ଭୋଗରାଇ,(ବି.ବି.ନୁ୍ୟଜ୍): ଜଣେ ନୁହେଁ, ଏକାଧିକ ମହିଳାଙ୍କ ବାଥ୍ରୁମ୍ର ଫଟୋ ଉଠାଇ ଧରାପଡ଼ିଥିବା ତିନି ଯୁବକଙ୍କୁ ଗ୍ରାମବାସୀ ନିସ୍ତୁକ ପିଟିଛନ୍ତି । ଏହା ପରେ ବି ଗ୍ରାମବାସୀ ସେମାନଙ୍କୁ ନଛାଡ଼ି ଖୁଣ୍ଟରେ ବାନ୍ଧି ଅଟକ ରଖିଛନ୍ତି । ହେଲେ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି । ଏମିତି ଘଟଣା ଘଟିଛି ଭୋଗରାଇ ବ୍ଲକ୍ ଗୁନାଇବସାଣ ଗାଁରେ । ଅଭିଯୁକ୍ତ ଯୁବକମାନେ ହେଲେ ସେହି ଗ୍ରାମର କାର୍ତ୍ତିକ ପ୍ରଧାନ (୧୯), ବିକାଶ ଦତ୍ତ (୨୫) ଓ ପରେଶ ଦତ୍ତ (୨୪) । ତିନିହେଁ ଡିସେମ୍ବର ୩୧ ତାରିଖ ବିଳମ୍ବିତ ରାତିରେ ଗ୍ରାମର ୭ଜଣ ମହିଳାଙ୍କ ବାଥ୍ରୁମ୍ରେ ଥିବା ସମୟର ଫଟୋ ନିଜ ନିଜ ମୋବାଇଲରେ ଉଠାଇଥିଲେ । ମହିଳାମାନେ ରାତିରେ ନିଜ ନିଜର ବାଥ୍ରୁମ୍କୁ ଯାଇଥିଲା ବେଳେ ଏହି ୩ ଯୁବକ ସେମାନଙ୍କ ଅଜାଣତରେ ଫଟୋ ଉଠାଉଥିଲେ । ଏହା ଜଣାପଡ଼ିବା ପରେ ସେମାନଙ୍କୁ ଖୋଜା ଚାଲିଥିଲା । ହେଲେ ଆଜି ସକାଳେ କୌଣସି ସୂତ୍ରରୁ ସୁରାକ ମିଳିବା ପରେ ଗ୍ରାମବାସୀ ଚିହ୍ନଟ କରି ସେମାନଙ୍କ ମୋବାଇଲ ଯାଞ୍ଚ୍ କରିଥିଲେ । ସେଥିରୁ ସେହି ସମସ୍ତ ଫଟୋ ଦେଖିବା ପରେ ଗାଁରେ ଉତ୍ତେଜନା ପ୍ରକାଶ ପାଇଥିଲା । ଉତ୍ତ୍ୟକ୍ତ ଗ୍ରାମବାସୀ ସେହି ୩ଜଣଙ୍କୁ ଖୁଣ୍ଟରେ ବାନ୍ଧି ନିର୍ଧୁମ ଛେଚିଥିଲେ । ଏ ଘଟଣାରେ ଉତ୍କ୍ଷିପ୍ତ ମହିଳାମାନେ ମଧ୍ୟ ସେମାନଙ୍କୁ ଛାଡ଼ି ନଥିଲେ । ସେମାନେ ମାରଧର କରୁଥିବା ବେଳେ ଅଭିଯୁକ୍ତ ବିକାଶ ମୁଥ ମାରି ଜଣେ ମହିଳାଙ୍କ ନାକ ଫଟାଇ ଦେଇଥିଲା । ଏହାକୁ ନେଇ ପୁଣି ଉତ୍ତେଜନା ତେଜିଥିଲା । ରିପୋର୍ଟ ଲେଖାହେବା ପର୍ଯ୍ୟନ୍ତ ଫଟୋ ଉଠାଇଥିବା ୩ ଯୁବକ ଖୁଣ୍ଟରେ ବନ୍ଧା ହୋଇ ରହିଥିଲେ । ସର୍ବଶେଷ ଖବର ମୁତାବକ ସନ୍ଧ୍ୟା ପରେ ଗାଁରେ ପଞ୍ଚାୟତ ବସି ସେମାନଙ୍କ ବିଚାର ହୋଇଥିଲା । ସଂପୃକ୍ତ ୩ ଯୁବକ କାନଧରି ବସ୍ଉଠ ହୋଇ କ୍ଷମା ମାଗିଥିଲେ । ସେମାନେ ତୁରନ୍ତ ଗାଁ ଛାଡ଼ି ଚାଲିଯିବେ, ୬ମାସ ପର୍ଯ୍ୟନ୍ତ ଗାଁକୁ ଫେରିବେ ନାହିଁ ବୋଲି ପଞ୍ଚାୟତ ନିଷ୍ପତ୍ତି ଜଣାଇ ଦେଇଥିଲା । ଅଭିଯୁକ୍ତମାନେ ନିଷ୍ପତ୍ତି ମାନିବା ପରେ ମୁକୁଳିଥିବା ଖବର ମିଳିଛି । ଏନେଇ ଥାନାରେ ଅଭିଯୋଗ ହୋଇନାହିଁ ।
Comments are closed, but trackbacks and pingbacks are open.