ବ୍ରହ୍ମପୁରରେ ବିଜେପିର ସିଏଏ ସମର୍ଥନ ରାଲିରେ କେନ୍ଦ୍ର ମନ୍ତ୍ରୀ ବାବୁଲ୍ ସୁପ୍ରିୟୋ

Get real time updates directly on you device, subscribe now.

ବ୍ରହ୍ମପୁର, (ବି.ବି.ବୁ୍ୟରୋ): କଂଗ୍ରେସ ହେଉ କି ତୃଣମୂଳ କଂଗ୍ରେସ ଅଥବା ବାମ ଦଳ ସେମାନେ ରାଜନୈତିକ ଦେବାଳିଆ ହୋଇଗଲେଣି । ସେମାନଙ୍କ ପାଖରେ ସରକାର ବିରୋଧୀ ଆଉ କୌଣସି ପ୍ରସଙ୍ଗ ନାହିଁ । ତେଣୁ ସେମାନେ ସିଏଏ ବିରୋଧରେ ଅପପ୍ରଚାର କରୁଛନ୍ତି, ହିଂସା ଘଟାଉଛନ୍ତି । ମାତ୍ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହଙ୍କ ସଶକ୍ତ ଓ ସଠିକ୍ ନେତୃତ୍ୱାଧୀନ ସରକାର ବିଦେଶରୁ ନିର୍ଯାତିତ ହୋଇ ଆସିଥିବା ସଂଖ୍ୟାଲଘୁ ଶରଣାର୍ଥୀଙ୍କୁ ଆଶ୍ରୟ ଦେବ ବୋଲି କହିଛନ୍ତି କେନ୍ଦ୍ର ଜଙ୍ଗଲ ଓ ପରିବେଶ ରାଷ୍ଟ୍ରମନ୍ତ୍ରୀ ବାବୁଲ୍ ସୁପ୍ରିୟୋ । ଶୁକ୍ରବାର ବ୍ରହ୍ମପୁରରେ ନାଗରିକତା ସଂଶୋଧନ ଆଇନ (ସିଏଏ) ସମର୍ଥନରେ ବିଜେପିର ପଦଯାତ୍ରା ଓ ସାଧାରଣ ସଭାରେ ସେ ଯୋଗ ଦେଇ ଏହା କହିଛନ୍ତି ।
କେନ୍ଦ୍ର ମନ୍ତ୍ରୀ ଆହୁରି କହିଛନ୍ତି ଯେ ଆମେ ସମ୍ବିଧାନର ଧାରା ୩୭୧କୁ ଛୁଇଁନୁ । ଏହା ଭାରତର କୌଣସି ଧର୍ମର କୌଣସି ବ୍ୟକ୍ତିଙ୍କ ନାଗରିକତାକୁ ପ୍ରଭାବିତ କରିବନି । କେବଳ ନିର୍ଦ୍ଧିଷ୍ଟ ୩ଟି ପଡେ଼ାଶୀ ଦେଶରେ ଧାର୍ମିକ କାରଣରୁ ନିର୍ଯାତିତ ସଂଖ୍ୟାଲଘୁ ଲୋକଙ୍କୁ ଏହି ଆଇନ ଜରିଆରେ ଭାରତରେ ନାଗରିକତା ଦେବାର ବ୍ୟବସ୍ଥା ହୋଇଛି । ଆମର ସଂସ୍କୃତି ରହିଛି ଅତିଥି ନାରାୟଣ, ବସୁଧୈବ କୁଟୁମ୍ବକମ୍ । ୧୯୫୦ରେ ନିଷ୍ପତ୍ତି ହୋଇଥିଲା ଯେ ଭାରତ- ପାକିସ୍ତାନ ପରସ୍ପର ଦେଶର ସଂଖ୍ୟାଲଘୁମାନଙ୍କୁ ସୁରକ୍ଷା ଓ ଶରଣ ଦେବେ । ମାତ୍ର ଉପରୋକ୍ତ ତିନି ଦେଶରେ ସଂଖ୍ୟାଲଘୁଙ୍କ ସଂଖ୍ୟା କମିଛି । ସେମାନଙ୍କ ଉପରେ ଅତ୍ୟାଚାର ହେଉଛି, ଧର୍ମ ପରିବର୍ତ୍ତନ କରାଯାଉଛି । ନାରୀଙ୍କ ମର୍ଯ୍ୟଦାହାନି କରାଯାଉଛି । ତେଣୁ ସେମାନେ ସମ୍ମାନ ଓ ଶାନ୍ତିରେ ରହିବା ପାଇଁ ଭାରତର ଆଶ୍ରୟ ନେବାକୁ ଆସୁଛନ୍ତି । ଯେତେବେଳେ ଲାଲକୃଷ୍ଣ ଆଡ୍ଭାନୀ ଉପପ୍ରଧାନମନ୍ତ୍ରୀ ଥିଲେ ସେତେବେଳେ ରାଜ୍ୟସଭାରେ କଂଗ୍ରେସ ନେତା ମନମୋହନ ସିଂହ ବାଂଲାଦେଶରୁ ନିର୍ଯାତିତ ହୋଇ ଆସିଥିବା ହିନ୍ଦୁଙ୍କ ପ୍ରତି ଦେଶ ଧ୍ୟାନ ଦେବାକୁ ଗୃହରେ ଦାବି କରିଥିଲେ । ସେତେବେଳେ ରାଜ୍ୟସଭା ଉପାଧ୍ୟକ୍ଷ ନଜ୍ମା ହେପାତୁଲ୍ଲା ପାକିସ୍ତାନରେ ମଧ୍ୟ ହିନ୍ଦୁମାନେ ପୀଡ଼ିତ ହୋଇ ଆସୁଥିବା ମତବ୍ୟକ୍ତ କରିଥିଲେ । କେବଳ ଏତିକି ନୁହେଁ ଉଗାଣ୍ଡାର ଏକଛତ୍ରବାଦୀ ଶାସକ ଯେତେବେଳେ ଗୁଜୁରାଟୀଙ୍କୁ ତାଙ୍କ ଦେଶରୁ ବିତାଡିÿତ କରି ଦେଇଥିଲେ ସେତେବେଳେ ଇନ୍ଦିରା ଗାନ୍ଧୀ ସେମାନଙ୍କୁ ଶରଣ ଦେଇଥିଲେ । ଶ୍ରୀଲଙ୍କାରୁ ତଡାÿ ଖାଇ ଆସିଥିବା ସିଂହଳୀ ହିନ୍ଦୁମାନଙ୍କୁ ମଧ୍ୟ ରାଜୀବ ଗାନ୍ଧି ଆଶ୍ରୟ ଦେଇଥିଲେ । ଅପରପକ୍ଷରେ ଏହି ଦେଶଗୁଡ଼ିକ ସମେତ ଅନ୍ୟ ଦେଶର ମୁସଲିମ୍ମାନେ ମଧ୍ୟ ଭାରତରେ ନାଗରିକତା ପାଇଁ ଆବେଦନ କରିପାରିବେ । ସେଥିରେ କୌଣସି କଟକଣା ନାହିଁ । ଅଥଚ କଂଗ୍ରେସ, ଟିଏମ୍ସି, ବାମ ଦଳ ମିଥ୍ୟା ପ୍ରଚାର କରୁଛନ୍ତି । ମିଥ୍ୟାର କେବେ ବିଜୟ ହେବନି । ଉତ୍ତମ ବିଚାରର ହିଁ ବିଜୟ ହେବ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ।
ସାଧାରଣ ସଭାରେ ଉଦ୍ବୋଧନ ଦେଇ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ତଥା ମୁଖପାତ୍ର ବୈଜୟନ୍ତ ପଣ୍ଡା କହିଥିଲେ ଯେ ଦେଶର ସ୍ୱାଧୀନତା ବେଳେ ମହାତ୍ମାଗାନ୍ଧୀ ୨ଟି କଥା କହିଥିଲେ । ପ୍ରଥମ କଥା ଆମ ଦେଶରେ ସଂଖ୍ୟାଲଘୁଙ୍କୁ ସୁରକ୍ଷା ମିଳିବ । ଏଯାବତ୍ ଆମ ଦେଶରେ ସଂଖ୍ୟାଲଘୁ ସୁରକ୍ଷିତ, ସ୍ୱାଭିମାନର ସହ ବଞ୍ଚିଛନ୍ତି । ଗାନ୍ଧିଜୀଙ୍କ ଦ୍ୱିତୀୟ ଆଶ୍ୱାସନା ଯେ ପାକିସ୍ତାନରେ ରହି ଯାଇଥିବା ହିନ୍ଦୁମାନେ ସୁରକ୍ଷିତ ନରହିଲେ ଭାରତ ସବୁବେଳେ ସେମାନଙ୍କୁ ଆଶ୍ରୟ ଦେବ । ଏବେ ସେହି ମୁତାବକ ଆଇନ କରାଯାଇଛି । ତେବେ କେବଳ ମୋଦିଜୀ ଏହି ଆଇନ ଆଣିଛନ୍ତି ବୋଲି ନାନାଦି ଅପପ୍ରଚାର କରାଯାଉଛି । ମାତ୍ର ଏହି ଆଇନ ଦ୍ୱାରା ଦେଶର କୌଣସି ନାଗରିକଙ୍କ ଉପରେ କୌଣସି ପ୍ରଭାବ ପଡ଼ିବନି । ସଂସଦରେ ଏହି ଆଇନ ଗୃହୀତ ହୋଇସାରିଛି ଓ ଦେଶରେ ଲାଗୁ ହେବ ।
ଆଜି ବ୍ରହ୍ମପୁରରେ ବିଜେପିର ଏହି ରାଲି କମାପଲ୍ଲୀ ଛକରୁ ବାହାରି ଟାଟାବେଞ୍ଜ୍ ଛକ, ଜନାନା ହସ୍ପିଟାଲ୍ ଛକ, ଖଲ୍ଲିକୋଟ କଲେଜ ଛକ, ପୁରୁଣା ବସ୍ଷ୍ଟାଣ୍ଡ୍, ଗିରି ମାର୍କେଟ୍ ହୋଇ ରାମଲିଙ୍ଗମ୍ ଟ୍ୟାଙ୍କ୍ ରୋଡ୍ ଠାରେ ପହଞ୍ଚିଥିଲା । ସେଠାରେ ସାଧାରଣ ସଭା ହୋଇଥିଲା । ରାଜ୍ୟ ମୁଖପାତ୍ର ଦିଲ୍ଲୀପ ମହାନ୍ତିଙ୍କ ସମେତ ଭୃଗୁ ବକ୍ସିପାତ୍ର, ଅନିତା ପ୍ରିୟଦର୍ଶିନୀ, ଗଞ୍ଜାମ ଜିଲ୍ଲା ସଭାପତି ବିଭୂତି ଭୂଷଣ ଜେନା, ଘୁମୁସର ଜିଲ୍ଲା ସଭାପତି ଗୋକୁଳାନନ୍ଦ ମଲ୍ଲିକ, ବିଭିନ୍ନ ବିଧାନସଭା ଆସନର ପୂର୍ବତନ ପ୍ରାର୍ଥୀ କାହ୍ନୁଚରଣ ପତି, ରଞ୍ଜନ ପୋଲାଇ, ବିଜୟ କୁମାର ସ୍ୱାଇଁ, ପିଙ୍କି ପ୍ରଧାନ, ମନୋରଞ୍ଜନ ଦ୍ୟାନସାମନ୍ତରା, ଦେବରାଜ ମହାନ୍ତି, ଭାରତୀ ବେହେରା, ପ୍ରଶାନ୍ତ କର, ପ୍ରଦୁ୍ୟମ୍ନ ନାୟକ, ନୀଳମଣି ବିଷୋୟୀଙ୍କ ସମେତ ଅନ୍ୟ ବହୁ ନେତା ଯୋଗ ଦେଇଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons