ଏନ୍ଆରସିକୁ ବିଜେଡି ସମର୍ଥନ କରୁନି

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଜାତୀୟ ନାଗରିକ ପଞ୍ଜିକା ବା ନ୍ୟାସନାଲ ରେଜିଷ୍ଟର ଅଫ ସିଟିଜେନସ୍ ଅଫ ଇଣ୍ଡିଆ (ଏନ୍ଆରସି) କୁ ବିଜୁ ଜନତା ଦଳ ସମର୍ଥନ କରୁନି । ମାତ୍ର ନାଗରିକତା ସଂଶୋଧନ ଆଇନ (ସିଏଏ) କୁ ଦଳ ପୂର୍ଣ୍ଣ ସମର୍ଥନ କରୁଛି । ଆଜି ଏମିତି ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ବିଜେଡି ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟବାସୀ କୌଣସି ଗୁଜବରେ ବିଶ୍ୱାସ କରନ୍ତୁ ନାହିଁ । ସମସ୍ତେ ଶାନ୍ତି ଓ ସଦ୍ଭାବ ବଜାୟ ରଖନ୍ତୁ । ଜନସାଧାରଣଙ୍କୁ ଏମିତି ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ନୂଆଦିଲ୍ଲୀ ଗସ୍ତ ପୂର୍ବରୁ ବୁଧବାର ନବୀନ ନିବାସରେ ଗଣମାଧ୍ୟମକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଲେ, ନାଗରିକ ସଂଶୋଧନ ଆଇନ ସହ ମୂଳ ଭାରତୀୟଙ୍କର କିଛି ସଂପର୍କ ନାହିଁ । ଏହା କେବଳ ବିଦେଶୀଙ୍କ ପାଇଁ ଉଦ୍ଧିଷ୍ଟ । ମାତ୍ର ଆମେ ଏନ୍ଆରସିକୁ ସମର୍ଥନ କରୁନାହୁଁ । ବିଜେଡିର ସାଂସଦମାନେ ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହା ସ୍ପଷ୍ଟ କରି ସାରିଛନ୍ତି । ସିଏଏକୁ ଏନ୍ଆରସି ସହ ଯୋଡ଼ା ନଯାଉ ।
ବିଜେଡି ସୁପ୍ରିମୋ ଦଳର ଆଭିମୁଖ୍ୟକୁ ସ୍ପଷ୍ଟ କରିବା ପରେ ଏନ୍ଆରସି ସପକ୍ଷରେ ଯେ ଦଳ ନାହିଁ ତାହା ଜଳଜଳ । ସଂଶୋଧିତ ନାଗରିକତା ଆଇନକୁ ନେଇ ରାଜଧାନୀ ଦିଲ୍ଲୀ ସମେତ କିଛି ରାଜ୍ୟରେ ହିଂସା ଉଗ୍ର ରୂପ ଧାରଣ କରଛି । ସମଗ୍ର ଦେଶରେ ଏହା ଏବେ ମୁଖ୍ୟ ପ୍ରସଙ୍ଗ ଭାବେ ମୁଣ୍ଡ ଟେକିଛି । ଉତ୍ତର ପୂର୍ବାଞ୍ଚଳରେ ନାଗରିକତା ଆଇନକୁ ନେଇ ନିଆଁ ଜଳୁଥିଲା ବେଳେ ଓଡ଼ିଶାରେ ମଧ୍ୟ କିଛି ସ୍ଥାନରେ ପ୍ରତିବାଦର ସ୍ୱର ଉଠିଛି । ଭୁବନେଶ୍ୱରରେ ମଙ୍ଗଳବାର ସଂଖ୍ୟାଲଘୁ ସଂପ୍ରଦାୟ ଏହା ବିରୋଧରେ ଆନେ୍ଦାଳନକୁ ଓହ୍ଲାଇଥିଲେ । ଗତ ୪ ଦିନ ତଳେ ସଂଖ୍ୟାଲଘୁ ସଂପ୍ରଦାୟ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲା ବେଳେ ଆଦୌ ଭୟଭୀତ ନ ହେବାକୁ ମୁଖ୍ୟମନ୍ତ୍ରୀ କହିଥିଲେ । କିଛି ମାସ ତଳେ କେନ୍ଦ୍ରାପଡ଼ା ଅଞ୍ଚଳରେ ବାଂଲାଦେଶୀ ଅନୁପ୍ରବେଶକରୀଙ୍କୁ ଚିହ୍ନଟ ପାଇଁ ଏନ୍ଆରସି ଲାଗୁ କରିବା ନେଇ ଚର୍ଚ୍ଚା ମଧ୍ୟ ହୋଇଥିଲା । ତେଣୁ ରାଜ୍ୟବାସୀଙ୍କୁ ସ୍ପଷ୍ଟ ବାର୍ତ୍ତା ଦେବାକୁ ଆଜି ଦିଲ୍ଲୀ ଯିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ।
