ଭୁବନେଶ୍ୱର,(ବି.ବି.ବୁ୍ୟରୋ): ୨୦୨୧ ଜନଗଣନା ଆରମ୍ଭ ପୂର୍ବରୁ ରାଜ୍ୟ ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । ରାଜ୍ୟରେ ସାମାଜିକ ଓ ଆର୍ଥିକ ପଛୁଆ ବର୍ଗ (ଏସଇବିସି)ଙ୍କ ସଂଖ୍ୟା ଜାଣିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ଆସନ୍ତା ଜନଗଣନା ବେଳେ ଜନଗଣନା ଫର୍ମରେ ସ୍ୱତନ୍ତ୍ର ସ୍ତମ୍ଭ ରଖି ଏସ୍ଇବିସିଙ୍କ ସଂପର୍କରେ ତଥ୍ୟ ସଂଗ୍ରହ କରାଯିବ । ତେବେ ଏଥିପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ ଦାବି ଉପସ୍ଥାପନ କରିବେ । ଯଦି ରାଜ୍ୟରେ ପଛୁଆବର୍ଗଙ୍କ ସଂପର୍କରେ ପ୍ରକୃତ ସୂଚନା ହସ୍ତଗତ ହେବ, ତେବେ ସେଇ ଅନୁସାରେ ଜନକଲ୍ୟାଣ ଯୋଜନା ପ୍ରଣୟନ କରିହେବ । ଏହାଦ୍ୱାରା ରାଜ୍ୟର ବିକାଶ ଆହୁରି ଆଗକୁ ଯିବ । ଜନଗଣନା ସହ ରାଜ୍ୟରେ ଏସଇବିସି/ ଅନ୍ୟ ପଛୁଆବର୍ଗଙ୍କ ଗଣତି ନେଇ ଆଗତ ପ୍ରସ୍ତାବକୁ ଶନିବାର କ୍ୟାବିନେଟ୍ ମୋହର ଲଗାଇଛି ।
ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ଗଣମାଧ୍ୟମକୁ ସୂଚନା ଦେଇ ପଞ୍ଚାୟତିରାଜ, ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି, ଓଡ଼ିଶା ହେଉଛି ବିଭିନ୍ନତାର ରାଜ୍ୟ । ଏଠାରେ ବିଭିନ୍ନ ବର୍ଗର ଲୋକ ବାସ କରି ଆସୁଛନ୍ତି । ସ୍ୱତନ୍ତ୍ର ପ୍ରଦେଶ ଗଠନର ୮୩ ବର୍ଷ ମଧ୍ୟରେ ଓଡ଼ିଶା ବିଭିନ୍ନ କ୍ଷେତ୍ରରେ ବିକାଶ କରିଛି । ମାତ୍ର ରାଜ୍ୟରେ ସାମଗ୍ରୀକ ବିକାଶ ସହ ସବୁ ବର୍ଗର ଉନ୍ନତି ପାଇଁ ଜାତିଭିତ୍ତିକ ଜନଗଣନାର ଆବଶ୍ୟକତା ରହିଛି । ୧୯୩୧ ପରେ ଦେଶରେ ଜାତିଭିତ୍ତିକ ଜନଗଣନା ହୋଇନାହିଁ । ତେଣୁ କ୍ୟାବିନେଟ୍ ରାଜ୍ୟରେ ଦୁର୍ବଳ ଓ ପଛୁଆବର୍ଗଙ୍କୁ ଚିହ୍ନଟ କରିବାକୁ ଆସନ୍ତା ଜନଗଣନା ବେଳେ ଏକତ୍ର ସମାନ ଫର୍ମରେ କିମ୍ବା ଅଲଗା ଫର୍ମରେ ଏମାନଙ୍କ ଗଣତି କରିବାକୁ ନିଷ୍ପତ୍ତି ନେଇଛି । ଏ ସଂପର୍କରେ ରାଜ୍ୟ କେନ୍ଦ୍ରକୁ ଅନୁରୋଧ କରିବ । ତୁରନ୍ତ କେନ୍ଦ୍ର ଏ ନେଇ ବିଜ୍ଞପ୍ତି ମଧ୍ୟ ଜାରି କରିବାକୁ ଆମେ ପ୍ରସ୍ତାବ ରଖିବୁ । ଏହି ଦୁର୍ବଳ ଶ୍ରେଣୀ ଲୋକମାନଙ୍କୁ ଚିହ୍ନଟ କରି ଯଦି ବିକାଶ ସ୍ରୋତରେ ସାମିଲ କରାଯାଏ ତେବେ ଏହା ମହାତ୍ମା ଗାନ୍ଧିଙ୍କ ୧୫୦ତମ ଜନ୍ମ ଶତବାର୍ଷିକୀରେ ଶ୍ରେÂ ଶ୍ରଦ୍ଧାଞ୍ଜଳି ହେବ ବୋଲି ଶ୍ରୀ ଜେନା କହିଛନ୍ତି ।
ଜାତିଭିତ୍ତିକ ଜନଗଣନା ପାଇଁ ଗତ ୮ରେ ମହାରାଷ୍ଟ୍ର ବିଧାନସଭାରେ ଏକ ସଂକଳ୍ପ ପ୍ରସ୍ତାବ ପାରିତ ହୋଇଯାଇଛି । ମାତ୍ର ଓଡ଼ିଶା ସରକାର ଆଉ ପାଦେ ଆଗକୁ ଯାଇ ଏହାକୁ କ୍ୟାବିନେଟରେ ପାରିତ କରାଇଛନ୍ତି । ଆମ ରାଜ୍ୟରେ ପ୍ରକୃତରେ କେତେ ସଂଖ୍ୟାରେ ପଛୁଆବର୍ଗ ଅଛନ୍ତି? କେଉଁ ଅଞ୍ଚଳରେ ଏମାନଙ୍କ ସଂଖ୍ୟା ଅଧିକ? ଏ ନେଇ ରାଜ୍ୟ ସରକାରଙ୍କ ପାଖରେ କୌଣସି ତଥ୍ୟ ନାହିଁ । ଏ ସୂଚନା ନଥିବାରୁ ସେ ବର୍ଗର ବିକାଶ ପାଇଁ ନିର୍ଦ୍ଧିଷ୍ଟ ଭାବେ ଯୋଜନା କରିବା ସମ୍ଭବପର ହେଉନାହିଁ । ଏପରିକି ଚାକିରି, ନାମଲେଖା ଆଦିରେ ସଂରକ୍ଷଣ ମଧ୍ୟ କରାଯାଇ ପାରୁନାହିଁ । ୨୦୧୧ ଜନଗଣନାରେ ସାମାଜିକ-ଆର୍ଥିକ ଜାତି ଜନଗଣନା ବିଭିନ୍ନ କ୍ଷେତ୍ରରେ ମାପଦଣ୍ଡ ଭାବେ ବ୍ୟବହାର ହୋଇଛି । ଏହାକୁ କେନ୍ଦ୍ର ମଧ୍ୟ ପ୍ରଶଂସା କରିଛି । ମାତ୍ର ୨୦୨୧ ଜନଗଣନାରେ ଏଭଳି ଜାତିଭିତ୍ତିକ ଜନଗଣନା ନେଇ କୌଣସି ପ୍ରସ୍ତାବ ରଖାଯାଇ ନାହିଁ । ଏପରିକି ୨୦୧୧ ଜନଗଣନାରେ କେଉଁ ରାଜ୍ୟରେ କେତେ ପଛୁଆ ଶ୍ରେଣୀର ଲୋକ ବାସ କରୁଛନ୍ତି ସେ ସଂପର୍କରେ ତଥ୍ୟ କେନ୍ଦ୍ର ସାର୍ବଜନୀନ କରୁନାହିଁ । ଉପା ସରକାର ସେ ତଥ୍ୟକୁ ଲୁଚାଇ ରଖିଥିଲା ବେଳେ ପରବର୍ତ୍ତୀ ସମୟରେ ଏନଡିଏ ସରକାର ମଧ୍ୟ ଏ ତଥ୍ୟକୁ ସାଧାରଣରେ ପ୍ରକାଶ କରୁନାହାନ୍ତି । ଏହି ତଥ୍ୟ ରାଜ୍ୟଗୁଡ଼ିକର ହସ୍ତଗତ ହେଉନଥିବାରୁ ପଛୁଆବର୍ଗଙ୍କ ବିକାଶ ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇପାରୁ ନାହାନ୍ତି ।
ବାସ୍ତବତାକୁ ଦୃଷ୍ଟିରେ ରଖି ଆସନ୍ତା ଏପ୍ରିଲରୁ ଆରମ୍ଭ ହେବାକୁ ଥିବା ଜନଗଣନାରେ ଏସଇବିସି/ଅନ୍ୟ ପଛୁଆବର୍ଗ/ଜାତିଙ୍କୁ ଗଣତି କରିବାକୁ କ୍ୟାବିନେଟ୍ ନିଷ୍ପତ୍ତି ନେଇ କେନ୍ଦ୍ରର ଦ୍ୱାରସ୍ଥ ହେବ । ସାମାଜିକ, ଆର୍ଥିକ ଓ ଶିକ୍ଷାଗତ ଦୃଷ୍ଟିକୋଣରୁ ପଛୁଆ ଶ୍ରେଣୀର ଉନ୍ନତି ପାଇଁ ରାଜ୍ୟମାନେ ସ୍ୱତନ୍ତ୍ର ପଦକ୍ଷେପ ନେଇପାରିବେ । ସମ୍ବିଧାନର ଧାରା ୧୫ (୪) ରେ ରାଜ୍ୟଗୁଡ଼ିକୁ ଏ ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରାଯାଇଛି । ସାମାଜିକ ସୁରକ୍ଷା ଦୃଷ୍ଟିରୁ ଧାରା ୧୬ (୪)ରେ ରାଜ୍ୟ ସରକାର ଚାକିରି କ୍ଷେତ୍ରରେ ସଂରକ୍ଷଣ ହାର ମଧ୍ୟ ଧାର୍ଯ୍ୟ କରିପାରିବେ । ଏପରିକି ସୁପ୍ରିମକୋର୍ଟ ସ୍ପଷ୍ଟ ରାୟ ଦେଇଛନ୍ତି ଯେ, ରାଜ୍ୟଗୁଡ଼ିକ ପଛୁଆବର୍ଗଙ୍କ ବିକାଶ ପାଇଁ ସଂରକ୍ଷଣର ହାର ବଢ଼ାଇପାରିବେ ମାତ୍ର ସେ ବର୍ଗର ନିର୍ଦ୍ଧିଷ୍ଟ ସଂଖ୍ୟା ସଂପର୍କରେ ରାଜ୍ୟ ନିକଟରେ ତଥ୍ୟ ଥିବା ଦରକାର । ରାଜ୍ୟ ନିକଟରେ ଏହି ତଥ୍ୟ ନଥିବାରୁ ରାଜ୍ୟ ସରକାର ଚାହିଁଲେ ମଧ୍ୟ ନାମଲେଖା କିମ୍ବା ପଛୁଆବର୍ଗଙ୍କ ପାଇଁ ଅଧିକ ସଂରକ୍ଷଣ କରିପାରୁ ନାହାନ୍ତି । ଅନୁସୂଚିତ ଜନଜାତି ଓ ଜାତି ବର୍ଗଙ୍କ ପାଇଁ ସମ୍ବିଧାନର ନିୟମ ଅନୁସାରେ ୪୦ଧ ସଂରକ୍ଷଣ ବ୍ୟବସ୍ଥା ରହିଛି । ଏସଇବିିସି ବର୍ଗଙ୍କ ପାଇଁ ରାଜ୍ୟ ସରକାର ୨୭ଧ ସଂରକ୍ଷଣ ଦେଲା ବେଳକୁ ଏହା ମୋଟରେ ୫୦ଧ କୁ ଅତିକ୍ରମ କରୁଥିବାରୁ କୋର୍ଟରେ ଚାଲେଞ୍ଜ ହେଉଛି । ଯାହା ଆଇନଗତ ଭାବେ ରାଜ୍ୟ ସରକାରଙ୍କୁ ଅଡୁଆ ପରିସ୍ଥିତିରେ ପକାଉଛି । ସରକାର ପ୍ରତିବଦ୍ଧକର ସମ୍ମୁଖୀନ ହେଉଛନ୍ତି । ତେଣୁ ରାଜ୍ୟ ସରକାର ପଛୁଆବର୍ଗର ବିକାଶ ପାଇଁ ୨୦୨୧ ଜନଗଣନାରେ ଏମାନଙ୍କ ସଂଖ୍ୟା ଗଣନା କରିବାକୁ କେନ୍ଦ୍ରକୁ ପ୍ରସ୍ତାବ ଦେବେ । ଏ ସମ୍ପର୍କିତ ସଂକଳ୍ପ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁର କରିଛି ।
Comments are closed, but trackbacks and pingbacks are open.