ନୂଆଦିଲ୍ଲୀ: ସିଏଏ (ନାଗରିକତା ସଂଶୋଧନ ଆଇନ)କୁ ଯେତେ ବିରୋଧ କଲେ ମଧ୍ୟ ପାକିସ୍ତାନରୁ ଅତ୍ୟାଚାରିତ ହୋଇ ଭାରତ ଚାଲି ଆସିଥିବା ଅଣ ମୁସଲିମ୍ ଶରଣାର୍ଥୀମାନଙ୍କୁ ନାଗରିକତା ପ୍ରଦାନ କରାଯିବ । ଅତ୍ୟାଚାରିତ ସମସ୍ତ ଶରଣାର୍ଥୀଙ୍କୁ ନାଗରିକତା ନ ଦେବା ପର୍ଯ୍ୟନ୍ତ ଆମେ ଶାନ୍ତିରେ ବସି ପାରିବୁନି । ସମସ୍ତଙ୍କୁ ନାଗରିକତା ଦେବା ପରେ ଆମେ ବିଶ୍ରାମ ନେବୁ । ଏଭଳି କରିବାରେ ଆମକୁ କେହି ରୋକି ପାରିବେନି । ସିଏଏକୁ ଦେଶବ୍ୟାପୀ ବିରୋଧ କରାଯାଉଥିବା ବେଳେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ବିରୋଧୀମାନଙ୍କୁ ଚାଲେଞ୍ଜ ଦେଇ ଏହା କହିଛନ୍ତି ।
ମଧ୍ୟପ୍ରଦେଶର ଜବଲପୁରରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରି ଶାହ କହିଛନ୍ତି ଯେ ପାକିସ୍ତାନରେ ଅତ୍ୟାଚାରର ଶିକାର ହୋଇଥିବା ହିନ୍ଦୁ, ଖ୍ରୀଷ୍ଟିଆନ, ଜୈନ, ବୌଦ୍ଧ, ପାର୍ସି ଏବଂ ଶିଖ୍ ଧର୍ମର ଲୋକମାନଙ୍କର ଭାରତର ନାଗରିକଙ୍କ ଭଳି ସମାନ ଅଧିକାର ରହିଛି । ସିଏଏ ଦ୍ୱାରା ଦେଶର ନାଗରିକମାନଙ୍କର ନାଗରିକତା ଚାଲିଯିବ ବୋଲି ବିରୋଧୀମାନେ ଅଭିଯୋଗ କରୁଥିବା ବେଳେ ଶାହ ଏନେଇ ବିରୋଧୀମାନଙ୍କୁ ଚାଲେଞ୍ଜ ଦେଇଛନ୍ତି । କହିଛନ୍ତି ରାହୁଲ ଗାନ୍ଧି ଏବଂ ମମତା ବାନାର୍ଜୀଙ୍କୁ ମୁଁ ଚାଲେଞ୍ଜ ଦେଉଛି । ସେମାନେ ମୋତେ ସିଏଏରେ ଥିବା ଏଭଳି ଗୋଟିଏ ନିୟମ କୁହନ୍ତୁ ଯାହା ନାଗରିକତା ଛଡ଼ାଇ ନେବାକୁ ଉଦ୍ଧିଷ୍ଟ । ସିଏଏରେ ଏମିତି କୌଣସି ବି ନିୟମ ନାହିଁ ଯାହା ଜଣଙ୍କର ନାଗରିକତା ଛଡ଼ାଇ ନେବ । ନାଗରିକତା ପ୍ରଦାନ କରିବା ହେଉଛି ସିଏଏର ପ୍ରଥମ ତଥା ମୁଖ୍ୟ ଉଦେ୍ଧଶ୍ୟ ।
କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳମାନଙ୍କ ଆନେ୍ଦାଳନ ପରେ ମଧ୍ୟ ସିଏଏକୁ ନେଇ କେନ୍ଦ୍ର ସରକାର ଆଦୌ ପଛକୁ ହଟିବେନି ବୋଲି ଶାହ ଦୃଢେ଼ାକ୍ତି କରିଛନ୍ତି । କହିଛନ୍ତି କଂଗ୍ରେସ ଲୋକମାନେ ଦୟାକରି କାନ ଖୋଲି ଶୁଣନ୍ତୁ । ଯେତେ ବିରୋଧ କରିବାର ଅଛି କରନ୍ତୁ । କିନ୍ତୁ ଆମେ ସମସ୍ତଙ୍କୁ ନାଗରିକତା ଦେବା ପରେ ହିଁ ଆରାମ କରିବୁ । ଭାରତ ଉପରେ ମୋର ଏବଂ ଆପଣଙ୍କର ଯେତିକି ଅଧିକାର ରହିଛି ପାକିସ୍ତାନରୁ ଆସିଥିବା ଶରଣାର୍ଥୀଙ୍କର ମଧ୍ୟ ସେତିକି ଅଧିକାର ରହିଛି । ସେମାନେ ମଧ୍ୟ ଭାରତର ପୁଅ-ଝିଅ । ସେମାନେ ଆମର ଭାଇ-ଭଉଣୀ ।
ଦେଶ ବିଭାଜନ ସମୟରେ ଧର୍ମ ଆଧାରରେ କଂଗ୍ରେସ ଦେଶକୁ ବିଭାଜନ କରିଥିବା ଶାହ ଅଭିଯୋଗ କରିଛନ୍ତି । କହିଛନ୍ତି ଯେତେବେଳେ ଦେଶ ବିଭାଜନ ହେଲା ପୂର୍ବ ଏବଂ ପଶ୍ଚିମ ପାକିସ୍ତାନରୁ ହିନ୍ଦୁ, ଖ୍ରୀଷ୍ଟିଆନ, ଜୈନ, ବୌଦ୍ଧ, ପାର୍ସି ଏବଂ ଶିଖ୍ମାନଙ୍କୁ ଭାରତ ଆସିବାର ଥିଲା । କିନ୍ତୁ ସେତେବେଳେ ସେମାନେ ଆସିବା ସ୍ଥିତିରେ ନଥିଲେ । ତେଣୁ ସେମାନେ ବାଧ୍ୟହୋଇ ପାକିସ୍ତାନରେ ରହିଯାଇଥିଲେ । ଆମ ଦେଶର ନେତାମାନେ ସେତେବେଳେ ସେମାନଙ୍କୁ ସେଠାରେ ରହିଯିବାକୁ ଆଶ୍ୱାସନା ଦେଇଥିଲେ । ସେମାନେ ଯେବେ ବି ଭାରତ ଆସିବେ ତାଙ୍କୁ ଭାରତର ନାଗରିକତା ପ୍ରଦାନ କରି ସ୍ୱାଗତ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ବର୍ତ୍ତମାନ ସେହି କଂଗ୍ରେସର ନେତାମାନେ ହିଁ ଏହାକୁ ବିରୋଧ କରୁଛନ୍ତି ।
ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ମନେପକାଇ ଶାହ ଆହୁରି ମଧ୍ୟ କହିଛନ୍ତି ଯେ, ଧର୍ମ ଆଧାରରେ ପାକିସ୍ତାନରୁ ବିତାଡ଼ିତ ଲୋକ ଏବଂ ପାକିସ୍ତାନରେ ରହିଯାଇଥିବା ସଂଖ୍ୟାଲଘୁ ଭାରତର ନାଗରିକ ବାଲି ୧୯୪୭ ମସିହା ଜୁଲାଇ ୨ ତାରିଖରେ ଗାନ୍ଧିଜୀ କହିଥିଲେ । ସୋମାନେ ଯେବେ ବି ଭାରତ ଫେରିବେ ସେମାନଙ୍କୁ ଭାରତର ନାଗରିକତା ମିଳିବ ବୋଲି ଗାନ୍ଧିଜୀ ସେମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ କଂଗ୍ରେସର ଲୋକ ଗାନ୍ଧିଜୀଙ୍କୁ ଭୁଲି ଦେଶବ୍ୟାପୀ ସିଏଏ ବିରୋଧରେ ଆନେ୍ଦାଳନ କରୁଛନ୍ତି ବୋଲି ଶାହ ଅଭିଯୋଗ କରିଛନ୍ତି ।
Comments are closed, but trackbacks and pingbacks are open.