ଭୁବନେଶ୍ୱର,(ବି.ବି.ବୁ୍ୟରୋ): ମାର୍କେଟ ବିଲ୍ଡିଂରେ ଆତଙ୍କରାଜ ଘଟଣାର ଭୟ ଲୋକଙ୍କ ମନରୁ ଲିଭିନି । ପୁଣି ରାଜଧାନୀର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ଯୁବକଙ୍କ ଆତଙ୍କରାଜ ସାମ୍ନାକୁ ଆସିଛି । ରାଜଧାନୀ ଉପକଣ୍ଠରେ ଥିବା ଧଉଳି ଶାନ୍ତିସ୍ତୂପରେ କିଛି ସ୍ଥାନୀୟ ଯୁବକ ଆଜି ଆତଙ୍କ ଖେଳାଇଛନ୍ତି । ସେମାନେ ସଂଘବଦ୍ଧ ହୋଇ ପର୍ଯ୍ୟଟକମାନଙ୍କୁ ପିଟିଛନ୍ତି । ମହିଳା ପର୍ଯ୍ୟଟକଙ୍କୁ ର୍ଦୁବ୍ୟବହାର କରିଛନ୍ତି । ଏମାନଙ୍କ ଆକ୍ରମଣରେ ୫ରୁ ଅଧିକ ପର୍ଯ୍ୟଟକ ଆହତ ହୋଇଛନ୍ତି । ସେମାନେ ହେଲେ, ଭୁବନେଶ୍ୱର ଖଣ୍ଡଗିରି ଅଞ୍ଚଳର ମାନସ ମିଶ୍ର, ରାଜେଶ ମିଶ୍ର, ସନ୍ତୋଷ ମିଶ୍ର, କଟକର ନୃସିଂହ ପ୍ରସାଦ ଦାଶ ଓ ଅନ୍ୟମାନେ । ଏହି ଆକ୍ରମଣରେ ବିକାଶ କୁମାର ମିଶ୍ର ନାମକ ଜଣେ ବିଏସ୍ଏଫ୍ ଜବାନ୍ ଗୁରୁତର ଆହତ ହୋଇଛନ୍ତି ।
ସେପଟେ ଧଉଳି ଥାନା ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ସମ୍ଭାଳିଛି । ଆକ୍ରମଣ କରିଥିବା ଗୋÂୀର ୬ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ଧଉଳି ନିକଟସ୍ଥ କୁମାରଡିହି ଗାଁର ଗଣେଷ ଜେନା ଓ ପ୍ରସନ୍ନ ରାଉତରାୟ । ଅନ୍ୟମାନେ ହେଲେ ପୁରୁଣା କାର କିଣାବିକା ସଂସ୍ଥାର ଆଶିଷ ପାତ୍ର, ଶଶାଙ୍କ ମହାନ୍ତି, ରଜତ ସାହୁ, ବିକାଶ ପ୍ରଧାନ । ସମସ୍ତଙ୍କୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ । ଏହି ଆକ୍ରମଣରେ ଆହୁରି ୧୫ରୁ ଅଧିକ ଯୁବକ ଫେରାର୍ ହୋଇଯାଇଛନ୍ତି । ସେମାନଙ୍କୁ ଧରିବାକୁ ପୁଲିସ ଚେଷ୍ଟା ଚଳାଇଛି ।
ମିଳିଥିବା ସୂଚନା ମୁତାବକ, କାର୍ ପାର୍କିଂକୁ ନେଇ ଏହି ଝଗଡ଼ାର ସୂତ୍ରପାତ ହୋଇଥିଲା । ବିକାଶ ଓ ତାଙ୍କ ପରିବାରର ୧୫ଜଣ ସଦସ୍ୟ ଏକାଠି ଧଉଳି ପାହାଡ଼ରେ ଭୋଜିଭାତ କରୁଥିଲେ । ନୂଆ ଜଗନ୍ନାଥ ସଡ଼କରେ ଥିବା ଏକ ପୁରୁଣା କାର କିଣାବିକା ସଂସ୍ଥାର କର୍ମଚାରୀମାନେ ମଧ୍ୟ ଭୋଜିଭାତରେ ମାତିଥିଲେ । କଟକର ନୃସିଂହ ପତ୍ନୀ ଇସିତା ଦାଶ ଓ ଭଉଣୀ ସସ୍ମିତା ସାମନ୍ତରାୟଙ୍କ ସହ ନିଜ କାର(ଓଡି୦୫ଏଜେ ୩୧୨୯)ରେ ପାହାଡ଼ ଉପରକୁ ଯାଉଥିଲେ । ଉପରୋକ୍ତ ସଂସ୍ଥାର କିଛି କର୍ମଚାରୀ ସେମାନଙ୍କ କାର୍ ଉକ୍ତ ରାସ୍ତା ଉପରେ ପାର୍କିଂ କରିଥିଲେ । ଫଳରେ ରାସ୍ତା ଜାମ୍ ହୋଇଯାଇଥିଲା । ସେଠାରେ ବିକାଶ ଓ ତାଙ୍କ ସମ୍ପର୍କୀୟ କାର ହଟାଇବାକୁ କହିବାରୁ ଉକ୍ତ ସଂସ୍ଥାର କର୍ମଚାରୀମାନେ ଏକାଠି ହୋଇ ସେମାନଙ୍କ ସହ ଝଗଡ଼ା କରିଥିଲେ । କଥା ହାତାହାତି ଯାଏଁ ଯାଇଥିଲା । ପରେ ୧୫-୨୦ଜଣ ସ୍ଥାନୀୟ ଯୁବକ ସେଠାରେ ପହଞ୍ଚି ସଂସ୍ଥା କର୍ମଚାରୀଙ୍କ ସମର୍ଥନରେ ବାହାରିବାରୁ ସ୍ଥିତି ଅସମ୍ଭାଳ ହୋଇଥିଲା । ସେମାନେ ରାସ୍ତାକଡ଼ ଗଛରୁ ଡାଳ ଭାଙ୍ଗି ପର୍ଯ୍ୟଟକଙ୍କ ଉପରେ ଆକ୍ରମଣ ଆରମ୍ଭ କରିଥିଲେ । ବିକାଶ ଓ ଅନ୍ୟମାନଙ୍କୁ ନିସ୍ତୁକ ପିଟିଥିଲେ । ଅନ୍ୟ ପର୍ଯ୍ୟଟକଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ମହିଳା ପର୍ଯ୍ୟଟକଙ୍କୁ କାରରୁ ଟାଣି ଆଣି ଅସଦାଚରଣ କରିଥିଲେ । ଏପରିକି ୨-୩ଜଣ ପର୍ଯ୍ୟଟକଙ୍କ କାର ଭାଙ୍ଗି ଦେଇଥିଲେ । ଦୀର୍ଘ ଅଧ ଘଣ୍ଟାଏ ଯାଏଁ ଆତଙ୍କ ଖେଳାଇଥିଲେ । ଏମାନଙ୍କ ଭୟରେ ପର୍ଯ୍ୟଟକମାନେ ଜୀବନ ବଞ୍ଚାଇବା ପାଇଁ ଧାଇଁଥିଲେ ।
ଧଉଳି ଥାନା ପୁଲିସ ପହଞ୍ଚିବା ଦେଖି ଅନେକ ସ୍ଥାନୀୟ ଯୁବକ ଛତ୍ରଭଙ୍ଗ ଦେଇଥିଲେ । ପୁଲିସ ସେଠାରୁ ଅଭିଯୁକ୍ତମାନଙ୍କୁ ଉଠାଇ ଆଣିଥିଲା । ଆକ୍ରମଣରେ ବିକାଶଙ୍କ ମୁଣ୍ଡରେ ଗଭୀର କ୍ଷତ ହୋଇଥିଲା । ସମସ୍ତ ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତେବେ ପିକ୍ନିକ୍ ସିଜିନ୍ରେ ଧଉଳି ପାହାଡ଼ରେ ଏବେ ପର୍ଯ୍ୟଟକଙ୍କ ଭିଡ଼ ଜମୁଛି । ଏହାର ଫାଇଦା ଉଠାଇ କିଛି ଲୋକାଲ ପିଲା ସେଠାରେ ପର୍ଯ୍ୟଟକମାନଙ୍କୁ ରିତିମତ ହଇରାଣ କରିବା ସହ ଆକ୍ରମଣ କରୁଥିବା ଅଭିଯୋଗ ହୋଇଛି । ଗତ ସପ୍ତାହରେ ଜଣେ ପର୍ଯ୍ୟଟକ ଏନେଇ ଥାନାରେ ଅଭିଯୋଗ କରିଥିବା ପୁଲିସ କହିଛି ।
Comments are closed, but trackbacks and pingbacks are open.