କଟକ,(ବି.ବି.ବୁ୍ୟରୋ): ବାରବାଟୀ ଷ୍ଟାଡିୟମ୍ରେ ଟିମ ଇଣ୍ଡିଆ ରୋମାଞ୍ଚକର ବିଜୟ ହାସଲ କରିଛି । ସିରିଜ୍ ନିର୍ଣ୍ଣାୟକ ମୁକାବିଲାରେ ଭାରତ ୪ ୱିକେଟ୍ରେ ୱେଷ୍ଟ ଇଣ୍ଡିଜ୍କୁ ହରାଇ ୨-୧ରେ ସିରିଜ ବିଜୟୀ ହୋଇଛି । ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ୱେଷ୍ଟ ଇଣ୍ଡିଜ୍ ନିକୋଲାସ୍ ପୂରାନ ଓ ଅଧିନାୟକ କିରେନ୍ ପୋଲାର୍ଡଙ୍କ ଆକ୍ରମଣାତ୍ମକ ଅର୍ଦ୍ଧ ଶତକ ବଳରେ ୫/୩୧୫ ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ୪୮.୪ ଓଭରରେ ୬ ୱିକେଟ୍ ହରାଇ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ରୋହିତ ଶର୍ମା ୬୩, ଲୋକେଶ ରାହୁଲ ୭୭ ଓ ବିରାଟ କୋହଲି ୮୫ ରନ୍ କରିଥିଲେ । ଅନ୍ତିମ ଭାଗରେ ରବିନ୍ଦ୍ର ଜାଡେଜା ଓ ସର୍ଦୁଲ ଠାକୁର ଲଢୁଆ ବ୍ୟାଟିଂ କରି ଦଳକୁ ବିଜୟୀ କରାଇଥିଲେ । ଜାଡେଜା ଅପରାଜିତ ୩୯ ଓ ଠାକୁର ଅପରାଜିତ ୧୭ ରନ୍ କରିଥିଲେ ।
ଐତିହାସିକ ବାରବାଟୀ ଷ୍ଟାଡିୟମ୍ ଆଜି ଟିମ୍ ଇଣ୍ଡିଆ ଅଧିନାୟକ ବିରାଟ କୋହଲିଙ୍କ ପାଇଁ ‘ଲକି’ ସାବ୍ୟସ୍ତ ହୋଇଥିଲା । ଗତ କିଛି ମ୍ୟାଚ୍ରେ ଟସ୍ ହାରି ଆସୁଥିବା କୋହଲି ଏଠାରେ ଟସ୍ ଜିତିଥିଲେ । ସିରିଜ୍ରେ ପ୍ରଥମ କରି ଟସ୍ ଜିତିବାର ଖୁସି ମଧ୍ୟ ଥିଲା ନିଆରା । ଟସ୍ ଜିତିବା ପରେ କୋହଲିଙ୍କ ମୁହଁରେ ହସ ଫୁଟିଥିଲା । ହାତ ଜୋଡି ସେ ଭଗବାନଙ୍କୁ ଧନ୍ୟବାଦ ଦେଉଥିବା ଦେଖିବାକୁ ମିଳିଥିଲା । ରାତିରେ କାକର ପ୍ରଭାବ ରହିବ । ବଲ୍ ଓଦା ହେଲେ ବୋଲିଂ କରିବା କଷ୍ଟକର ହେବ । ତେଣୁ ଏଭଳି ପରିସ୍ଥିତିରେ ପ୍ରଥମେ ଫିଲ୍ଡିଂ କରିବା ଶ୍ରେୟସ୍କର । ପ୍ରଥମ ୨ଟି ଯାକ ଦିନିକିଆରେ ପୋଲାର୍ଡ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଉଥିଲେ । ଏଥର ଥିଲା କୋହଲିଙ୍କ ପାଳି । ଟସ୍ ଜିତିବା ମାତ୍ରେ କୋହଲି ଫିଲ୍ଡିଂ ନିଷ୍ପତ୍ତି ନେବାରେ ହେଳା କରିନଥିଲେ ।
ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ୱେଷ୍ଟ ଇଣ୍ଡିଜ୍ ପକ୍ଷରୁ ଦୁଇ ଓପନର ଏଭିନ ଲୁଇସ୍ ଓ ସାଇ ହୋପ୍ ସତର୍କତାର ସହ ବ୍ୟାଟିଂ ଆରମ୍ଭ କରିଥିଲେ । ୧୪ ଓଭର ପର୍ଯ୍ୟନ୍ତ ଭାରତୀୟ ବୋଲର ୱିକେଟ୍ ହାତେଇ ପାରିନଥିଲେ ହେଁ ରନ୍ରେ ଅଂକୂଶ ଲଗାଇବାରେ ସଫଳ ହୋଇଥିଲେ । ୧୫ତମ ଓଭରରେ ରବିନ୍ଦ୍ର ଜାଡେଜା ଯୋଡି ଭାଙ୍ଗିଥିଳେ । ସେ ଲୁଇସ୍(୨୧)ଙ୍କୁ ଆଉଟ୍ କରିଥିଲେ । ହୋପ୍ କିଛି ଆକର୍ଷଣୀୟ ସଟ ଖେଳି ଅର୍ଦ୍ଧଶତକ(୪୨) ନିକଟତର ହୋଇଥିଲେ । ୨୦ତମ ଓଭରରେ ମହମଦ ସାମିଙ୍କ ଏକ ବଲ୍କୁ ଡ୍ରାଇଭ କରିବାକୁ ଯାଇ ସେ ବୋଲ୍ଡ ହୋଇଥିଲେ । ୭୦ ରନ୍ରେ ୱେଷ୍ଟ ଇଣ୍ଡିଜ୍ ଉଭୟ ଓପନରଙ୍କୁ ହରାଇଥିଲା ।
ସିମରନ ହେତମେୟାର ଓ ରଷ୍ଟନ ଚେଜ ତୃତୀୟ ୱିକେଟ୍ରେ ୬୨ ରନ୍ର ଭାଗିଦାରୀ ଗଠନ କରିଥିଲେ । ଦଳୀୟ ସ୍କୋର ୧୩୨ ବେଳେ ହେତମେୟର ୩୭(୨ଚୌକା, ୨ଛକା) ରନ କରି ଆଉଟ୍ ହୋଇଥିଲେ । ପରେ ପରେ ଚେଜ ୩୮(୩ଚୌକା) ରନ୍ କରି ପାଭିଲିୟନ ଫେରିଥିଲେ । ଦିନିକିଆ ପଦାର୍ପଣ କରିଥିବା ନବଦୀପ ସାଇନି ଉଭୟଙ୍କୁ ଆଉଟ୍ କରିଥିଲେ ।
ପରବର୍ତ୍ତୀ ଦୁଇ ବ୍ୟାଯ୍ସମ୍ୟାନ୍ ନିକୋଲାସ ପୂରାନ ଓ କିରେନ ପୋଲାର୍ଡ କ୍ରିଜ୍କୁ ଓହ୍ଲାଇବା ପରେ ଦଳୀୟ ସ୍କୋର ଦ୍ରୁତ ବେଗରେ ଆଗେଇଥିଲା । ଉଭୟ ପଟୁ ଛକା ଓ ଚୌକାର ବର୍ଷା ହୋଇଥିଲା । କୋହଲି ବୋଲିଂ ଓ ଫିଲ୍ଡିଂରେ ଅନେକ ପରିବର୍ତ୍ତନ କରିଥିଲେ । ହେଲେ କିଛି ସୁଫଳ ମିଳି ନଥିଲା । ପଞ୍ଚମ ୱିକେଟ୍ରେ ଉଭୟ ୧୩୫ ରନ୍ ଯୋଗ କରିଥିଲେ । ଦଳୀୟ ସ୍କୋର ୨୭୯ ବେଳେ ପୂରାନଙ୍କୁ ଆଉଟ୍ କରିଥିଲେ ସର୍ଦୁଲ ଠାକୁର । ପୂରାନ ୬୪ଟି ବଲ୍ରୁ ୧୦ଟି ଚୌକା ଓ ୩ଟି ଛକା ବଳରେ ୮୯ ରନ୍ ସଂଗ୍ରହ କରିଥିଲେ । ପୋଲାର୍ଡ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ ସ୍କୋରକୁ ୩୧୫ରେ ପହଞ୍ଚାଇଥିଲେ । ସେ ୫୧ଟି ବଲ୍ରୁ ୩ଟି ଚୌକା ଓ ୭ଟି ବିଶାଳ ଛକା ବଳରେ ୭୪ ରନ୍ କରିଥିଲେ । ଭାରତ ପକ୍ଷରୁ ସାଇନି ୨ଟି ୱିକେଟ୍ ଅକ୍ତିଆର କରିଥିବାବେଳେ ଠାକୁର, ସାମି, କୁଲଦୀପ ଓ ଜାଡେଜା ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ ।
Comments are closed, but trackbacks and pingbacks are open.