ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଆଜି ଇଂରାଜି ନୂଆବର୍ଷରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବା ଲାଗି ଲୋକଙ୍କ ମଧ୍ୟରେ ପ୍ରବଳ ଉ+ଣ୍ଠା ପ୍ରକାଶ ପାଇଥିଲା । ରାଜ୍ୟ ଓ ଦେଶର ବିଭିନ୍ନ ଅଞ୍ଚଳରୁ ଯାତ୍ରୀଙ୍କ ସମାଗମ ସକାଳୁ ସନ୍ଧ୍ୟା ଯାଏ ଲାଗି ରହିଥିଲା । ଦିନତମାମ ୫୦ ହଜାରରୁ ଉଦ୍ଧ୍ୱର୍ ଲୋକ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରି ଫେରିଥିବା ଜଣାପଡ଼ିଛି ।
ଆଜି ପ୍ରତୁ୍ୟଷରୁ ଠାକୁରଙ୍କୁ ଦର୍ଶନ କରିବା ଲାଗି ଭକ୍ତଗଣ ସିଂହଦ୍ୱାର ସମୀପରେ ଧାଡ଼ି ଲଗାଇଥିଲେ । ମନ୍ଦିରର ମୁଖ୍ୟ ଦରଜା ଖୋଲାଯିବା ପରେ ପୁଲିସ ତଦାରଖରେ ଲୋକଙ୍କୁ ଶୃଙ୍ଖଳିତ ଭାବେ ବେଢ଼ା ମଧ୍ୟକୁ ପ୍ରବେଶ କରାଯାଇଥିଲା । ଠାକୁରଙ୍କ ଆଳତୀ, ଅବକାଶ ଓ ବେଶ ନୀତି ସମ୍ପନ୍ନ ପରେ ଭକ୍ତଙ୍କୁ ସାହାଣ ମେଲା ଦର୍ଶନର ସୁଯୋଗ ମିଳିଥିଲା । ହଜାର ହଜାର ଲୋକ ଠାକୁରଙ୍କୁ ଦର୍ଶନ କରି ପୂଜାର୍ଚ୍ଚନା କରିଥିଲେ । ଅପରାହ୍ଣ ୩ଟା ପର୍ଯ୍ୟନ୍ତ ଧାଡ଼ି ଲାଗି ରହିଥିଲା । ସକାଳୁ ସଞ୍ଜ ଯାଏ ରାଜ୍ୟ ଓ ଦେଶର ବିଭିନ୍ନ ଅଞ୍ଚଳରୁ ଯାତ୍ରୀବାହୀ ବସ୍ ଗୁଡ଼ିକର ଲମ୍ବା ଲାଇନ୍ ଲାଗିଥିଲା । ମନ୍ଦିର ପୂର୍ବ ପଟ ଫାଙ୍କା ହୋଇ ଯାଇଥିବାରୁ ଗାଡ଼ି ପାର୍କିଂ କରିବା ସହଜ ହୋଇଥିଲା । ରାତି ୯ଟା ପର୍ଯ୍ୟନ୍ତ ମନ୍ଦିରରେ ଭିଡ଼ ଲାଗି ରହିଥିଲା । ବହୁ ଲୋକ ଏକାମ୍ର ଯୋଜନା ମୁତାବକ ଶ୍ରୀଲିଙ୍ଗରାଜ ମନ୍ଦିରର ପୂର୍ବ ଦିଗର ପରିବର୍ତ୍ତିତ ସ୍ଥିତି ବୁଲି ଦେଖିଥିଲେ ।
Comments are closed, but trackbacks and pingbacks are open.