୪୦ ପରିବାରକୁ ନିଆଁ, ପାଣି ବାସନ୍ଦ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): କୁଜଙ୍ଗ ଥାନାନ୍ତର୍ଗତ ତାଳଦଣ୍ଡା ଗ୍ରାମର ୪୦ ପରିବାରକୁ ନିଆଁ ପାଣି ବାସନ୍ଦ କରାଯାଇଛି । ଏମିତିକି ଶ୍ମଶାନ ମଧ୍ୟ ନିଷେଧ କରାଯାଇଛି । ଗ୍ରାମର ନିର୍ଦ୍ଧିଷ୍ଟ କିଛି ବ୍ୟକ୍ତିବିଶେଷଙ୍କ ପକ୍ଷରୁ ଏଭଳି ଫତ୍ୱା ଜାରି ପରେ ଏହିସବୁ ପରିବାରକୁ ବିଭିନ୍ନ କାର୍ଯ୍ୟରେ ଗାଁର ଅନ୍ୟ କେହି ସହଯୋଗ କରୁନାହାନ୍ତି । ପରିସ୍ଥିତି ଏଭଳି ସ୍ତରକୁ ଆସିଛି ଯେ, ଏହି ପରିବାରର ଲୋକମାନେ ଗାଁ ଦେବଦେବୀ ମନ୍ଦିରକୁ ଯାଇ ପୂଜାର୍ଚ୍ଚନା କରିପାରୁ ନାହାନ୍ତି । କୁଜଙ୍ଗ ଥାନା ପୁଲିସ ଏସବୁ ବିଷୟରେ ଅବଗତ ଥାଇ ସୁଦ୍ଧା କୌଣସି ପଦକ୍ଷେପ ଗ୍ରହଣ କରୁନଥିବା ଏସ୍ପିଙ୍କ ନିକଟରେ ଅଭିଯୋଗ କରାଯାଇଛି ।
ଅଭିଯୋଗ ବିବରଣୀ ମୁତାବକ, ତାଳଦଣ୍ଡା ଗ୍ରାମର ଶତକଡ଼ା ୯୫ ଭାଗ ମତ୍ସ୍ୟଜୀବୀ ପରିବାର । ତେବେ ଗତ କଳିଙ୍ଗ କର୍ଣ୍ଣଧାର କୋ-ଅପରେଟିଭ୍ ସୋସାଇଟିର ଭୋଟ୍ ସମୟରୁ ଦଳୀୟ ମନୋବୃତ୍ତି ରଖାଯାଇ ଗାଁର ନିର୍ଦ୍ଧିଷ୍ଟ ଏହି ୪୦ ପରିବାର ଉପରେ ଅକଥନୀୟ ଅତ୍ୟାଚାର କରାଯାଇ ଆସୁଛି । ଗ୍ରାମର ୮ ଜଣ ଲୋକ ହିଁ ଏଭଳି ଦବଙ୍ଗଗିରି ଚଳାଇ ୪୦ ପରିବାରକୁ ହୀନସ୍ତା କରି ଆସୁଛନ୍ତି । ଏପରିକି ଗ୍ରାମବାସୀଙ୍କ କୋଠରେ ଥିବା ଘେରିବନ୍ଧରୁ ମିଳୁଥିବା ଆୟ ଅର୍ଥର ଭାଗରୁ ଏହି ୪୦ ପରିବାରକୁ ବଞ୍ଚିତ ରଖାଯାଇଛି । ଗତ ତିନି ବର୍ଷ ହେଲାଣି ଏହି ୪୦ଟି ପରିବାରଙ୍କୁ ସେମାନଙ୍କ ନ୍ୟାଯ୍ୟ ଅଂଶ ବା ପ୍ରାପ୍ୟ ଦିଆନଯାଇ ଏହି ୮ ଜଣ ବ୍ୟକ୍ତି ନିଜ ନିଜ ଭିତରେ ପାଞ୍ଚ ହଜାର ଟଙ୍କା ଲେଖାଏଁ ବାଣ୍ଟି ନେଉଛନ୍ତି । ଓଲଟା ଦବଙ୍ଗଗିରି ଦେଖାଇ ଏହି ପରିବାରର ଲୋକମାନଙ୍କୁ ମିଛ କେସ୍ରେ ଫସାଇ ଦେବାକୁ ଧମକ ଦେବା ସହ ଅଶ୍ଲୀଳ ଗାଳି ଗୁଲଜ କରୁଥିବା, ଜୀବନରୁ ମାରିଦେବାକୁ ଧମକ ଦେଇ ନାଲିଆଖି ଦେଖାଉଥିବା ଅଭିଯୋଗ ପତ୍ରରେ ଉଲ୍ଲେଖ କରାଯାଇଛି । ପୂର୍ବରୁ ଏହି ଆଠ ଜଣ ଆକ୍ରମଣ କରିଥିବାର ରେକର୍ଡ ମଧ୍ୟ କୁଜଙ୍ଗ ଥାନାରେ ମହଜୁଦ୍ ଅଛି । ତଥାପି କୁଜଙ୍ଗ ପୁଲିସ ଏହି ଧନୀକ ଶ୍ରେଣୀର ଆଠ ଜଣଙ୍କ ପ୍ରତି ଅହେତୁକ ଅନୁକମ୍ପା ପ୍ରଦର୍ଶନ କରି ୪୦ଟି ଗରିବ ପରିବାରବର୍ଗଙ୍କ ପ୍ରତି ପରୋକ୍ଷରେ ଉପହାସ କରୁଥିବା ଅଭିଯୋଗପତ୍ରରେ ଦର୍ଶାଯାଇଛି । ଏନେଇ ଗୋକୁଳାନନ୍ଦ ପଣ୍ଡା, ନାରାୟଣ ଚନ୍ଦ୍ର ପଣ୍ଡା, ଗୋପୀ ବେହେରା, ଶତ୍ରୁଘ୍ନ ସାମଲ, ଗୋବିନ୍ଦ ପଣ୍ଡା, ପବିତ୍ର ବେହେରା, ଅଜୟ ସାମଲ, ବିଦ୍ୟାଧର ମାଝୀ, କ୍ଷୀରୋଦ ରାଉତ, ଅଭିରାମ ବେହେରା, ଶିଶିର ବେହେରା, ଅରକ୍ଷିତ ତରାଇ, ତ୍ରିଭୁବନ ମାଝୀ, ମଣ୍ଟୁ ମାଝୀ, ଗୋବର୍ଦ୍ଧନ ମାଝୀ, ସୁରେନ୍ଦ୍ର ବେହେରା ପ୍ରମୁଖ ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଅଭିଯୋଗ ଆଣି କାର୍ଯ୍ୟାନୁÂାନ ଦାବି କରିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons