ବଲାଙ୍ଗୀର,(ବି.ବି.ନୁ୍ୟଜ୍): ହାତୀକୁ ମାରି ଦାନ୍ତ କାଟିନେଲେ । ପରେ ଶବକୁ ପୋତିଦେଲେ, ଅଥଚ ବନ ବିଭାଗ ଟେର ପାଇପାରିଲାନି । ତୁଣ୍ଡ ବାଇଦରୁ ଘଟଣା ପ୍ରଘଟ ହେବାସତ୍ତେ୍ୱ ବନ ବିଭାଗ ଗାଲେଇ ଦେଇଥିଲା । ମାତ୍ର ଏ ସମ୍ପର୍କରେ ଲୋଇସିଂହା ବିଧାୟକ ଜାଣିବାପରେ ତଦନ୍ତ ଦାବି କରିଥିଲେ । ଶେଷରେ ହାତୀ ହତ୍ୟାର ୫ ଦିନ ପରେ ଆଜି ବନ ବିଭାଗର ଏକ ଟିମ ମହାକୁରପାଲି-ନୁନିଆପାଲି ନିକଟସ୍ଥ ଛେଲିଆପାଟ ଜଙ୍ଗଲକୁ ଯାଇ ମୃତ ହାତୀଟିକୁ ଠାବ କରିଛନ୍ତି । ହାତୀର ମୃତ ଦେହ ଠାବ କରାଯିବା ପରେ ବିଭାଗୀୟ ପଦସ୍ଥ ଅଧିକାରୀମାନେ ଘଟଣାସ୍ଥଳକୁ ଯାଇ ଘଟଣାର ତଦନ୍ତ ଚଳାଇଛନ୍ତି । ବିଭାଗୀୟ ପ୍ରାଥମିକ ତଦନ୍ତ ଅନୁସାରେ, ହାତୀଟି ପ୍ରାପ୍ତବୟସ୍କ ହୋଇଥିବା ବେଳେ ତାହାର ଦାନ୍ତ ନାହିଁ ।
ଏ ସମ୍ପର୍କରେ ଜାଣିବା ପାଇଁ ଲୋଇସିଂହା ରେଞ୍ଜର ରାଜକିଶୋର ନାୟକଙ୍କୁ ଯୋଗାଯୋଗ କରିବାରୁ ସେ ଘଟଣାକୁ ସ୍ୱୀକାର କରିବା ସହ ହାତୀର ବ୍ୟବଚ୍ଛେଦ ପରେ ପୁଣି ଶବ ପୋତି ଦିଆଯାଇଥିବା କହିଥିଲେ । ପରେ ବଲାଙ୍ଗୀର ବନଖଣ୍ଡ ଅଧିକାରୀ ସମୀର କୁମାର ଶତପଥୀଙ୍କୁ ଆମେ ଯୋଗାଯୋଗ କରିଥିଲୁ । ମାତ୍ର ଶ୍ରୀ ଶତପଥୀଙ୍କ ମୋବାଇଲ ସୁଇଚ ଅଫ୍ ରହିଥିଲା । ଘଟଣା ପ୍ରଘଟ ହେବା ପରଠୁ ବନ ବିଭାଗର ତଳୁ ଉପର କୌଣସି ଅଧିକାରୀ ଏ ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି ।
ସୂଚନାଯୋଗ୍ୟ ଯେ, ମହାକୁରପାଲି-ନୁନିଆପାଲି ଗାଁଗୁଡ଼ିକ ଛେଲିଆପାଟ ଜଙ୍ଗଲକୁ ଲାଗି ରହିଛି । ଜଙ୍ଗଲ ନିକଟଦେଇ ଅଙ୍ଗ ନଦୀ ଦେଇ ଯାଇଥିବାରୁ ପ୍ରତିବର୍ଷ ସେଠାକୁ ହାତୀ ଆସି ରହିଥାନ୍ତି । ଗତକିଛି ମାସ ହେଲା ସେହି ଅଞ୍ଚଳରେ ପ୍ରାୟ ୧୨ରୁ ୧୫ଟି ହାତୀ ଥିବା ଏକ ପଲ ଆସିରହୁଥିଲେ । ଏପରିକି ଗତ କିଛିଦିନତଳେ ସେଠାରେ ଜଣେ ବ୍ୟକ୍ତିଙ୍କୁ ଏକ ହାତୀ ଦଳିଦେଇଥିଲା । ଏହାପରେ କିଛିଦିନ ପାଇଁ ବନ ବିଭାଗ ସେଠାରେ ହାତୀପଲଙ୍କୁ ପହରା ଦେଇଥିଲେ । ପରେ ଆଉ ସେଠାରେ ହାତୀ ଉପଦ୍ରବ ଦେଖିବାକୁ ମିଳିନଥିଲା । ମାତ୍ର ଗତ ୧୦ ତାରିଖ ପୌଷପୂର୍ଣ୍ଣିମା ଦିନ ସେଠାରେ ଏକ ହାତୀକୁ ମାରିଦିଆଯାଇଥିବା ଖବର ପ୍ରଚାରିତ ହୋଇଥିଲା । କଥାଟି ପ୍ରଘଟ ହେବାପରେ ଆଖପାଖ ଗ୍ରାମର ଲୋକେ ବନ ବିଭାଗକୁ ଖବର ଦେଇଥିଲେ । ମାତ୍ର ପ୍ରଥମ ପର୍ଯ୍ୟାୟରେ ବନ ବିଭାଗ ଅଧିକାରୀମାନେ ତାହାକୁ ହାଲୁକା ଭାବେ ନେଇଥିଲେ । ପରେ ଲୋଇସିଂହା ବିଧାୟକ ଶ୍ରୀ ମହାଲିଙ୍ଗ ଏଥିରେ ହସ୍ତକ୍ଷେପ କରିବାରୁ ବନ ବିଭାଗର ଏକ ଦଳ ସେଠାକୁ ଯାଇ ହାତୀର ଗଳିତ ଶବ ଠାବକଲେ । ମଙ୍ଗଳବାର ମଧ୍ୟାହ୍ନରେ ଲୋଇସିଂହା ପ୍ରାଣୀସମ୍ପଦ ଚିକିତ୍ସକ ହିମାଂଶୁ ନାଏକ ଘଟଣାସ୍ଥଳକୁ ଯାଇ ଶବ ବ୍ୟବଚ୍ଛେଦ କରିଥିଲେ । ବ୍ୟବଚ୍ଛେଦ ରିପୋର୍ଟ ଅନୁସାରେ, ହାତୀଟି ବିଦୁ୍ୟତ ଆଘାତରେ ମରି ନାହିଁ । କିନ୍ତୁ ହାତୀ ମୃତୁ୍ୟର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନାହିଁ । ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ହାତୀଟିର ଶରୀରର ବିଭିନ୍ନ ଅଂଶ ସଂଗ୍ରହକରି ଫରେନ୍ସିକ ଲାବକୁ ପଠାଯାଇଥିବା ପ୍ରାଣୀସମ୍ପଦ ଚିକିତ୍ସକ ଶ୍ରୀ ନାଏକ କହିଛନ୍ତି । ଶବ ବ୍ୟବଚ୍ଛେଦ ପରେ ଛେଲିଆପାଟ ଜଙ୍ଗଲର ପିପଲଦୁହୁଲା ନିକଟରେ ପୋତିଦେଇଥିବା ପ୍ରକାଶ ।
Comments are closed, but trackbacks and pingbacks are open.