ଉଲ୍ଲେଖଯୋଗ୍ୟ, ନାଗରିକ ସଂଶୋଧନ ବିଲ ସଂପର୍କରେ ରାଜ୍ୟସଭାରେ ଚର୍ଚ୍ଚା ବେଳେ ବିଜେଡି ସାଂସଦ ଡ.ସସ୍ମିତ ପାତ୍ର କହିଥିଲେ, ଏ ବିଲ୍କୁ ବିଜେଡି ତର୍ଜମା କରି ଜାଣିବାକୁ ପାଇଛି ଯେ ଏହାର ଜାତୀୟ ନାଗରିକ ପଞ୍ଜିକା (ଏନ୍ଆରସି) ସହ କିଛି ସଂପର୍କ ନାହିଁ । ଏନ୍ଆରସି ହେଉଛି ଭିନ୍ନ ପ୍ରସଙ୍ଗ । ଏହା ଉପରେ ଦୀର୍ଘ ଆଲୋଚନାର ଆବଶ୍ୟକତା ରହିଛି । ଏହାଛଡ଼ା ନାଗରିକ ସଂଶୋଧନ ବିଲରେ ଶ୍ରୀଲଙ୍କାକୁ ଅନ୍ତର୍ଭୁକ୍ତ କରିବାକୁ ମଧ୍ୟ ସସ୍ମିତ ଦାବି ରଖିଥିଲେ । ମୁସଲମାନ ଭାଇ ଭଉଣୀଙ୍କ ସବୁ ସନେ୍ଦହ ଦୂର କରିବାକୁ ମଧ୍ୟ ଡ. ପାତ୍ର ରାଜ୍ୟସଭାରେ ପ୍ରସ୍ତାବ ରଖିଥିଲେ । ସେହିଭଳି ଲୋକସଭାରେ ଯାଜପୁର ସାଂସଦ ଶର୍ମିÂା ସେଠୀ ଏ ବିଲ୍ ଚର୍ଚ୍ଚାରେ ଅଂଶଗ୍ରହଣ କରି କହିଥିଲେ, ଏନ୍ଆରସି ସହ ନାଗରିକତା ସଂଶୋଧନ ବିଲର କିଛି ସଂପର୍କ ନାହିଁ । ଏ ବିଲରେ ଶ୍ରୀଲଙ୍କାକୁ ଅନ୍ତର୍ଭୁକ୍ତ କରିବାକୁ ସେ ପ୍ରସ୍ତାବ ରଖିଥିଲେ । ସିଏବିକୁ ଏନଆରସି ସହ ଯୋଡ଼ା ନଯାଉ ବୋଲି ସେ ଦାବି ରଖିଥିଲେ ।
ସଂସଦରେ ନାଗରିକତା ସଂଶୋଧନ ନେଇ ବିଜେଡି ନିଜ ମତ ସ୍ପଷ୍ଟ କରିଥିଲା ବେଳେ ଆଜି ପରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ଏହାକୁ ସ୍ୱାଗତ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି । ସେ କହିଛନ୍ତି, ଏନ୍ଆରସି ସହ ସିଏଏର କିଛି ସଂପର୍କ ନାହିଁ । ନାଗରିକତା ଆଇନରେ ମୂଳ ଭାରତୀୟମାନେ ଆଦୌ ପ୍ରଭାବିତ ହେବେ ନାହିଁ । ଏହା ପ୍ରଧାନମନ୍ତ୍ରୀ ଓ ଗୃହ ମନ୍ତ୍ରୀ ସ୍ପଷ୍ଟ କରି ସାରିଛନ୍ତି । ତେବେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀଙ୍କୁ ସମାଲୋଚନା କରିଛନ୍ତି । ସେ କହିଛନ୍ତି ୨୦ ବର୍ଷ ହେଲା ନବୀନ ମିଛ କହୁଛନ୍ତି । ସିଏଏ ଦ୍ୱାରା ଓଡ଼ିଶା ପ୍ରଭାବିତ ହେବନି ବୋଲି କହିବା ତାଙ୍କର ଡବଲ ଷ୍ଟାଣ୍ଡାର୍ଡ ନୀତି । ବିଜେପି ସହ ସଲାସୁତୁରାରେ ନବୀନ ବାବୁ ରାଜ୍ୟ ଚଳାଉଛନ୍ତି ।
ବିଜେଡି ସାଂସଦ ଭର୍ତ୍ତୃହରି ମହତାବ ମଧ୍ୟ ନାଗରିକତା ସଂଶୋଧନ ଆଇନ ନେଇ ଆଜି ମତ ରଖିଛନ୍ତି । ସେ କହିଛନ୍ତି, ନାଗରିକତା ଆଇନକୁ କଂଗ୍ରେସ ଓ ଅନ୍ୟ କିଛି ଦଳ ବିରୋଧ କରିବା ନିନ୍ଦନୀୟ । ଶ୍ରୀ ମହତାବ କହିଛନ୍ତି, କଂଗ୍ରେସ ଓ କମୁ୍ୟନିଷ୍ଟ ଦଳ ମୁସଲମାନ ସଂପ୍ରଦାୟ ମନରେ ଭୟ ସୃଷ୍ଟି କରୁଛନ୍ତି । ନିଜ ଭୋଟ ବ୍ୟାଙ୍କ ରାଜନୀତି ପାଇଁ କଂଗ୍ରେସ ଏ ଆଇନକୁ ବିରୋଧ କରୁଛି ।
ଉଲ୍ଲେଖଯୋଗ୍ୟ, ନାଗରିକତା ସଂଶୋଧନ ବିଲକୁ ବିଜେଡି ସଂସଦରେ ସମର୍ଥନ ଜଣାଇଥିଲା । ଜାତୀୟ ସ୍ୱାର୍ଥ ଓ ସୁରକ୍ଷା ଦୃଷ୍ଟିରୁ ଦଳ ଏ ବିଲକୁ ସମର୍ଥନ ଦେଇଛି ବୋଲି ଯୁକ୍ତି କରିଥିଲା । ଆଜି ଦଳର ମୁଖିଆ ଏ ନେଇ ନିଜ ମତକୁ ସ୍ପଷ୍ଟ କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons