ଢେଙ୍କାନାଳ,(ବି.ବି.ନୁ୍ୟଜ୍): ଢେଙ୍କାନାଳର ସଦର ବ୍ଲକ୍ ଅନ୍ତର୍ଗତ ସପ୍ତଶଯ୍ୟା ଗ୍ରାମର ବଡବନ୍ଧ ପୋଖରୀରେ ଥିବା ଏକ ହୋମ୍ ପାଇପ୍ ମଧ୍ୟରୁ ରବିବାର ସଂଧ୍ୟାରେ ୬ଟି ବିଶାଳକାୟ ଅଜଗର ସାପ ଉଦ୍ଧାର ହୋଇଛି । ଢେଙ୍କାନାଳ ବନ୍ୟକ୍ ଫାଉଣ୍ଡେସନ୍ର କର୍ମକର୍ତ୍ତାମାନେ ସାପଗୁଡ଼ିକୁ ଉଦ୍ଧାର କରି କପିଳାସ ଅଭୟାରଣ୍ୟ ଅନ୍ତର୍ଗତ କୁରୁମୁଟାଙ୍ଗର ଜଙ୍ଗଲରେ ସୁରକ୍ଷିତ ଅବସ୍ଥାରେ ଛାଡ଼ି ଦେଇଛନ୍ତି । ଏତେ ସଂଖ୍ୟକ ସାପ ଦେଖି ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି ।
ସପ୍ତଶଯ୍ୟା ବଡ଼ବନ୍ଧ ନିକଟରେ ଏକ ବଡ଼ ଅଜଗର ସାପ ସ୍ଥାନୀୟ କେତେକ ଛେଳି ଚରାଳି ଦେଖିବାକୁ ପାଇଥିଲେ । ଏ ସଂପର୍କରେ ସେମାନେ ଗ୍ରାମବାସୀଙ୍କୁ ଜଣାଇବାରୁ ଗ୍ରାମବାସୀ ସାପ ଉଦ୍ଧାରକାରୀ ଦଳ ବନ୍ୟକ୍ ଫାଉଣ୍ଡେସନ୍ର କର୍ମକର୍ତ୍ତା ଓ ବନ ବିଭାଗ ସହ ଯୋଗାଯୋଗ କରିଥିଲେ । ରବିବାର ଅପରାହ୍ନ ୪ଟାରେ ବନ ବିଭାଗ ତତ୍ୱାବଧାନରେ ବନ୍ୟକ୍ ଟିମ୍ର ସଦସ୍ୟମାନେ ସାପ ଉଦ୍ଧାର କରିବାକୁ ଗ୍ରାମରେ ପହଞ୍ଚିଥିଲେ । ବଡବନ୍ଧ ପୋଖରୀରୁ ସ୍ଥାନୀୟ ବିଲମାଳକୁ ପଡିଥିବା ଏକ ୮୦ ଫୁଟ ଲମ୍ବ ଓ ୩ ଫୁଟ ଓସାର ବିଶିଷ୍ଟ ହୋମ ପାଇପ୍ରେ ପ୍ରଥମେ ଗୋଟିଏ ୧୮ ଫୁଟିଆ ଅଜଗର ସାପ ଥିବା ଦେଖିବାକୁ ପାଇଥିଲେ । ଗୋଟିଏ ଉଦ୍ଧାର ପରେ ସେହି ପାଇପ୍ ଭିତରେ ଏକାଧିକ ସାପ ଖୁନ୍ଦାଖୁନ୍ଦି ହୋଇ ରହିଥିବା ଦେଖିବାକୁ ମିଳିଥିଲା । ସାପଗୁଡିକୁ ବାହାର କରିବା ପାଇଁ ଜଙ୍ଗଲ ବିଭାଗ ଓ ସାପ ଉଦ୍ଧାରକାରୀ ଦଳ ପାଇଁ କାଠିକର ହୋଇପଡ଼ିଥିଲା । ସମସ୍ତ କୌଶଳ ଖଟାଇବା ସତ୍ତେ୍ୱ ଟିମ୍ର କର୍ମକର୍ତ୍ତା ନିରାଶ ହୋଇଥିଲେ ।
ଶେଷରେ ଜେସିବି ମେସିନ୍ ସହାୟତାରେ ପାଇପ୍କୁ ଖୋଳାଯାଇଥିଲା । ସତର୍କତାର ସହ ପରେ ଅନ୍ୟ ୫ଟି ସାପକୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ସାପ ମଧ୍ୟରେ ଗୋଟିଏ ୧୮ ଫୁଟ, ଗୋଟିଏ ୧୬ ଫୁଟ ଓ ଅନ୍ୟ ୪ଟି ୧୦ ରୁ ୧୨ ଫୁଟ ଲମ୍ବର ବୋଲି ଜଣାପଡିଛି । ସଂଧ୍ୟାରେ ଉଦ୍ଧାର ସାପଗୁଡିକୁ ଜଙ୍ଗଲ ବିଭାଗ ସହାୟତାରେ କୁରୁମୁଟାଙ୍ଗର ଜଙ୍ଗଲରେ ଛାଡି ଦିଆଯାଇଛି । ବନ୍ୟକ୍ ଫାଉଣ୍ଡେସନ୍ ଟିମ୍ ସେଖ୍ ଲାଲୁ, ପପୁନ୍ ଦାସ, ମନୋଜ ଦାସ, ଆଲୋକ ମହାନ୍ତି, କାହ୍ନୁଚରଣ ବେହେରାଙ୍କ ସମେତ ସ୍ଥାନୀୟ ଫରେଷ୍ଟଗାର୍ଡ ଓ ଗ୍ରାମବାସୀ ସାପ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଥିଲେ ।
Comments are closed, but trackbacks and pingbacks are open.