣାଣି କରିବାକୁ ମନା କରିଦେଇଥିଲେ । ବର୍ତ୍ତମାନ ଏହି ଆଇନ ଉପରେ ରହିତାଦେଶ ଜାରି ହେବନି ବୋଲି କୋର୍ଟ ନିଦେ୍ର୍ଧଶ ଦେଇଥିଲେ । କହିଥିଲେ, ସଂଶୋଧିତ ନାଗରିକତା ବିଲ୍ ଆଇନରେ ପରିଣତ ହୋଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କାର୍ଯ୍ୟକାରୀ ହୋଇନାହିଁ । ଏଣୁ ଏହା ଉପରେ ରୋକ ଲଗାଇବାର କୌଣସି ଆବଶ୍ୟକତା ନାହିଁ । ଏହାବ୍ୟତୀତ ଏହି ଆଇନ ବାବଦରେ ଲୋକମାନଙ୍କୁ କେନ୍ଦ୍ର ପକ୍ଷରୁ ସଚେତନ କରିବା ନିହାତି ଆବଶ୍ୟକ ବୋଲି କୋର୍ଟ ଆଟର୍ଣ୍ଣି ଜେନେରାଲଙ୍କୁ ନିଦେ୍ର୍ଧଶ ଦେଇଥିଲେ । କେନ୍ଦ୍ର ସରକାରଙ୍କ ପକ୍ଷରୁ ଜବାବ ଦାଖଲ ପରେ ଜାନୁଆରୀ ୨୨ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ ।
ଏହି ଆଇନକୁ ବିରୋଧ କରି କଂଗ୍ରେସ ନେତା ଜୟରାମ ରମେଶ, ତ୍ରୀପୁରା ରାଜାପରିବାର ସଦସ୍ୟ, ଅସଦୁଦ୍ଧିନ ଔବେସିଙ୍କ ସମେତ ୫୯ ଜଣ ପିଟିସନ ଦାୟର କରିଥିଲେ । ଅଧିକାଂଶ ପିଟିସନରେ ଏହି ଆଇନକୁ ଅସାମ୍ବିଧାନିକ ଦର୍ଶାଯାଇଛି । ଏହା ଧାରା ୧୪, ୨୧ ଏବଂ ୨୫କୁ ଉଲ୍ଲଙ୍ଘନ କରୁଥିବା ଅଭିଯୋଗ ହୋଇଛି ।
ଉଲ୍ଲେଖଯୋଗ୍ୟ, ନାଗରିକତା ଆଇନରେ ରହିଥିବା ବ୍ୟବସ୍ଥା ମୁତାବକ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଚାଲିଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଜୈନ, ବୌଦ୍ଧ, ପାର୍ସି ଏବଂ ଶିଖ୍ ଧର୍ମର ଲୋକମାନଙ୍କୁ ନାଗରିକତା ପ୍ରଦାନ କରାଯିବ । ୨୦୧୪ ପୂର୍ବରୁ ଥିବା ଏହି ଧର୍ମର ଲୋକମାନେ ବିନା ପ୍ରମାଣପତ୍ରରେ ବି ଭାରତର ନାଗରିକତା ହାସଲ କରିବେ । କେନ୍ଦ୍ର ସରକାର ଖୁବ୍ଶୀଘ୍ର ଏ ନେଇ ବିଜ୍ଞପ୍ତି ଜାରି କରିବା ପରେ ଆଇନ ଲାଗୁ ହୋଇଯିବ । ଉତ୍ତର-ପୂର୍ବ ଭାରତ, ପଶ୍ଚିମବଙ୍ଗ ଏବଂ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଏହି ଆଇନ ବିରୋଧର ସାମ୍ନା କରିଛି । ଏହା ମୁସ୍ଲିମ ବିରୋଧୀ ବୋଲି ଅଭିଯୋଗ ହେଉଛି । ଏହା ସହ ଅବୈଧ ଶରଣାର୍ଥୀମାନଙ୍କ ଭୋଟ ହାତେଇବା ପାଇଁ ଏହି ଆଇନ ପ୍ରଣୟନ କରାଯାଇଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons