ପୁରୀ,(ବି.ବି.ବୁ୍ୟରୋ): ସୋମବାର ମହାପ୍ରଭୁଙ୍କ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା-୨୦୨୦ ପ୍ରସ୍ତୁତି ପର୍ବ ଶୁଭାରମ୍ଭ ହୋଇଛି । ଶ୍ରୀମନ୍ଦିର ପ୍ରଶାସନ ରଥ ନିର୍ମାଣ ପାଇଁ କାଠ ଯୋଗାଡ଼ କରିବାକୁ ପଦକ୍ଷେପ ନେଇଛି । ଆଜି ଅପରାହ୍ନରେ ୪ଜଣିଆ ପ୍ରତିନିଧି ଦଳ ଶ୍ରୀମନ୍ଦିର କାର୍ଯ୍ୟାଳୟରୁ ବାହାରି ନୟାଗଡ଼ ଯାତ୍ରା କରିଛନ୍ତି । ମଙ୍ଗଳବାର ବଡ଼ମୂଳସ୍ଥିତ ମା’ବଡ଼ରାଉଳ ଠାକୁରାଣୀଙ୍କୁ ପୂଜାର୍ଚ୍ଚନା କରାଯିବ । ସେଥିପାଇଁ ମହାପ୍ରଭୁଙ୍କ ମାଳ, ମାହାର୍ଦ୍ଧ, ଶ୍ରୀଫଳ ଆଦି ପୂଜା ସାମଗ୍ରୀ ସାଙ୍ଗରେ ନେଇଛନ୍ତି । ପାରମ୍ପରିକ ବିଧି ମତେ ରଥ କାଠ ଚିହ୍ନଟ ଅନୁକୂଳ ହେବ । ସରସ୍ୱତୀ ପୂଜା ପୂର୍ବରୁ ପ୍ରଥମ ଦଫା ରଥ କାଠ ଶ୍ରୀକ୍ଷେତ୍ରରେ ପହଞ୍ଚିବ ।
ଶ୍ରୀମନ୍ଦିର ବରିÂ ତତ୍ତ୍ୱାଧାରକ ସୁଦର୍ଶନ ମେକାପଙ୍କ ନେତୃତ୍ୱରେ, ରଥ କାଠ ଅମିନ ଲକ୍ଷ୍ମଣ ମହାପାତ୍ର, ନନ୍ଦିଘୋଷ ରଥ ମୁଖ୍ୟ ବିଶ୍ୱକର୍ମା ବିଜୟ କୁମାର ମହାପାତ୍ର ଓ ଭୋଇ ସର୍ଦ୍ଧାର ରବି ଭୋଇ ନୟାଗଡ଼ ଯାତ୍ରା କରିଛନ୍ତି । ତତ୍ତ୍ୱାବଧାରକ ଶ୍ରୀ ମେକାପ କୁହନ୍ତି ରଥକୋଡ୍ ଅନୁସାରେ ନୟାଗଡ଼ ବନଖଣ୍ଡ ପକ୍ଷରୁ ରଥ ନିର୍ମାଣ ପାଇଁ ସମସ୍ତ କାଠ ଯୋଗାଯାଏ । ଶ୍ରୀବଳଭଦ୍ରଙ୍କ ତାଳଧ୍ୱଜ, ଦେବୀ ସୁଭଦ୍ରାଙ୍କ ଦେବଦଳନ ଓ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ନିର୍ମାଣ ପାଇଁ ୮୬୫ ଖଣ୍ଡ କାଠର ଆବଶ୍ୟକତା ହୋଇଥାଏ । ପୂର୍ବ ବର୍ଷ ଠାରୁ ୧୯୩ ଖଣ୍ଡ କାଠ ଶ୍ରୀମନ୍ଦିର ପ୍ରଶାସନ ପାଖରେ ଗଛିତ ରହିଛି । ଚଳିତ ବର୍ଷ ଆଉ ୬୭୨ ଖଣ୍ଡ କାଠର ଆବଶ୍ୟକତା ରହିଛି । ଏଥିରେ ଅସନ, ଧଉରା, ଫାସୀ ଓ ଶିମିଳି ଆଦି କାଠ ରହିଥିବା କହିଛନ୍ତି ଶ୍ରୀ ମେକାପ । ୩୦ ତାରିଖ ସରସ୍ୱତୀ ପୂଜା ଅବସରରେ ରଥ କାଠ ପୂଜା କରାଯିବ ।
Comments are closed, but trackbacks and pingbacks are open.