ରାଜଗାଙ୍ଗପୁର,(ବି.ବି.ନୁ୍ୟଜ୍): ରାଜଗାଙ୍ଗପୁର ଆଇଟି କଲୋନୀସ୍ଥିତ ଏକ ଘର ଭିତରୁ ଗତକାଲି ପୁଲିସ୍ ରଞ୍ଜିତ ପ୍ରସାଦ, ତାଙ୍କ ପତ୍ନୀ ଅଲପନା, ୩ ବର୍ଷର ଝିଅ କନକ ଓ ଦେଢ଼ ବର୍ଷର ପୁଅ ଠଟୁଙ୍କ ମୃତଦେହକୁ ଉଦ୍ଧାର କରିଥିଲା । ଆଜି ମୃତଦେହଗୁଡ଼ିକର ବ୍ୟବଚ୍ଛେଦ କରାଯାଇଥିଲା । ତେବେ ପ୍ରାଥମିକ ସ୍ତରରେ ବ୍ୟବଚ୍ଛେଦ ରିପୋର୍ଟରୁ ଜଣାପଡ଼ିଛି ଯେ, ସେମାନେ ଆତ୍ମହତ୍ୟା କରିନାହାନ୍ତି ବରଂ ଶ୍ୱାସରୁଦ୍ଧ ଯୋଗୁଁ ସେମାନଙ୍କ ମୃତୁ୍ୟ ଘଟିଛି । ହେଲେ ଏହାକୁ ମୃତ ରଞ୍ଜିତଙ୍କ ପାଖ ପଡେ଼ାଶୀ ସହଜରେ ବିଶ୍ୱାସ କରି ପାରୁନାହାନ୍ତି ।
ଗତକାଲି ପୁଲିସ୍ ୪ ଜଣଙ୍କ ମୃତଦେହ ଉଦ୍ଧାର କରି ରାଜଗାଙ୍ଗପୁର ସରକାରୀ ଡାକ୍ତରଖାନାର ମର୍ଗ ହାଉସରେ ରଖିଥିଲା । ଆଜି ସକାଳ ୧୦ଟା ସମୟରେ ଶବଗୁଡ଼ିକୁ ବ୍ୟବଚ୍ଛେଦ ଲାଗି ଅଣାଯାଇଥିଲା । ଡାକ୍ତର ଜଗଦୀଶ ଟପ୍ପୋ ଓ ଡାକ୍ତର ମହେନ୍ଦ୍ର ତନ୍ତୀଙ୍କୁ ନେଇ ଏକ ଟିମ୍ ଗଠନ କରାଯାଇଥିଲା । ଏହି ଦୁଇ ଜଣ ଡାକ୍ତର ଶବଗୁଡ଼ିକର ବ୍ୟବଚ୍ଛେଦ କରିଥିଲେ । ଡାକ୍ତର ଟପ୍ପୋଙ୍କ କହିବାନୁସାରେ ଏମାନେ ଆତ୍ମହତ୍ୟା କରିନାହାନ୍ତି । ଶ୍ୱାସରୁଦ୍ଧ ହୋଇ ସେମାନଙ୍କ ମୃତୁ୍ୟ ଘଟିଥିବା ଅନୁମାନ କରାଯାଉଛି । ଡାକ୍ତରଙ୍କ କହିବା କଥା ହେଲା, ଥଣ୍ଡା ଦାଉରୁ ରକ୍ଷା ପାଇବା ପାଇଁ ସେମାନେ ଘର ଭିତରେ ଏକ ଲୁହା ବାଲ୍ଟିରେ ଅଳ୍ପ କାଠ ଜାଳି ଥିଲେ । କବାଟ ଓ ଝରକା ସବୁ ବନ୍ଦ ଥିବାରୁ ଧୂଅାଁରେ ସେମାନଙ୍କ ଶ୍ୱାସରୁଦ୍ଧ ହୋଇ ମୃତୁ୍ୟ ଘଟିଛି । ହେଲେ ଏହା ମାନିବାକୁ ମୃତ ରଞ୍ଜିତଙ୍କ ପାଖ ପଡୋଶୀ ନାରାଜ । ପଡୋଶୀଙ୍କ କହନ୍ତି, ଯଦି ଘର ଭିତରେ ଶ୍ୱାସରୁଦ୍ଧ ହୋଇ ସମସ୍ତେ ମୃତୁ୍ୟମୁଖରେ ପଡ଼ିଲେ, ତାହା ପୂର୍ବରୁ ଅଣଃନିଶ୍ୱାସୀ ହେବା ସମ୍ପର୍କରେ ରଞ୍ଜିତ ଓ ତାଙ୍କ ପତ୍ନୀ ଜାଣି ପାରିଲେ ନାହିଁ କେମିତି । ଗତକାଲି ପୁଲିସ୍ ପ୍ରାଥମିକ ତଦନ୍ତ ସମୟରେ ଜାଣିବାକୁ ପାଇଥିଲା ଯେ, ବିଷକ୍ରିୟା ଯୋଗୁଁ ସେମାନଙ୍କ ମୃତୁ୍ୟ ଘଟିଛି । ସେମାନଙ୍କ ମୃତୁ୍ୟ ଏବେ ବି ରହସ୍ୟାବୃତ୍ତ ହୋଇ ରହିଥିବାରୁ ଏହାର ସଠିକ ତଦନ୍ତ ହେବା ଆବଶ୍ୟକ ବୋଲି ଲୋକେ କହୁଛନ୍ତି ।
ଆହୁରି ଜଣାପଡ଼ିଛି ଯେ, ରଞ୍ଜିତ ଓ ତାଙ୍କ ପତ୍ନୀଙ୍କ ପାକସ୍ଥଳୀରେ କୌଣସି ଖାଦ୍ୟ ଜିନିଷ ନଥିବା ବେଳେ ଝିଅ ଏବଂ ପୁଅ ପେଟରେ ଅଳ୍ପ କିଛି ଖାଦ୍ୟ ରହିଛି । ଅପରପକ୍ଷରେ ସେମାନଙ୍କ ଭେସରା ଓ ପାକସ୍ଥଳୀର କିଛି ଅଂଶକୁ ଅଧିକ ପରୀକ୍ଷା ପାଇଁ ଭୁବନେଶ୍ୱରସ୍ଥିତ ଫେରେନସିକ୍ ଲାବରୋଟୋରୀକୁ ପଠାଯିବ ବୋଲି ଡାକ୍ତର ସୂଚନା ଦେଇଛନ୍ତି । ଶବ ବ୍ୟବଚ୍ଛେଦ ପରେ ସ୍ୱାମୀ ସ୍ତ୍ରୀ ଓ ଝିଅପୁଅଙ୍କ ଶେଷକୃତ୍ୟ ବେଦବ୍ୟାସ ସ୍ୱର୍ଗଦ୍ୱାରରେ ସମ୍ପନ୍ନ ହୋଇଛି ।
Comments are closed, but trackbacks and pingbacks are open.