ଶରଣକୁଳ,(ବି.ବି.ନୁ୍ୟଜ): ପରିବାର ସହ ବୁଲିବାକୁ ଯାଇଥିଲେ । ପୁରୀ, କୋଣାର୍କ, ଘଟଗାଁ ସ୍ଥିତ ମା’ ତାରିଣୀ ଓ ଚଣ୍ଡିଖୋଲ ନିକଟବର୍ତ୍ତୀ ମହାବିନାୟକ ଦର୍ଶନ ପରେ ଭୁବନେଶ୍ୱରରେ ପଢ଼ୁଥିବା ଝିଅକୁ ତା’ର ହଷ୍ଟେଲରେ ଛାଡ଼ି ଗାଁ ଅଭିମୁଖେ ବାହାରିଥିଲେ । ଆଉ ୧୦ ମିନିଟ୍ ପରେ ସେମାନେ ଘରେ ପହଞ୍ଚôଥାନ୍ତେ । ମାତ୍ର ଦଇବ ସହିଲାନି । କାର୍ଟି ନୟାଗଡ଼ ଜିଲ୍ଲା ଶରଣକୁଳ ଥାନା କରଡ଼ା ରଘୁନାଥପୁର ଶାସନ ଅନ୍ତର୍ଗତ ୨୧ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଏକ ଫୁଲଗଛରେ ପିଟି ହୋଇଗଲା । ଏଥିରେ ଡ୍ରାଇଭର ସମେତ ସ୍ୱାମୀ, ସ୍ତ୍ରୀ ଓ ପୁଅ ମୃତୁ୍ୟବରଣ କରିଛନ୍ତି । ଏହି ଘଟଣା ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
ଖବରରୁ ପ୍ରକାଶ ଯେ, ଶରଣକୁଳ ଥାନା ଅନ୍ତର୍ଗତ ନନ୍ଦିଘୋର ଗ୍ରାମର ଜୟ ଜଗନ୍ନାଥ ରାଇସ୍ ମିଲ୍ ମାଲିକ ଚିତ୍ତ ରଂଜନ ସାହୁ(୪୪) ଦୁଇଦିନ ତଳେ କାର୍(ଓଡି୦୨ଏଏନ୍ ୭୨୩୭)ରେ ପତ୍ନୀ ମଧୁସ୍ମିତା (୩୬), ପୁଅ ଆଦିତ୍ୟ(୧୦) ଓ ଝିଅ ଆଦ୍ୟାଶା ପ୍ରିୟଦର୍ଶିନୀ (୧୭)ସହ ତୀର୍ଥ ଦର୍ଶନରେ ବାହାରିଥିଲେ । ସେମାନେ ପୁରୀରେ ଜଗନ୍ନାଥ ଦର୍ଶନ, କୋଣାର୍କ ସୂର୍ଯ୍ୟମନ୍ଦିର ଆଦି ବୁଲାବୁଲି କରିବା ପରେ କେନ୍ଦୁଝର ଜିଲ୍ଲା ଘଟଗାଁ ସ୍ଥିତ ମା’ ତାରିଣୀଙ୍କ ଦର୍ଶନ ପାଇଁ ଯାଇଥିଲେ । ସେଠାରୁ ଫେରିବା ବାଟରେ ଚଣ୍ଡିଖୋଲ ନିକଟବର୍ତ୍ତୀ ପ୍ରଭୁ ମହାବିନାୟକଙ୍କୁ ମଧ୍ୟ ଦର୍ଶନ କରିଥିଲେ । ଏହା ପରେ ସେମାନେ ଭୁବନେଶ୍ୱରରେ ପଢ଼ୁଥିବା ଝିଅକୁ ତା’ର ହଷ୍ଟେଲରେ ଛାଡ଼ି ନିଜ ଗ୍ରାମ ନନ୍ଦିଘୋରକୁ ବାହାରିଥିଲେ । ରାତି ପ୍ରାୟ ୧୨ଟା ୪୫ ମିନିଟ୍ ସମୟରେ ଡ୍ରାଇଭର ସନ୍ତୋଷ ନାୟକ(୨୦)ଙ୍କ ଆଖି ପଡ଼ିଯିବା ଯୋଗୁଁ ହେଉ କିମ୍ବା ଅନ୍ୟ କୌଣସି କାରଣରୁ ଗାଡ଼ିଟି ଭାରସାମ୍ୟ ହରାଇ ଶରଣକୁଳ ଥାନା କରଡ଼ା ରଘୁନାଥପୁର ଶାସନ ଅନ୍ତର୍ଗତ ୨୧ ନମ୍ବର ରାଜ୍ୟ ରାଜପଥ କଡ଼ରେ ଥିବା ଏକ ଫୁଲଗଛରେ ପିଟି ହୋଇ ଯାଇଥିଲା । ପ୍ରଚଣ୍ଡ ଶବ୍ଦ ଶୁଣି ନିକଟରେ ଥିବା ଗାଁ ଲୋକେ ଘଟଣା ସ୍ଥଳକୁ ଦୌଡ଼ି ଆସି ଗାଡ଼ି ଭିତରୁ ଚିତ୍ତରଂଜନ, ମଧୁସ୍ମିତା, ଆଦିତ୍ୟ ଓ ସନ୍ତୋଷଙ୍କୁ ଟାଣି ବାହାର କରିଥିଲେ । ତେବେ ମଧୁସ୍ମିତାଙ୍କ ବ୍ୟତୀତ ଅନ୍ୟମାନଙ୍କର ଘଟଣା ସ୍ଥଳରେ ହିଁ ମୃତୁ୍ୟ ଘଟିଥିଲା । ଗୁରୁତର ଆହତ ଅବସ୍ଥାରେ ମଧୁସ୍ମିତାଙ୍କୁ ଓଡ଼ଗାଁ ଅଗ୍ନିଶମ ବିଭାଗର କର୍ମଚାରୀମାନେ ପ୍ରଥମେ ଶରଣକୁଳ ଓ ପରେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଉଦ୍ବେଗଜନକ ଥିବାରୁ ତାଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଉଥିବା ବେଳେ ସୁନାଖଳା ନିକଟରେ ତାଙ୍କର ପ୍ରାଣବାୟୁ ଉଡ଼ି ଯାଇଥିଲା । ଖବର ପାଇ ଶରଣକୁଳ ଥାନା ଅଧିକାରୀ କିରଣ ହେମ୍ବ୍ରମ୍ ଘଟଣା ସ୍ଥଳ ପରିଦର୍ଶନ କରିବା ସହ ନୟାଗଡ଼ ମେଡିକାଲରେ ପହଞ୍ଚôଥିଲେ । ରାଇସ୍ ମିଲ୍ ମ୍ୟାନେଜର ଯଶୋବନ୍ତ ବେହେରାଙ୍କ ଏତଲାକ୍ରମେ ଶରଣକୁଳ ଥାନାରେ ଏକ ମାମଲା(କେସ୍ ନଂ.୪/୨୦) ରୁଜୁ ହୋଇଛି । ଶବ ବ୍ୟବଚ୍ଛେଦ ପରେ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଛି । ସୂଚନାଯୋଗ୍ୟ ଯେ, ଘରେ ମୃତ ଚିତ୍ତରଂଜନଙ୍କ ବୁଢ଼ୀମା’ ଥିବା ଜଣାଯାଇଛି । ଏଭଳି ହୃଦୟବିଦାରକ ଦୃଶ୍ୟ ସଂପୃକ୍ତ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।
Comments are closed, but trackbacks and pingbacks are open.