‘ବିଜେଡି ଠିକ୍ ବୁଝିଲେ ସମର୍ଥନ କରିବ’

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): ନାଗରିକତା ସଂଶୋଧନ ଆଇନ (ସିଏଏ) ଓ ଜାତୀୟ ନାଗରିକ ସୂଚୀ (ଏନ୍ଆର୍ସି)କୁ ଯୋଡ଼ି ଦ୍ୱନ୍ଦ୍ୱ ସୃଷ୍ଟି କରାଯାଉଛି । ଯେଉଁମାନେ ଦ୍ୱନ୍ଦ୍ୱରେ ରହିବାକୁ ଚାହୁଁଛନ୍ତି ସେମାନେ ରହୁଛନ୍ତି, ନଚେତ୍ ସିଏଏରେ କୌଣସି ଦ୍ୱନ୍ଦ୍ୱ ନାହିଁ ବୋଲି ବ୍ରହ୍ମପୁର ଠାରେ ଶନିବାର ଦଳୀୟ କାର୍ଯ୍ୟାଳୟ ଉଦ୍ଘାଟନ ଅବସରରେ କହିଛନ୍ତି କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନୀଳାଚଳନଗର ଠାରେ ଦଳୀୟ ନୂଆ ଅଫିସ୍ ଉଦ୍ଘାଟନ ଅବସରରେ ସେ କହିଛନ୍ତି ଯେ, କଂଗ୍ରେସ ଏ ନେଇ ଅରାଜକତା ସୃଷ୍ଟି କରିବାକୁ ଚାହୁଁଛି । ମାତ୍ର ସେମାନେ ସଫଳ ହେବେନି । ବିଜେଡି ସିଏଏକୁ ଉଭୟ ଲୋକସଭା ଓ ରାଜ୍ୟସଭାରେ ସମର୍ଥନ କରିଛି । ତେବେ ଏନ୍ଆର୍ସି ପ୍ରସଙ୍ଗକୁ ସେମାନେ ବୋଧହୁଏ ଠିକ୍ ଭାବେ ବୁଝିନାହାନ୍ତି । ସେମାନେ (ବିଜେଡି) କଣ ଚାହୁଁଛନ୍ତି କି ଯେ ବାଂଲାଦେଶୀ ଅନୁପ୍ରବେଶକାରୀ ଏଠି ରୁହନ୍ତୁ ବୋଲି । ଆମେ କଣ କେହି ଚାହିଁବା ଯେ ଏଠି ଯେଉଁମାନେ ଆମ ଦେଶର ନାଗରିକ ନୁହଁନ୍ତି, ସେହି ଅନୁପ୍ରବେଶକାରୀ ଜବରଦସ୍ତ ଏଠି ରୁହନ୍ତୁ ବୋଲି । ସେମାନେ ବି ବୁଝିଲେ ଠିକ୍ କାମ କରିବେ ବୋଲି ସେ କହିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ- ସିଏଏ ହେଉଛି ଇସ୍ଲାମିକ୍ ରିପବ୍ଲିକ୍ ବୋଲି ଘୋଷିତ ଆମର ୩ଟି ପଡୋଶୀ ଦେଶର ୬ଟି ଧର୍ମର ସଂଖ୍ୟାଲଘୁ ଲୋକ ଯେଉଁମାନେ ଭାରତକୁ ଶରଣାର୍ଥୀ ଭାବେ ଆସୁଛନ୍ତି ସେମାନଙ୍କୁ ସାମୂହିକ ନାଗରିକତ୍ୱ ଦେବା ପାଇଁ ଏକ ପଦକ୍ଷେପ । ଏଥିପାଇଁ ସମ୍ବିଧାନ ସଂଶୋଧନ କରାଯାଇଛି । ସେପଟେ ସୁପ୍ରିମ୍କୋର୍ଟ କହିଛନ୍ତି ଯେ ଦେଶରେ ନାଗରିକ ସୂଚୀ ତିଆରି ହେବା ଦରକାର । ଏହା ସାମ୍ବିଧାନିକ ବ୍ୟବସ୍ଥା । ସରକାର ଯେତେବେଳେ ଉଚିତ ମନେ କରିବେ ତାହାକୁ କ୍ରିୟାନ୍ୱୟନ କରିବା ପାଇଁ ସାମନାକୁ ଆଣିବେ । ଯେଉଁମାନେ ସିଏଏ- ଏନ୍ଆର୍ସି ଦ୍ୱନ୍ଦ୍ୱ ସୃଷ୍ଟି କରୁଛନ୍ତି ସେମାନେ ଭାରତର ବିକାଶ ତଥା ପ୍ରଗତି ପଥରେ ବାଧକ କରିବାକୁ ଚାହୁଁଛନ୍ତି । ବିଶେଷ କରି ଅରାଜକତା ସୃଷ୍ଟି କରୁଥିବା କଂଗ୍ରେସ ଏଥିରେ ସଫଳ ହେବନି ବୋଲି ସେ ଦୃଢୋକ୍ତି ପ୍ରକାଶ କରିଛନ୍ତି ।
ଅପରପକ୍ଷରେ ଦଳୀୟ କାର୍ଯ୍ୟାଳୟ ଖୋଲିବା ଅବସରରେ ସେ କହିଛନ୍ତି ଯେ- ବିଭିନ୍ନ ଜିଲ୍ଲାରେ ବିଜେପି ନୂଆ ସଭାପତିମାନଙ୍କୁ ନିର୍ବାଚିତ କରାଯାଇ ଦାୟିତ୍ୱ ଅର୍ପଣ କରାଯାଇଛି । ଲୋକସଭା ଓ ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ବିଜେପି ଶକ୍ତିଶାଳୀ ରାଜନୈତିକ ଶକ୍ତି ଭାବେ ଉଦୟ ହୋଇଛି । ଏବେ ଆମ ଦାୟିତ୍ୱ ସଙ୍ଗଠନକୁ ଦୃଢ଼ କରିବା, ଲୋକପ୍ରିୟ ଜନନେତା ନରେନ୍ଦ୍ର ମୋଦିଙ୍କ ବାର୍ତ୍ତାକୁ ତୃଣମୂଳସ୍ତରରେ ପହଞ୍ଚାଇବା । ରାଜ୍ୟରେ ବିରୋଧୀ ଦଳର ଭୂମିକା ନିର୍ବାହ କରି ଏଠିକାର ସାମାନ୍ୟ ଲୋକଙ୍କ ଅପେକ୍ଷାକୁ ପ୍ରଶାସନ ସାମନାକୁ ଆଣିବା, ପ୍ରସଙ୍ଗକୁ ବିଧାନସଭାରେ ଓ ବାହାରେ ଉଠାଇବା ଆମ ଦାୟିତ୍ୱ । ସଙ୍ଗଠନର ଏହି ପର୍ବ ଜିଲ୍ଲାସ୍ତରରେ ଶେଷ ହୋଇଛି, ଶୀଘ୍ର ରାଜ୍ୟସ୍ତରରେ ସମ୍ପନ୍ନ ହେବ । ଦଳକୁ ୩୭ ହଜାର ବୁଥ୍ରେ ତୃଣମୂଳସ୍ତରରେ ମଜବୁତ୍ କରିବାର ଏହି ଅଭିଯାନ ବୋଲି ଦଳୀୟ ନିର୍ବାଚନକୁ ବର୍ଣ୍ଣନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ।
ପୂର୍ବତନ ଜିଲ୍ଲା ସଭାପତି କାହ୍ନୁଚରଣ ପତି, ସୁନୀଲ କୁମାର ସାହୁ, ପ୍ରଭାତ କିରଣ ଷଡଙ୍ଗୀ, ଗୋକୁଳାନନ୍ଦ ମଲ୍ଲିକ, ଶରତ କୁମାର ସାହୁ, ଅନୀତା ଶୁଭଦର୍ଶିନୀ, ମନୋଜ ପଣ୍ଡା, ରାଜେଶ ସାହୁ ପ୍ରମୁଖ ଉପସ୍ଥିତ ଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons