ଜଗତସିଂହପୁର,(ବି.ବି.ନୁ୍ୟଜ୍): ଏକ ମଦ ଦୋକାନର ଜଣେ ମ୍ୟାନେଜର୍ଙ୍କଠାରୁ ଗତକାଲି ବନ୍ଧୁକ ମୁନରେ ୫ ଲକ୍ଷ ଟଙ୍କା ଲୁଟ୍ ହୋଇଥିଲା । ଲୁଟ୍ର ଦିନକ ପରେ ଆଜି ବଡ଼ ରହସ୍ୟମୟ ଢଙ୍ଗରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ତିର୍ତ୍ତୋଲ ଥାନା ଅନ୍ତର୍ଗତ ନମକଣା ରେଳବାଇ ଲେବଲ୍ କ୍ରସିଂଠାରୁ କିଛି ଦୂରରେ ଆଜି ତାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିଛି । ମୃତକ ହେଉଛନ୍ତି ଜଗତସିଂହପୁର ଥାନା ଅନ୍ତର୍ଗତ ରସଲପୁର ଗ୍ରାମର ଅମିନ ସେଠୀ । ତାଙ୍କୁ ହତ୍ୟା କରାଯାଇ ଏଠାରେ ଫିଙ୍ଗି ଦିଆଯାଇଛି କି ସେ ଆତ୍ମହତ୍ୟା କରିଛନ୍ତି, ତାହା ସ୍ପଷ୍ଟ ହୋଇପାରି ନାହିଁ । ରେଳବାଇ ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କଟକ ପଠାଇବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି ।
ତିର୍ତ୍ତୋଲ ଏସ୍ଡିପିଓ ଦୀପକ ରଞ୍ଜନ ଜେନା ଦେଇଥିବା ସୂଚନା ମୁତାବକ, କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ଜଣେ ମହିଳାଙ୍କ ନାମରେ ଗୋପିଆକୁଦରେ ଏକ ସରକାରୀ ଲାଇସେନ୍ସପ୍ରାପ୍ତ ଦେଶୀ ମଦ ଦୋକାନ ରହିଛି । ଉକ୍ତ ଦୋକାନରେ ଜଗତସିଂହପୁର ସହର ଉପକଣ୍ଠ ରସଲପୁରର ଅମିନ ସେଠୀ ମ୍ୟାନେଜର ଭାବେ ଗତ ପାଞ୍ଚ ବର୍ଷ ତଳୁ କାମ କରୁଥିଲେ । ଗତକାଲି ଦିନ ପ୍ରାୟ ସାଢେ ଦୁଇଟା ବେଳେ ଅମିନ ଦୋକାନରୁ ବିକ୍ରି ହୋଇଥିବା ୫ ଲକ୍ଷ ୫୬ ହଜାର ଟଙ୍କା ଧରି ବାଲିକୁଦାର ଏକ ବ୍ୟାଙ୍କକୁ ଡିପୋଜିଟ୍ କରିବାକୁ ଆସୁଥିଲେ । ଟଙ୍କାକୁ ଏକ ବ୍ୟାଗ୍ରେ ଭର୍ତ୍ତି କରି ଏକୁଟିଆ ଅମିନ୍ ବାଇକ୍ ଚଳାଇ ଆସୁଥିବା ସମୟରେ ତୁଳଙ୍ଗ ରାସ୍ତାର ଏକ ନିଛାଟିଆ ଜାଗାରେ ଦୁଇ ଜଣ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ । ଦୁଇ ଦୁର୍ବୃତ୍ତ ବନ୍ଧୁକ ମୁନରେ ଧମକଚମକ ଦେଇ ଅମିନଙ୍କଠାରୁ ଟଙ୍କା ଭର୍ତ୍ତି ବ୍ୟାଗ୍ ଛଡ଼ାଇ ନେଇଥିଲେ ଏବଂ ଅମିନ୍ଙ୍କ ବାଇକ୍ ଚାବି ଧରି ଫେରାର ହୋଇଯାଇଥିଲେ । ବାଧ୍ୟ ହୋଇ ଅମିନ୍ ଘଟଣା ବିଷୟରେ ଦୋକାନ କର୍ମଚାରୀଙ୍କୁ ଜଣାଇ ସେଠାରୁ ସିଧା ତିର୍ତ୍ତୋଲ ଥାନାକୁ ଆସି ରିପୋର୍ଟ କରିଥିଲେ । ଚାବି ନଥିବାରୁ ବାଇକ୍କୁ ତୁଳଙ୍ଗରେ ଜଣେ ପରିଚିତ ବ୍ୟକ୍ତିଙ୍କ ଘରେ ରଖି ଆସିଥିଲେ ଅମିନ । ଥାନାରେ ଏତଲା ଦେବା ପରେ ପୁଲିସ ପକ୍ଷରୁ ପ୍ରାଥମିକ ଅନୁସନ୍ଧାନ କରାଯାଇ ଅମିନଙ୍କୁ ପଚରା ଉଚରା କରାଯାଇ ଛାଡ଼ି ଦିଆଯାଇଥିଲା ।
ପୁଲିସ ଛାନ୍ଭିନ୍ ବେଳେ ଅମିନଙ୍କ ସହ ଦୋକାନର ଆଉ କିଛି କର୍ମଚାରୀ ଉପସ୍ଥିତ ଥିଲେ । ପରେ ସଂପୃକ୍ତ କର୍ମଚାରୀମାନେ ଅମିନଙ୍କୁ ନେଇ ମଣିଜଙ୍ଗା ବଜାରରେ ଛାଡ଼ି ଦେଇଥିଲେ । ମଣିଜଙ୍ଗାରୁ ଗୋପିଆକୁଦର ଦୂରତା ୩ କିମିରୁ ଊଦ୍ଧ୍ୱର୍ ହେବ । ଏପରିସ୍ଥଳେ ସହଯୋଗୀମାନେ ଅମିନଙ୍କୁ ଅଧା ରାସ୍ତାରେ ଛାଡ଼ି ପଳାଇବା ଘଟଣା କିଛିଟା ଅଡ଼ୁଆ ଅଡ଼ୁଆ ଲାଗୁଛି । ତେବେ ଗୋପିଆକୁଦ ଦୋକାନରେ ପହଞ୍ଚି ଅମିନ ସେଠାରେ ରାତି କଟାଇଥିଲେ । ଆଜି ଭୋର୍ରୁ ଉଠି ଚା’ ପିଇବାକୁ ବଜାର ଆସିଥିଲେ । ବାଇକ୍ ନଥିବାରୁ ଅମିନ ଚାଲିଚାଲି ଆସିଥିଲେ । ତେବେ ଚା’ ପିଇ ସେ ଆଉ ଫେରିନଥିଲେ । ଅପରପକ୍ଷେ ଆଜି ପାଖାପାଖି ଦିନ ୧୦ଟା ବେଳକୁ ନିମକଣା ରେଳବାଇ ଲେବଲ୍ କ୍ରସିଂଠାରୁ ପ୍ରାୟ ୧୦୦ ମିଟର ଦୂରରେ ଜଣେ ଯୁବକଙ୍କ ମୃତଦେହ ପଡ଼ିଥିବା ତିର୍ତ୍ତୋଲ ପୁଲିସକୁ ଖବର ମିଳିଥିଲା । ଘଟଣା ବିଜୁଳି ବେଗରେ ପ୍ରଚାର ହେବା ପରେ ମୃତଦେହ ଅମିନଙ୍କର ବୋଲି ଜଣାପଡ଼ିଥିଲା ।


Comments are closed, but trackbacks and pingbacks are open.