ସ୍ତ୍ରୀକୁ ମାରି ପୋତିଦେଲା ସ୍ୱାମୀ

Get real time updates directly on you device, subscribe now.

ଜୟପୁର,(ବି.ବି.ନୁ୍ୟଜ୍): ସ୍ତ୍ରୀ ଖର୍ଚ୍ଚ କରିଦେଲା ମାତ୍ର ୩୦୦ ଟଙ୍କା । ଏଥିରେ ରାଗିଯାଇ ସ୍ୱାମୀ ଘଟାଇଛି ନାରକୀୟ କାଣ୍ଡ । ପତ୍ନୀ ଡମୁଣୀ ପରଜା(୩୦)ଙ୍କୁ ହତ୍ୟା କରି ପୋତି ଦେଇଛି ମଶାଣିରେ । ଏଭଳି ଅମାନବୀୟ ଘଟଣା ଘଟିଛି ସହର ଉପକଣ୍ଠ ବ୍ରାହ୍ମଣୀଗାଁର ନୂଆଗୁଡ଼ାରେ । ଏହି ମାମଲାରେ ସଦର ପୁଲିସ୍ ମୁଖ୍ୟ ଅଭିଯୁକ୍ତ ତଥା ଡମୁଣୀଙ୍କ ସ୍ୱାମୀ ରମେଶ ବାଘ(୪୦)କୁ ଗିରଫ କରିଛି । ଏହି କାମରେ ତାଙ୍କୁ ସହଯୋଗ କରିଥିବା ଅନ୍ୟ ୪ ଜଣଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଫରେନସିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଅନ୍ୟପକ୍ଷରେ ମାଜିଷ୍ଟେ୍ରଟ ନୀଳାମ୍ବର ପୂଜାରୀଙ୍କ ଉପସ୍ଥିତିରେ କବର ଖୋଳାଯାଇ ଜବତ କରାଯାଇଛି ମୃତଦେହ । ବ୍ୟବଚ୍ଛେଦ କରାଯିବା ପରେ ସମ୍ପର୍କୀୟଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଅତିରିକ୍ତ ଏସ୍ପି ଉକ୍ରଳ ରଞ୍ଜନ ଦାସ କହିଛନ୍ତି ।
ପୁଲିସ ସୂଚନା ଅନୁଯାୟୀ, ରମେଶ ଏବଂ ଡମୁଣୀ କୁଲିକାମ କରି ଚଳୁଥିଲେ । ୨ ତାରିଖରେ ରମେଶ ୩୦୦ ଟଙ୍କା ଦେଇଥିଲା ଡମୁଣୀଙ୍କୁ । ରାତି ପ୍ରାୟ ୯ଟା ବେଳେ ମଦ ପିଇ ଘରେ ପହଞ୍ଚିଥିଲା । ସେ ଦେଇଥିବା ଟଙ୍କା କୁଆଡେ ଗଲା ବୋଲି ପଚାରିଥିଲା । ଘର ସାମାନ କିଣାରେ ଟଙ୍କା ଖର୍ଚ୍ଚ ହୋଇଯାଇଥିବା କହିଥିଲେ ଡମୁଣୀ । ଏଥିରେ ଉତ୍ତ୍ୟକ୍ତ ହୋଇ ରମେଶ ଗାଳିଗୁଲଜ କରିଥିଲା । ବିଧା, ଗୋଇଠା ମାରିଥିଲା । ଚିକ୍ରାର ଶୁଣି ପାଖରେ ରହୁଥିବା ଡମୁଣୀଙ୍କ ସାନଭାଇ ପୂର୍ଣ୍ଣ ମାଝି ପହଞ୍ଚିଥିଲେ । ଏହି ସମୟରେ ଡମୁଣୀ ତଳେ ପଡିଥିଲେ । ଉଭୟଙ୍କୁ ବୁଝାଶୁଝା କରି ଚାଲିଯାଇଥିଲେ । ଏତିକିରେ ଝଗଡା ଥମିନଥିଲା । ରାତିରେ ପୁଣି ଥରେ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ସକାଳେ ଭଉଣୀଙ୍କ ଘରେ ପହଞ୍ଚିଥିଲେ ପୂର୍ଣ୍ଣ । ସେତେବେଳକୁ ଡମୁଣୀ ଘର ଚଟାଣରେ ପଡିଥିଲେ । ଚାରିଆଡେ ରକ୍ତର ଛିଟା ପଡିଥିଲା । ପଚାରିବାରୁ ରାତିରେ ଡମୁଣୀଙ୍କ ମୃତୁ୍ୟ ହୋଇଗଲା ବୋଲି କହିଥିଲା ରମେଶ । ଏହାପରେ ପୂର୍ଣ୍ଣ ସେଠାରୁ ଚାଲି ଆସିଥିଲେ । ପରେ ସ୍ତ୍ରୀର ମୃତୁ୍ୟ ସମ୍ପର୍କରେ କାହାକୁ କିଛି ନଜଣାଇ ରମେଶ କେତେକ ସହଯୋଗୀଙ୍କ ସହାୟତାରେ ୩ ତାରିଖରେ ଗାଁ ପାଖ ମଶାଣୀରେ ଶବକୁ କବର ଦେଇଥିଲା । ରକ୍ତ ଜୁଡୁବୁଡୁ ଲୁଗା ଲୁଚାଇବା ପରେ ଘରଦ୍ୱାର ସଫା କରିଦେଇଥିଲା ।
ଶୁକ୍ରବାର ରାତିରେ ଖବର ପହଞ୍ଚିଥିଲା ସଦର ଥାନାରେ । ଓଆଇସି ଶିବଶଙ୍କର ସାହୁ ସଦଳବଳେ ପହଞ୍ଚିଥିଲେ ବ୍ରାହ୍ମଣୀଗାଁରେ । ଗାଁର କେହି ହେଲେ ଏ ସମ୍ପର୍କରେ କିଛି ଜାଣିନଥିବା କହିଥିଲେ । ଅଭିଯୁକ୍ତ ରମେଶର ଘର ବି ଜଣାପଡିନଥିଲା । ଖୋଳତାଡ ପରେ ବିଳମ୍ବିତ ରାତିରେ ଶବପୋତା ଯାଇଥିବା ସ୍ଥାନ ଚିହ୍ନଟ ହୋଇଥିଲା । ମଶାଣିରେ ପୁଲିସ ମୁତୟନ କରାଯାଇଥିଲା । ଆଜି ସକାଳେ ପୂର୍ଣ୍ଣ ଏ ସମ୍ପର୍କରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ରମେଶ ତାଙ୍କ ଭଉଣୀଙ୍କୁ ମାରିଦେଇଥିବା ଏତଲାରେ ଦର୍ଶାଇଥିଲେ । ରମେଶ ଘର ଚିହ୍ନଟ କରାଯିବା ପରେ ତାକୁ ଗିରଫ କରିଥିଲା ପୁଲିସ । ମୃତକଙ୍କ ରକ୍ତଭିଜା ଲୁଗା ଜବତ କରିଥିଲା । କବରଦେବା କାମରେ ସହଯୋଗ କରିଥିବା ଅନ୍ୟ ୪ଜଣଙ୍କୁ ବି ଚିହ୍ନଟ କରାଯାଇଥିଲା । ମାଜିଷ୍ଟେ୍ରଟ୍ ଶ୍ରୀ ପୂଜାରୀ ମଶାଣିରେ ପହଞ୍ଚିବା ପରେ କବର ଖୋଳା ଯାଇଥିଲା । ଶବ ଜବତ କରାଯାଇ ତଦନ୍ତ ଆରମ୍ଭ ହୋଇଥିଲା । ସୂଚନାଥାଉକି, ଡମୁଣୀ ୧୦-୧୨ ବର୍ଷ ତଳେ ମାଣ୍ଡିଆଭଟ୍ଟା ଗାଁରେ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଅଛି । ଗତ ୮ ବର୍ଷ ତଳେ ରମେଶ ଡମୁଣୀଙ୍କୁ ଜବରଦସ୍ତ ଉଠାଇ ନେଇ ବିବାହ କରିଥିଲା ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons