ପାରଳାଖେମୁଣ୍ଡି, (ବି.ବି.ନୁ୍ୟଜ୍): ଜବତ କାଠକଟା ମେସିନ ଫେରାଇବାକୁ ଲାଞ୍ଚ । ଦୁଇ କିସ୍ତିରେ ୫ ହଜାର ଟଙ୍କା ଲେଖାଏଁ ନେଇଥିଲେ । ତୃତୀୟ ଥର ୫ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଗଜପତି ଜିଲ୍ଲା ରାମଗିରି ଫରେଷ୍ଟର ଦିବାକର ଲେଙ୍କା । ପରେ ତାଙ୍କ କାର୍ଯ୍ୟାଳୟ, ପାରଳାଖେମୁଣ୍ଡି ସ୍ଥିତ ଭଡ଼ାଘର ଏବଂ କାଶୀନଗର ସ୍ଥିତ ପୈତୃକ ଘରେ ଏକାସଙ୍ଗରେ ଚଢ଼ଉ କରାଯାଇଛି ।
ବ୍ରହ୍ମପୁର ଭିଜିଲାନ୍ସ ଏସ୍ପି ମାୟାଧର ସ୍ୱାଇଁଙ୍କ ସୂଚନା ଅନୁସାରେ, ରାମଗିରି ଥାନା ଅଧୀନ ମଙ୍ଗରାଜପୁର ଗ୍ରାମର ଆଦିବାସୀ ଯୁବକ କୃଷ୍ଣ କାର୍ଯୀଙ୍କ ଠାରୁ ଫରେଷ୍ଟର ଦିବାକର ଲେଙ୍କା ଗୋଟିଏ କାଠକଟା ମେସିନ୍ ଜବତ କରିଥିଲେ । ଏହାପରେ ସମ୍ପକ୍ତ ଯୁବକଙ୍କୁ ଚୋରା କାଠ ବ୍ୟବସାୟ ମାମଲାରେ ଛନ୍ଦିବା ପାଇଁ ଭୟ ଦେଖାଇଥିଲେ, ଏବଂ ସେଥିରୁ ବର୍ତ୍ତିବା ପାଇଁ ୫ ହଜାର ଟଙ୍କା ଦେବାକୁ ଦାବି କରିଥିଲେ । ଭୟରେ କୃଷ୍ଣ ୫ ହଜାର ଟଙ୍କା ମଧ୍ୟ ଦେଇଥିଲେ । ପରେ କଟର ମେସିନ୍ ଫେରାଇବା ପରିବର୍ତ୍ତେ ଫରେଷ୍ଟର ପୁଣିଥରେ ୫ ହଜାର ଟଙ୍କା ଦାବି କରିଥିଲେ । ତାହା ବି ଦେଇଥିଲେ କୃଷ୍ଣ । ତଥାପି ମେସିନ୍ ଫେରାଇନଥିଲେ ଫରେଷ୍ଟର । ମେସିନ୍ ଦେବା ପାଇଁ ପୁଣିଥରେ ୫ ହଜାର ଟଙ୍କା ଦାବି କରିଥିଲେ । ଫଳରେ କୃଷ୍ଣ ଅନ୍ୟ କୌଣସି ଉପାୟ ନପାଇ ଭିଜିଲାନ୍ସ ବିଭାଗର ଦ୍ୱାରସ୍ଥ ହୋଇଥିଲେ । ସେ ଅନୁସାରେ ମଙ୍ଗଳବାର କୃଷ୍ଣଙ୍କ ଠାରୁ ଫରେଷ୍ଟର ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଥିଲେ । ତେବେ ପ୍ରାଥମିକ ତଦନ୍ତରୁ କଟର୍ ମେସିନ୍ ଜବତ କରାଯାଇଥିବା ନେଇ ଦିବାକର କୌଣସି କାଗଜପତ୍ର କରାଯାଇନଥିବା ନେଇ ଭିଜିଲାନ୍ସ ଜାଣିବାକୁ ପାଇଛି । ଏହାସହ ଫରେଷ୍ଟର ଦିବାକରଙ୍କୁ ଗିରଫ କରିଛି । ଭିଜିଲାନ୍ସ ଅତିରିକ୍ତ ଏସ୍ପି ଶାନ୍ତନୁ କୁମାର ପାଢୀଙ୍କ ତତ୍ତ୍ୱାବଧାନରେ ହୋଇଥିବା ଏହି ଚଢ଼ଉରେ ଡିଏସ୍ପି ହନେରୀ କୁଲୁ, ଇନ୍ସପେକ୍ଟର ସୋମନାଥ ବାରିକ ଏବଂ ଅନ୍ୟମାନେ ସାମିଲ ଥିଲେ ।
ଭିଜିଲାନ୍ସ ବିଭାଗର ଗୋଟିଏ ଟିମ୍ ଫରେଷ୍ଟରଙ୍କୁ ଲାଞ୍ଚ ନେବାବେଳେ ଧରିବା ସହ ତାଙ୍କ କାର୍ଯ୍ୟାଳୟରେ ଯାଞ୍ଚ କରିଥିଲା । ଅନ୍ୟପଟେ ପାରଳାଖେମୁଣ୍ଡି ସ୍ଥିତ ଶ୍ରୀଧର ନଗର-୨ରେ ଥିବା ତାଙ୍କ ଭଡ଼ା ଘର, କାଶୀନଗର ସ୍ଥିତ ତାଙ୍କ ପୈତୃକ ବାସଭବନରେ ମଧ୍ୟ ଭିଜିଲାନ୍ସର ଅନ୍ୟ ଟିମ୍ ଚଢଉ କରିଥିଲେ । ଇନ୍ସପେକ୍ଟର ବାସୁଦେବ ରାଓଙ୍କ ନେତୃତ୍ୱରେ ହୋଇଥିବା ଚଢଉ ବେଳେ ଭଡା ଘରୁ ଶେଷ ଖବର ସୁଦ୍ଧା ନଗଦ ୪ ଲକ୍ଷ ୨୫ ହଜାର ଟଙ୍କା, ୫୫ ଗ୍ରାମ ସୁନା ଜବତ ହୋଇଥିବା ବେଳେ ଅଧିକ ଛାନ୍ଭିନ୍ ଜାରି ରହିଥିବା ଇନ୍ସ୍ପେକ୍ଟର ରାଓ ସୂଚନା ଦେଇଛନ୍ତି । ତେବେ ଚଢଉ ଶେଷ ହେବା ପରେ ହିଁ ତାଙ୍କ ସମ୍ପତ୍ତିର ମୂଲ୍ୟ ଜଣାପଡ଼ିବ ବୋଲି ଭିଜିଲାନ୍ସ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Comments are closed, but trackbacks and pingbacks are open.