ସିଏଏ ବିରୋଧୀ ପ୍ରଚାରକୁ ବିଶ୍ୱାସ କରନି

Get real time updates directly on you device, subscribe now.

କୋଲକାତା: ନାଗରିକତା ସଂଶୋଧନ ଆଇନ(ସିଏଏ)କୁ ନେଇ ଦେଶର ଯୁବବର୍ଗଙ୍କୁ ଭ୍ରମିତ କରାଯାଉଛି । କିନ୍ତୁ ସମସ୍ତେ ଜାଣି ରଖିବା ଉଚିତ ଯେ ସିଏଏ ନାଗରିକତା ଛଡ଼ାଇ ନେବା ପାଇଁ ନୁହେଁ ବରଂ ଏହା ନାଗରିକତା ଦେବା ପାଇଁ ଉଦ୍ଧିଷ୍ଟ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।
ଦୁଇଦିନିଆ ପଶ୍ଚିମବଙ୍ଗ ଗସ୍ତର ଶେଷ ଦିନରେ ରବିବାର ପ୍ରଧାନମନ୍ତ୍ରୀ ମୋଦି ରବିବାର ହାୱଡା ଜିଲ୍ଲାର ବେଲୁର ମଠରେ ଜାତୀୟ ଯୁବ ଦିବସ (ସ୍ୱାମୀ ବିବେକାନନ୍ଦଙ୍କ ଜୟନ୍ତୀ) ଅବସରରେ ଆୟୋଜିତ ଏକ ଜନସଭାରେ ଦେଶର ଯୁବକମାନଙ୍କୁ ଶୁଭକାମନା ଜଣାଇଥିଲେ । ପ୍ରଧାନମନ୍ତ୍ରୀ କହିଥିଲେ ଯେ, ନୂଆ ଆଇନକୁ ନେଇ ଯୁବବର୍ଗଙ୍କ ମନରେ ଅନେକ ପ୍ରଶ୍ନ ଉଠିଛି । ଯାହାକୁ ନେଇ କିଛି ଲୋକ ଅପପ୍ରଚାର କରିବା ସହ ସେମାନଙ୍କୁ ବିଭ୍ରାନ୍ତ କରୁଛନ୍ତି । ତେଣୁ ସେମାନଙ୍କ ମନରେ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର କରିବା ହେଉଛି ଆମର କର୍ତ୍ତବ୍ୟ । ସିଏଏ ନାଗରିକତା ପ୍ରଦାନ କରିବା ପାଇଁ ରାତାରାତି ପ୍ରସ୍ତୁତ କରାଯାଇଥିବା ଆଇନ ନୁହେଁ । ଏହା ପଛରେ ଅନେକ ମହତ ଉଦେ୍ଧଶ୍ୟ ରହିଛି । ଆମେ ସମସ୍ତେ ଏହା ଜାଣି ରଖିବା ଉଚିତ ଯେ କୌଣସି ବି ଦେଶର ଯେକୌଣସି ଧର୍ମର ବ୍ୟକ୍ତି ଯଦି ଭାରତୀୟ ସମ୍ବିଧାନ ଉପରେ ବିଶ୍ୱାସ ରଖୁଛି ତେବେ ସେ ଭାରତର ନାଗରିକତା ପାଇବା ପାଇଁ ଆବେଦନ କରିପାରିବ । ଏଥିପାଇଁ ତାକୁ ନିର୍ଦ୍ଧିଷ୍ଟ ପ୍ରକ୍ରିୟା ଅବଲମ୍ବନ କରିବାକୁ ହେବ । ଏଥିରେ କୌଣସି ସମସ୍ୟା ନାହିଁ ।
ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ ଧାର୍ମିକ ଭାବେ ପ୍ରତାଡ଼ିତମାନଙ୍କୁ ଭାରତୀୟ ନାଗରିକତା ପ୍ରଦାନ କରିବାର ସପକ୍ଷରେ ଥିବା ମୋଦି ଦୃଢେ଼ାକ୍ତି ପ୍ରକାଶ କରିଥିଲେ । କହିଥିଲେ ଆମେ କେବଳ ତାହା କରିଛୁ ଯାହା ମହାତ୍ମା ଗାନ୍ଧୀ ଅନେକ ବର୍ଷ ଆଗରୁ କରିବାକୁ ଚାହୁଁଥିଲେ । କେନ୍ଦ୍ର ସରକାର ଗାନ୍ଧିଜୀଙ୍କ ଇଚ୍ଛା ପୁରଣ କରିଛନ୍ତି । ଏହି ଅବସରରେ ସେ ସିଏଏକୁ ବିରୋଧ କରୁଥିବା ବିରୋଧୀମାନଙ୍କୁ ପ୍ରଶ୍ନ କରି କହିଥିଲେ । ସେମାନଙ୍କୁ ପଚାରିଥିଲେ ଆପଣମାନେ କ’ଣ ଚାହୁଁଛନ୍ତି? ଭାରତକୁ ଆସିଥିବା ଶରଣାର୍ଥୀଙ୍କୁ ମରିବା ପାଇଁ ନିଜ ଦେଶକୁ ପଠାଇ ଦେବା? ସେମାନଙ୍କ ସୁରକ୍ଷା କ’ଣ ଆମ ଦାୟିତ୍ୱ ନୁହେଁ? ସେମାନଙ୍କୁ କ’ଣ ଆମେ ଦେଶର ନାଗରିକତା ଦେବାନି?
ନାଗରିକତା ସଂଶୋଧନ ଆଇନ ପୂର୍ଣ୍ଣ ବହୁମତ ସହ ଲୋକସଭାରେ ଗୃହୀତ ହୋଇଥିଲେ ମଧ୍ୟ ରାଜନୈତିକ ଲକ୍ଷ୍ୟ ରଖି ଅନେକ ଏହାକୁ ନେଇ ଗୁଜବ ପ୍ରଚାର କରୁଥିବା ମୋଦି ଅଭିଯୋଗ କରିଥିଲେ । କହିଥିଲେ ଆମେ ନାଗରିକତା ଆଇନକୁ ସଂଶୋଧନ କରିବା ସହ ପାକିସ୍ତାନକୁ ସମସ୍ୟାରେ ପକାଇ ଦେଇଛୁ । ପାକିସ୍ତାନରେ ମାନବାଧିକାର କେବେଠାରୁ ସମାପ୍ତ ହୋଇସାରିଲାଣି । ପାକିସ୍ତାନ ଏହାର ସଂଖ୍ୟାଲଘୁଙ୍କ ଉପରେ କରୁଥିବା ଅତ୍ୟାଚାର ସାରା ବିଶ୍ୱ ସାମ୍ନାରେ ଧରାପଡ଼ିଯାଇଛି । ଏବେ ପାକିସ୍ତାନକୁ ଜବାବ ଦେବାକୁ ହେବ ଯେ ସେ ୭୦ ବର୍ଷ ଧରି ନିଜ ଦେଶରେ ସଂଖ୍ୟା ଲଘୁମାନଙ୍କୁ କାହିଁକି ଅତ୍ୟାଚାରିତ କରୁଥିଲା । ପୂର୍ବୋତ୍ତର ରାଜ୍ୟମାନଙ୍କରେ ସିଏଏକୁ ବିରୋଧ କରାଯାଉଥିବା ବେଳେ ମୋଦି କହିଲେ ଯେ ଦେଶର ପୂର୍ବୋତ୍ତର ଭାଗ ହିଁ ଆମର ଗୌରବ । ସେଠାକାର ସଂସ୍କୃତି, ପରମ୍ପରା ତଥା ଜନସଂଖ୍ୟା ସିଏଏ ଦ୍ୱାରା ଆଦୌ ପ୍ରଭାବିତ ହେବନାହିଁ । ଦେଶ ବିଭାଜନ ପରେ ପାକିସ୍ତାନ ଯେଉଁ ଲୋକମାନଙ୍କୁ ଅତ୍ୟାଚାରିତ କରିଥିଲା ସେମାନଙ୍କ ପାଇଁ ଆଇନରେ ପରିବର୍ତ୍ତନ କରାଯାଇଛି । ଯୁବକମାନେ ଏସବୁ କଥା ବୁଝୁଛନ୍ତି । କିନ୍ତୁ ରାଜନୈତିକ ଉଦେ୍ଧଶ୍ୟରେ ହିଁ ଆନେ୍ଦାଳନ ଜାରି ରହିଛି ।
ସ୍ୱାମୀ ବିବେକାନନ୍ଦଙ୍କ ଜନ୍ମ ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଦେଶ ଯୁବକମାନଙ୍କ ଠାରୁ ଅନେକ କିଛି ଆଶା ରଖିଥିବା ପ୍ରକାଶ କରିଥିଲେ । କହିଥିଲେ, କେବଳ ଭାରତ ନୁହେଁ ବିଶ୍ୱର ଉନ୍ନତିରେ ଯୁବକମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ । ଦେଶର ଯୁବଶକ୍ତି ହିଁ ଏକବିଂଶ ଶତାବ୍ଦୀରେ ଭାରତକୁ ବଦଳାଇପାରିବେ । ମୋଦି ନିଜେ ମଧ୍ୟ ବିବେକାନନ୍ଦଙ୍କ ଆଦର୍ଶକୁ ଅନୁସରଣ କରୁଥିବା ପ୍ରକାଶ କରିଥିଲେ । ଉଲ୍ଲେଖଯୋଗ୍ୟ ଯେ ନାଗରିକତା ସଂଶୋଧନ ଆଇନ (ସିଏଏ)ରେ ରହିଥିବା ବ୍ୟବସ୍ଥା ମୁତାବକ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ତାନରୁ ଚାଲିଆସିଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଜୈନ, ବୌଦ୍ଧ, ପାର୍ସି ଏବଂ ଶିଖ୍ ଧର୍ମର ଲୋକମାନଙ୍କୁ ନାଗରିକତା ପ୍ରଦାନ କରାଯିବ । ୨୦୧୪ ପୂର୍ବରୁ ଭାରତରେ ବସବାସ କରୁଥିବା ଏହି ଧର୍ମର ଲୋକମାନେ ବିନା ପ୍ରମାଣପତ୍ରରେ ଭାରତର ନାଗରିକତା ହାସଲ କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons