ଭୁବନେଶ୍ୱର,(ବି.ବି.ବୁ୍ୟରୋ): ନିର୍ବାଚନ ଜିତିବା ପରେ କାଳିଆ ଯୋଜନାରେ ଚାଷୀଙ୍କୁ ଟଙ୍କା ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ହେଲେ ଏବେ ବି ଅନେକ ଚାଷୀ ଏ ଟଙ୍କାରୁ ବଞ୍ଚିତ । ଯୋଜନାରେ ବ୍ୟାପକ ଜାଲିଆତି ହେଉଛି । ଏହା ବିରୋଧରେ ଅନଶନରେ ବସିଛନ୍ତି ଚାଷୀନେତା ଅକ୍ଷୟ କୁମାର । ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରତିଶ୍ରୁତିକୁ ତୁରନ୍ତ ପାଳିବାକୁ ସେ ଦାବି କରିଛନ୍ତି । ଯଦି ଏଥିରେ ଅବହେଳା କରାଯିବ, ଆଗକୁ ସହରରେ ଚକା ଜାମ୍ ପରିସ୍ଥିତି ଉପୁଜିବ ବୋଲି ଚେତାବନୀ ଦେଇଛନ୍ତି ।
ନବ ନିର୍ମାଣ କୃଷକ ସଂଗଠନ ପକ୍ଷରୁ ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର ସପ୍ତାହେ ତଳୁ ଏହି ଅନଶନ ଆରମ୍ଭ କରିଛନ୍ତି । ଜଟଣୀ ବିରିବନ୍ଧସ୍ଥିତ ଅଫିସ୍ରେ ଚାଲିଥିବା ଏହି ଅନଶନରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଚାଷୀ ନେତା ଆସି ତାଙ୍କୁ ଭେଟୁଛନ୍ତି । ସମର୍ଥନ ବି ଜଣାଉଛନ୍ତି । ବଳ ଜୁଟାଉଛନ୍ତି ।
ଏ ଅବସରରେ ଅକ୍ଷୟ କୁମାର କରିଛନ୍ତି, ନିର୍ବାଚନ ଜିତିବା ପାଇଁ କାଳିଆ ନାଁରେ ଚାଷୀଙ୍କ ଉପରେ ଏକ ଥୋପ ପକାଇଥିଲେ ମୁଖ୍ୟମନ୍ତ୍ରୀ । କହିଥିଲେ, ଜଣେ ବି ଯୋଗ୍ୟ ଚାଷୀ କାଳିଆ ଯୋଜନାରୁ ବଞ୍ଚିତ ହେବେନି । ନିର୍ବାଚନ ଜିତିବାର ୨୪ ଘଣ୍ଟା ମଧ୍ୟରେ ସମସ୍ତଙ୍କ ଜନଧନ ଆକାଉଣ୍ଟକୁ ୧୦ ହଜାର ଟଙ୍କା ଲେଖାଏଁ ଟଙ୍କା ଜମା ହେବ । ହେଲେ ନିର୍ବାଚନ ଜିତିବା କିଛି ମାସ ପରେ ବି ଏ ଟଙ୍କା ଅଧିକାଂଶ ହିତାଧିକାରୀଙ୍କୁ ମିଳିନି । କୁଜି ନେତା ଓ ଅନ୍ୟ କିଛି ଦଲାଲ ଚାଷୀଙ୍କ ହକ୍ ଟଙ୍କାରେ ନିଜ ପକେଟ ଗରମ କରୁଛନ୍ତି । ଏପରିକି କିଛି ଚାଷୀଙ୍କୁ ମେସେଜ ମିଳିବା ପରେ ବି ଆକାଉଣ୍ଟକୁ ଟଙ୍କା ଯାଇନଥିବା ଦେଖିବାକୁ ମିଳୁଛି । ହେଲେ ଏ ବାବଦରେ ମୁଖ୍ୟମନ୍ତ୍ରୀ ଏବେ ପାଟି ଫିଟାଉ ନାହାନ୍ତି ।
ସରକାରଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ଅନଶନକୁ ସପ୍ତାହେ ପୂରଣ ହୋଇଥିଲେ ହେଁ ଜଣେ ବି ଜନପ୍ରତିନିଧିଙ୍କ ଦେଖା ମିଳୁନି । ତୁରନ୍ତ ସରକାର ଏ ବାବଦରେ ନିଷ୍ପତ୍ତି ନିଅନ୍ତୁ । ନଚେତ ଆଗକୁ ଚାଷୀଙ୍କ ଉଗ୍ରରୂପ ଦେଖିବାକୁ ମିଳିବ । ଆବଶ୍ୟକ ପଡିÿଲେ, ରାଜଧାନୀର ଦୁଇ ପ୍ରମୁଖ ପ୍ରବେଶ ପଥକୁ ବନ୍ଦ କରାଯିବ । ରାଜ୍ୟ ସଂଯୋଜକ ଶେଷଦେବ ନନ୍ଦ, ସହସଂଯୋଜକ ଉମାକାନ୍ତ ରାଉତ ପ୍ରମୁଖ ଅନଶନରେ ଉପସ୍ଥିତ ଅଛନ୍ତି ।
Comments are closed, but trackbacks and pingbacks are open.