ନୂଆଦିଲ୍ଲୀ: ଗାନ୍ଧୀ ପରିବାରକୁ ମିଳିଥିବା ଏସ୍ପିଜି ସୁରକ୍ଷାକୁ ପ୍ରତ୍ୟାହାର କରିବା ପରେ କେନ୍ଦ୍ର ସରକାର ଏବେ ସବୁ ଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଏନ୍ଏସ୍ଜି କମାଣ୍ଡୋଙ୍କୁ ହଟାଇ ନେବା ପାଇଁ ନିଷ୍ପତ୍ତି ନେଇଛନ୍ତି । ଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରୁ ସମ୍ପୂର୍ଣ୍ଣ ରୂପେ ଏନ୍ଏସ୍ଜି କମାଣ୍ଡୋଙ୍କୁ ହଟାଇ ସେମାନଙ୍କୁ ନିଜ ଆତଙ୍କବାଦ ନିରୋଧ ୟୁନିଟ୍ରେ ନିୟୋଜିତ କରାଯିବ । ଆତଙ୍କବାଦୀଙ୍କ ମୁକାବିଲା ଓ ବିମାନ ଅପହରଣ ରୋକିବା ଲାଗି ୧୯୮୪ରେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏନ୍ଏସ୍ଜି ବାହିନୀ ଗଠନ କରାଯାଇଥିଲା ।
ବର୍ତ୍ତମାନ ଜେଡ୍ ପ୍ଲସ୍ ଯୋଗାଇ ଦିଆଯାଉଥିବା ୧୩ ଜଣ ଭିଆଇପିଙ୍କ ସୁରକ୍ଷା ଦାୟିତ୍ୱରେ ଏନ୍ଏସ୍ଜି କମାଣ୍ଡୋ ବା ବ୍ଲାକ୍ କ୍ୟାଟ୍ କମାଣ୍ଡୋ ନିୟୋଜିତ ଅଛନ୍ତି । ପ୍ରତ୍ୟେକ ଭିଆଇପିଙ୍କ ପାଇଁ ଦୁଇ ଡଜନ କମାଣ୍ଡୋ ରହିଛନ୍ତି । ସେମାନଙ୍କ ମଧ୍ୟରେ ଅଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୋୱାଲ, ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ, ମୁଲାୟମ ସିଂହ ଯାଦବ, ଚନ୍ଦ୍ରବାବୁ ନାଇଡୁ, ପ୍ରକାଶ ସିଂହ ବାଦଲ, ଫାରୁକ୍ ଅବଦୁଲା ଓ ବିଜେପିର ବର୍ଷୀୟାନ ନେତା ଲାଲକୃଷ୍ଣ ଆଡଭାନୀ । ଏହି ନେତାମାନଙ୍କ ଠାରୁ ଏନ୍ଏସ୍ଜି କମାଣ୍ଡୋମାନଙ୍କୁ ପ୍ରତ୍ୟାହାର କରିନିଆଯିବ । ଯେଉଁ ଉଦେ୍ଧଶ୍ୟରେ ଏହି ବାହିନୀ ଗଠନ କରାଯାଇଥିଲା କମାଣ୍ଡୋମାନଙ୍କୁ ସେହି ଦାୟିତ୍ୱରେ ରଖିବା ଲାଗି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ସ୍ଥିର କରାଯାଇଛି । ଆତଙ୍କବାଦୀ ଆକ୍ରମଣ ଓ ବିମାନ ଅପହରଣ ଭଳି ପରିସ୍ଥିତିର ମୁକାବିଲା ପାଇଁ ଏହି କମାଣ୍ଡୋମାନଙ୍କୁ ସ୍ୱତନ୍ତ୍ର ଭାବେ ତାଲିମ୍ ଦିଆଯାଇଛି । ଏମାନଙ୍କ ସଂଖ୍ୟା ବହୁତ କମ । ତେଣୁ ଏମାନଙ୍କୁ ଭିଆଇପିଙ୍କ ସୁରକ୍ଷାରେ ନିୟୋଜିତ କଲେ ଯେଉଁ କାର୍ଯ୍ୟ ପାଇଁ ଏହାର ଗଠନ କରାଯାଇଛି ତାର ଲକ୍ଷ୍ୟ ସାଧିତ ହୋଇପାରିବ ନାହିଁ ବୋଲି ମନ୍ତ୍ରଣାଳୟର ଜଣେ ବରିÂ ଅଧିକାରୀ କହିଛନ୍ତି ।
ଭିଆଇପିଙ୍କ ସୁରକ୍ଷାରୁ ଏନ୍ଏସ୍ଜି କମାଣ୍ଡୋଙ୍କୁ ହଟାଗଲେ ୪୫୦ କମାଣ୍ଡୋ ବାହାରି ପାରିବେ । ଯେଉଁମାନଙ୍କୁ ଦେଶର ୫ଟି ସ୍ଥାନରେ ପ୍ରତିÂା କରାଯାଇଥିବା ଏନ୍ଏସ୍ଜି ୟୁନିଟ୍ରେ ରଖାଯାଇପାରିବ । ଦିଲ୍ଲୀ ନିକଟସ୍ଥ ଗୁରୁଗ୍ରାମରେ ଏନ୍ଏସ୍ଜିର ମୁଖ୍ୟ ୟୁନିଟ୍ ରହିଛି । ଏନ୍ଏସ୍ଜି କମାଣ୍ଡୋଙ୍କ ବଦଳରେ ଏହି ୧୩ ଭିଆଇପିଙ୍କୁ ସିଆରପିଏଫ ଓ ସିଆଇଏସ୍ଏଫ ଯବାନମାନେ ସୁରକ୍ଷା ଯୋଗାଇବେ । ବର୍ତ୍ତମାନ ଦେଶର ୧୩୦ ଜଣ ଭିଆଇପିଙ୍କୁ ଉଭୟ କେନ୍ଦ୍ରୀୟ ଅର୍ଦ୍ଧସାମରିକ ବାହିନୀର ଯବାନମାନେ ସୁରକ୍ଷା ଦେଉଛନ୍ତି । ନିକଟରେ ପୂର୍ବତନ ପ୍ରଧାନମନ୍ତ୍ରୀ ଡକ୍ଟର ମନମୋହନ ସିଂହ ଓ ତାଙ୍କ ପତ୍ନୀ, କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଏବଂ ତାଙ୍କର ଦୁଇ ସନ୍ତାନ ରାହୁଲ ଗାନ୍ଧୀ ଓ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ସିଆରପିଏଫ ସୁରକ୍ଷା ଯୋଗାଇ ଦିଆଯାଇଛି । ଭିଆଇପିଙ୍କ ସୁରକ୍ଷା ଦାୟିତ୍ୱ ସମ୍ଭାଳିବାରେ ସିଆରପିଏଫ ମଧ୍ୟ ବେଶ୍ ପ୍ରଭାବୀ ହୋଇପାରିବ ।
ସେହିଭଳି ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନ୍ଏସ୍ଏ) ଅଜିତ ଡୋଭାଲ ଓ ଆରଏସ୍ଏସ୍ ମୁଖ୍ୟ ମୋହନ ଭାଗବତଙ୍କ ସମେତ ଅନ୍ୟ କେତେକ ଭିଆଇପିଙ୍କୁ ସିଆଇଏସ୍ଏଫ ଯବାନମାନେ ସୁରକ୍ଷା ଯୋଗାଇ ଦେଉଛନ୍ତି । ଭିଆଇପିଙ୍କ ସୁରକ୍ଷାରୁ ଏନ୍ଏସ୍ଜି କମାଣ୍ଡୋଙ୍କୁ ପ୍ରତ୍ୟାହାର କରିବା ଯୋଜନା ୨୦୧୨ରେ ହୋଇଥିଲା । ସେତେବେଳେ କୁହାଯାଇଥିଲା କି ଦେଶର ବିଭିନ୍ନ ସହରରେ ଯଦି ଏକ ସମୟରେ ଆତଙ୍କବାଦୀ ଆକ୍ରମଣ ଘଟେ ତେବେ ତାହାର ମୁକାବିଲା ପାଇଁ ସ୍ୱତନ୍ତ୍ର ଭାବେ ତାଲିମ ପାଇଥିବା ଏହି କମାଣ୍ଡୋଙ୍କୁ ପଠାଇବାରେ ଅସୁବିଧା ହେବ । କାରଣ ସେମାନେ ଭିଆଇପିଙ୍କ ସୁରକ୍ଷାରେ ରହିଥିବାରୁ ସେଠାରୁ ପ୍ରତ୍ୟାହାର କରି ଆଣିବା ସହଜ ହେବ ନାହିଁ । ୨୬/୧୧ ମୁମ୍ବାଇ ଆକ୍ରମଣ ବେଳେ ୪୦୦ ଏନ୍ଏସ୍ଜି କମାଣ୍ଡୋ ୩ ଦିନ ଧରି ନିୟୋଜିତ ହେଇଥିଲେ । ଯଦି ଏକସମୟରେ ଦେଶର ବିଭିନ୍ନ ସହରରେ ଏଭଳି ଆକ୍ରମଣ ଘଟେ ତେବେ ତାର ମୁକାବିଲା କରିବା ଲାଗି ଅଧିକ ସଂଖ୍ୟକ କମାଣ୍ଡୋଙ୍କ ଆବଶ୍ୟକତା ନିଶ୍ଚିତ ପଡିବ । ତେଣୁ ତାକୁ ବିଚାରକୁ ନେଇ କେନ୍ଦ୍ର ସରକାରଙ୍କ ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଥିବା ଅଧିକାରୀ ଜଣକ କହିଛନ୍ତି ।
Comments are closed, but trackbacks and pingbacks are open.