ବାରିପଦା ସିଟି,(ବି.ବି.ନୁ୍ୟଜ୍): ବଣଭୋଜି ସମୟରେ ଡିଜେ ଶବ୍ଦ ଶୁଣି ମାଡ଼ି ଆସିଲା ହାତୀ । ବଣଭୋଜି ସ୍ଥଳରେ ଭୋଜିରେ ବ୍ୟବହାର ପାଇଁ ଥିବା ପନିପରିବା ସବୁକୁ ଦଳିମକଚି ଦେଇଛି । ହାତୀର ହଠାତ୍ ଏଭଳି ଉଗ୍ର ରୂପ ଦେଖି ବଣଭୋଜି ପାଇଁ ଆସିଥିବା ପର୍ଯ୍ୟଟକଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଥିଲା । ଭୟଭୀତ ହୋଇ ଲୋକେ ଦୌଡ଼ିବାକୁ ଲାଗିଥିଲେ । ଦୀର୍ଘ ଘଣ୍ଟାଏ ଧରି ହାତୀଟି ପର୍ଯ୍ୟଟନ ସ୍ଥଳରେ ତାଣ୍ଡବ ରଚିବା ପରେ ମାହୁନ୍ତ ଏହି ପୋଷା ହାତୀ ‘ବବ୍ଲୁ’କୁ କାବୁ କରିଥିଲା ।
ସୂଚନାଯୋଗ୍ୟ, କିଛି ବର୍ଷ ତଳେ ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ (ଏସ୍ଟିଆର୍) ପ୍ରକଳ୍ପ ଅନ୍ତର୍ଗତ ହରିଶୋଳ ଗାଁରୁ ଅଣ୍ଡିରା ହାତୀଶାବକ ‘ବବ୍ଲୁ’କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ହାତୀ ଶାବକ ବବ୍ଲୁକୁ ପିଠାବଟା ରେଞ୍ଜରେ ଚେନ୍ରେ ବନ୍ଧା ଯାଇ ରଖାଯାଇଥିଲା । ବବ୍ଲୁର ରକ୍ଷଣାବେକ୍ଷଣ ପାଇଁ ବନ ବିଭାଗ ପକ୍ଷରୁ ମାହୁନ୍ତ ମଧ୍ୟ ନିଯୁକ୍ତି ଦିଆଯାଇଥିଲା । ହେଲେ ସୀତାକୁଣ୍ଡକୁ ଆସିଥିବା ପର୍ଯ୍ୟଟନମାନେ ଡିଜେ ବଜାଇ ନାଚଗୀତ କରୁଥିବା ସମୟରେ ଏହି ହାତୀଟି ଉଗ୍ରରୂପ ଧାରଣ କରି ବଣଭୋଜି ସ୍ଥଳକୁ ଦୌଡ଼ି ଆସିବାର ଏକ ଭିଡିଓ ଭାଇରାଲ ହୋଇଛି । ହାତୀଟି ହଠାତ ମାଡ଼ି ଆସିବାରୁ ପର୍ଯ୍ୟଟକମାନେ ଛାନିଆ ହୋଇ ଦୌଡ଼ାଦୌଡ଼ି କରିଥିଲେ । ଏପରିକି ପର୍ଯ୍ୟଟକମାନଙ୍କୁ ହାତୀ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା ।
Comments are closed, but trackbacks and pingbacks are open.