କଟକ,(ବି.ବି.ନୁ୍ୟଜ୍): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପ୍ରସ୍ତୁତ ହେବ ବାର୍ଷିକ ପରୀକ୍ଷା କ୍ୟାଲେଣ୍ଡର୍ । ଏଥିରେ ବର୍ଷ ସାରା ବୋର୍ଡ ଦ୍ୱାରା ପରିଚାଳିତ ହେଉଥିବା ବିଭିନ୍ନ ପରୀକ୍ଷାର ସମୟ ଓ ସୂଚୀ ଧାର୍ଯ୍ୟ କରାଯିବ । ଯାହା ଫଳରେ ପରୀକ୍ଷାର୍ଥୀମାନେ ପରୀକ୍ଷା ପାଇଁ ଭଲ ଭାବେ ପ୍ରସ୍ତୁତ ହୋଇପାରିବେ । ବୋର୍ଡର ୬୪ତମ ପ୍ରତିÂା ଦିବସରେ ଯୋଗ ଦେଇ ଏଭଳି ଘୋଷଣା କରିଛନ୍ତି ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ।
ମାଧ୍ୟମିକ ଶିକ୍ଷା ଓ ପରୀକ୍ଷା ପରିଚାଳନା ଭାର ବୋର୍ଡ ଉପରେ । ତେଣୁ ବର୍ଷ ସାରା ମାଧ୍ୟମିକ ଶିକ୍ଷା ପରିଷଦ ବିଭିନ୍ନ ପରୀକ୍ଷା ପରିଚାଳନା କରୁଛି । ମାଟ୍ରିକ୍ ପରୀକ୍ଷାଠାରୁ ଆରମ୍ଭ କରି ମଧ୍ୟମା ସଂସ୍କୃତ, ରାଜ୍ୟ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଟିଇଟି), ଓଡ଼ିଶା ସ୍କୁଲ୍ ସେକେଣ୍ଡାରୀ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସ୍ଏସ୍ଟିଇଟି) , ରାଜ୍ୟ ମୁକ୍ତ ସ୍କୁଲ ସାର୍ଟିଫିକେଟ୍, ଅର୍ଦ୍ଧବାର୍ଷିକ ଓଡ଼ିଆ ଏକକ ପରୀକ୍ଷା, ଅଷ୍ଟମ ଶ୍ରେଣୀ ଓଡ଼ିଆ ଏକକ ପରୀକ୍ଷା, ପଠାଣି ସାମନ୍ତ ଗଣିତ ମେଧାବୃତ୍ତି ଆଦି ପରୀକ୍ଷା ବର୍ଷର ବିଭିନ୍ନ ସମୟରେ ହେଉଛି । ତେବେ ଏହାର ନିର୍ଦ୍ଧିଷ୍ଟ ସମୟ ଧାର୍ଯ୍ୟ ହୋଇପାରୁନାହିଁ । ଫଳରେ ପରୀକ୍ଷା କେବେ ହେବ ସେ ନେଇ ଆଶଙ୍କାରେ ରହୁଛନ୍ତି ପରୀକ୍ଷାର୍ଥୀ । ଏଭଳି ସମସ୍ୟାର ସମାଧାନ ପାଇଁ ବୋର୍ଡ ପକ୍ଷରୁ ବାର୍ଷିକ ପରୀକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ । ଫଳରେ ବର୍ଷ ଆରମ୍ଭରୁ ବିଭିନ୍ନ ପରୀକ୍ଷାର ସମୟ ଓ ସୂଚୀ ଧାର୍ଯ୍ୟ ହୋଇଯିବ । ଏହା ଦ୍ୱାରା ପରୀକ୍ଷାର୍ଥୀମାନେ ପରୀକ୍ଷାକୁ ନେଇ କୌଣସି ପ୍ରକାର ଆଶଙ୍କାରେ ରହିବେ ନାହିଁ । ଏଭଳି ଲକ୍ଷ୍ୟ ନେଇ ବାର୍ଷିକ ପରୀକ୍ଷା କ୍ୟାଲେଣ୍ଡର ପ୍ରସ୍ତୁତ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ଦାଶ ସୂଚନା ପ୍ରଦାନ କରିଛନ୍ତି ।
କଟକ ବଜ୍ରକବାଟି ରୋଡସ୍ଥିତ ବୋର୍ଡ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏହି ପ୍ରତିÂା ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ଶ୍ରୀ ଦାଶ କହିଲେ ଯେ, ମାଧ୍ୟମିକ ଶିକ୍ଷା ପରିଷଦକୁ ୬୩ ପୁରି ୬୪ ହେଲା । ବୋର୍ଡ ପରିପକ୍ୱ ଅବସ୍ଥାକୁ ଆସିଲା । ତ୍ରୁଟିକୁ ସୁଧାରି ଭଲ କାମ କରିବାର ଅଭିଜ୍ଞତା ପାଇଲା । ତ୍ରୁଟିଶୂନ୍ୟ ମାଟ୍ରିକ ପରୀକ୍ଷା ଉପରେ ଏବେ ଗୁରୁତ୍ୱ ଦିଆଯାଉଛି । ତେଣୁ ସମସ୍ତେ ଏନେଇ ଉଦ୍ୟମ କରିବାକୁ ମନ୍ତ୍ରୀ ଶ୍ରୀ ଦାଶ ଆହ୍ୱାନ ଦେଇଥିଲେ । ସାର୍ଟିଫିକେଟ୍ ସଂଶୋଧନ ପାଇଁ ବହୁ ଅଭିଯୋଗ ଆସୁଥିବାରୁ ଏନେଇ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ମନ୍ତ୍ରୀ ଶ୍ରୀ ଦାଶ ବୋର୍ଡ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ । ଉତ୍ସବ ଅବସରରେ ମନ୍ତ୍ରୀ ବୋର୍ଡ ମୁଖ୍ୟ ଗେଟ୍ ନିର୍ମାଣ ପାଇଁ ଶିଳାନ୍ୟାସ କରିଥିଲେ । ବୋର୍ଡ ସଭାପତି ରାମାଶିଷ ହାଜରାଙ୍କ ସଭାପତିତ୍ୱରେ ଅନୁÂିତ ଏହି ଉତ୍ସବରେ ମୁଖ୍ୟବକ୍ତା ଭାବେ ବୋର୍ଡର ପୂର୍ବତନ ସଭାପତି ପ୍ରଫେସର ସତ୍ୟକାମ ମିଶ୍ର ଯୋଗ ଦେଇ କହିଲେ ଯେ, ବୋର୍ଡ ହେଉଛି ଏକ ଐତିହ୍ୟ ସଂପନ୍ନ ସଂସ୍ଥା । ଏହାର ଗୁରୁତ୍ୱକୁ ଅକ୍ଷୁର୍ଣ୍ଣ ରଖିବାକୁ ହେବ । ତ୍ରୁଟିଶୂନ୍ୟ ପରୀକ୍ଷା ପରିଚାଳନା ପାଇଁ ବୋର୍ଡକୁ ସ୍ୱାଧୀନତା ଦିଆଯାଉ । ସ୍ୱୟଂଶାସିତ କ୍ଷମତାକୁ ବଜାୟ ରଖିବା ପାଇଁ ସରକାର ମଧ୍ୟ ପଦକ୍ଷେପ ନିଅନ୍ତୁ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । ଶିକ୍ଷକ, ଶିକ୍ଷା ନିଦେ୍ର୍ଧଶାଳୟ ଓ ରାଜ୍ୟ ଶିକ୍ଷା ଗବେଷଣା ପ୍ରଶିକ୍ଷଣ ପରିଷଦର ନିଦେ୍ର୍ଧଶକ ଗଙ୍ଗାଧର ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ପାଠପଢ଼ା ଓ ପରୀକ୍ଷା କ୍ଷେତ୍ରରେ ସଂସ୍କାରମୂଳକ ପଦକ୍ଷେପ ଗ୍ରହଣ କରାଯିବା ଉପରେ ଗୁରୁତ୍ୱାରୋପ କରିଥିଲେ । ପରୀକ୍ଷା ନିୟନ୍ତ୍ରକ ଡକ୍ଟର ନିହାର ରଂଜନ ମହାନ୍ତି ସ୍ୱାଗତ ଭାଷଣ ସହିତ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏଷ୍ଟାବ୍ଲିସମେଣ୍ଟ ଅଫିସର୍ ମଞ୍ଜୁଲତା ମଲ୍ଲିକ ବାର୍ଷିକ ବିବରଣୀ ପାଠ କରିଥିଲାବେଳେ ବିତ୍ତ ଅଧିକାରୀ ବିଶ୍ୱମୋହନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଅବସରରେ ବୋର୍ଡର ବାର୍ଷିକ ମୁଖପତ୍ର ‘ଶ୍ରୀ’କୁ ଅତିଥିମାନେ ଉନ୍ମୋଚନ କରିଥିଲେ । ରିକ୍ରେସନ କ୍ଲବ୍ ପକ୍ଷରୁ ଅନୁÂିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତୀମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ ।
Comments are closed, but trackbacks and pingbacks are open.