କୋଣାର୍କ,(ବି.ବି.ନୁ୍ୟଜ୍): ବଡ଼ଦିନ ଓ ନୂଆବର୍ଷ ପୂର୍ବରୁ ପୁଣି ବିଶ୍ୱ ଐତିହ୍ୟ ସୂର୍ଯ୍ୟମନ୍ଦିରରେ ଅବ୍ୟବସ୍ଥା ଦେଖାଦେଇଛି । ଟୋକନ୍ ନପାଇବାରୁ ସୂର୍ଯ୍ୟମନ୍ଦିର ବୁଲି ନପାରି ନିରାଶରେ ଫେରିଲେ ପର୍ଯ୍ୟଟକ । ଗତ ୧୫ତାରିଖରେ ଏଭଳି ଅବ୍ୟବସ୍ଥା ଦେଖାଦେଇଥିଲା । ଏନେଇ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା । ଆଜି ଏହାର ପୁନରାବୃତ୍ତି ହୋଇଛି । ସୂର୍ଯ୍ୟମନ୍ଦିର ଟିକେଟ କାଉଣ୍ଟର ସମ୍ମୁଖରେ ଟୋକନ୍ ପାଇଁ ପର୍ଯ୍ୟଟକମାନଙ୍କ ମଧ୍ୟରେ ଠେଲାପେଲା ହୋଇଥିଲା । ଦୂରଦୂରାନ୍ତରୁ ଆସିଥିବା ପର୍ଯ୍ୟଟକମାନେ ଘଣ୍ଟା ଘଣ୍ଟା ଧରି ଖରାରେ ଲାଇନ୍ରେ ଛିଡ଼ା ହୋଇଥିଲେ ମଧ୍ୟ ଟୋକନ୍ ପାଇ ନଥିଲେ । କେତେକ ପର୍ଯ୍ୟଟକ ମନ୍ଦିର ବୁଲି ନପାରି ଅସନ୍ତୋଷ ପ୍ରକାଶ କରି ଫେରି ଯାଇଥିଲେ । ଏଏସ୍ଆଇର ଅବହେଳା ଯୋଗୁଁ ପର୍ଯ୍ୟଟକମାନେ ଏଭଳି ଅସୁବିଧାର ସମ୍ମୁଖୀନ ହୋଇଥିବା ଅଭିଯୋଗ ହୋଇଛି । ଏକ ସମୟରେ ଅଧିକ ପର୍ଯ୍ୟଟକ ଆସିବାର ଏଭଳି ସମସ୍ୟା ଉପୁଜିଲା ବୋଲି ସ୍ଥାନୀୟ ଏଏସ୍ଆଇ ଅଧିକାରୀ ସଫେଇ ଦେଇଛନ୍ତି ।
ସକାଳ ୯ଟାରୁ ସୂର୍ଯ୍ୟମନ୍ଦିର ସମ୍ମୁଖରେ ପର୍ଯ୍ୟଟକଙ୍କ ଭିଡ଼ ଲାଗି ରହିଥିଲା । ପ୍ରବେଶ ଟୋକନ୍ ନେବା ପାଇଁ ପର୍ଯ୍ୟଟକମାନେ କାଉଣ୍ଟର ସମ୍ମୁଖରେ ଦୁଇ ଧାଡ଼ିରେ ଛିଡ଼ା ହୋଇଥିଲେ । ପର୍ଯ୍ୟାପ୍ତ ସଂଖ୍ୟାରେ ଟୋକନ୍ ନଥିବାରୁ ପର୍ଯ୍ୟଟକଙ୍କୁ ଦୀର୍ଘ ସମୟ ଧରି ଲାଇନ୍ରେ ଛିଡ଼ା ହେବାକୁ ପଡିଥିଲା । ହଜାର ହଜାର ପର୍ଯ୍ୟଟକଙ୍କ ପାଇଁ ମାତ୍ର ଦୁଇ ହଜାର ଟୋକନ୍ ରହିଛି । ଫଳରେ ଏଭଳି ଅବ୍ୟବସ୍ଥା ଉପୁଜୁଛି ।
ସୂର୍ଯ୍ୟମନ୍ଦିର ପରିଦର୍ଶନରେ ଆସୁଥିବା ଦେଶ, ବିଦେଶର ପର୍ଯ୍ୟଟକମାନେ ଟିକେଟ କାଉଣ୍ଟରରୁ ଜଣ ପିଛା ୪୦ଟଙ୍କା ଦେଇ ଏକ ପ୍ଲାଷ୍ଟିକ ଟୋକନ୍ ସଂଗ୍ରହ କରିଥାନ୍ତି । ଏହି ଟୋକନ୍କୁ ପ୍ରବେଶ ପଥ ସ୍କାନର ମେସିନରେ ଦେଖାଇ ମନ୍ଦିର ପରିସରକୁ ପ୍ରବେଶ କରିଥାନ୍ତି । ମନ୍ଦିର ବୁଲିସାରି ପ୍ରସ୍ଥାନ ପଥରେ ଟୋକନ୍ଟି ବାrରେ ରଖି ପ୍ରସ୍ଥାନ କରିଥାନ୍ତି ।
ଏ ସମ୍ପର୍କରେ ସ୍ଥାନୀୟ ଏଏସ୍ଆଇ ଅଧିକାରୀ ନିରଜ ସିଂଙ୍କୁ ପଚାରିବାରୁ ଏକ ସମୟରେ ଅଧିକ ପର୍ଯ୍ୟଟକ ଆସିବାରୁ ଏଭଳି ଅବସ୍ଥା ଦେଖା ଦେଇଥିଲା ବୋଲି କହିଥିଲେ । ଆଜି ଆହୁରି ୩ହଜାର ଟୋକନ୍ ଆସିଛି । ବୁଧବାରଠାରୁ କାଉଣ୍ଟରରେ ସମୁଦାୟ ୫ ହଜାର ଟୋକନ୍ ରହିବ ବୋଲି ଶ୍ରୀ ସିଂ ସୂଚନା ଦେଇଛନ୍ତି ।
Comments are closed, but trackbacks and pingbacks are open.