ସମୀର ମହାନ୍ତି ହେଲେ ରାଜ୍ୟ ବିଜେପି ସଭାପତି

Get real time updates directly on you device, subscribe now.

ଭୁବନେଶ୍ୱର : ବସନ୍ତ ପଣ୍ଡାଙ୍କ ପରେ ବିଜେପି ରାଜ୍ୟ ସଭାପତି କିଏ ହେବ ସେ ନେଇ ସବୁ କଳ୍ପନାଜଳ୍ପନା ଶେଷ ହୋଇଛି । ଦଳର ବରିଷ୍ଠ ନେତା ସମୀର ମହାନ୍ତିଙ୍କୁ ଆଜି ସର୍ବ ସମ୍ମତିକ୍ରମେ ପଦ୍ମ ଦଳର ପରବର୍ତ୍ତୀ ରାଜ୍ୟ ମଙ୍ଗୁଆଳ ନିଯୁକ୍ତ କରାଯାଇଛି । ଏହି ପଦବୀ ପାଇଁ ସମୀରଙ୍କ ସମେତ ଯୁବ ନେତା ପୃଥ୍ୱୀରାଜ ହରିଚନ୍ଦନ, ଅଭିଜ୍ଞ କନକ ବର୍ଦ୍ଧନ ସିଂଦେଓ ଏବଂ ମନମୋହନ ସାମଲଙ୍କ ନାଁ ଚର୍ଚ୍ଚାରେ ଥିଲା । କିନ୍ତୁ ଶେଷରେ ସହମତି ଭିତ୍ତିରେ ସମୀରଙ୍କୁ ହିଁ ଏହି ଦାୟିତ୍ୱ ଦେବାକୁ ନିଷ୍ପତ୍ତି ହୋଇଛି ।
ରାଜ୍ୟ ସଭାପତି ନିର୍ବାଚନ ଏବଂ ୨୧ଟି ଲୋକସେଭା କ୍ଷେତ୍ରରୁ ୨୧ ରାଷ୍ଟ୍ରୀୟ ପରିଷଦ ସଭ୍ୟ ଚୟନ ପାଇଁ ଆଜି ସକାଳୁ ଚଳଚଞ୍ଚଳ ଥିଲା ବିଜେପି ରାଜ୍ୟ କାର୍ୟ୍ୟାଳୟ । ରାଜ୍ୟ ପ୍ରଭାରୀ ଅରୁଣ ସିଂ, କେନ୍ଦ୍ରୀୟ ପର୍ୟ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ବିଦାୟୀ ରାଜ୍ୟ ସଭାପତି ସାଂସଦ ବସନ୍ତ ପଣ୍ଡା, ବରିଷ୍ଠ ନେତା କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ଦଳର ଅନ୍ୟ ନେତା ଏବଂ କାର୍ୟ୍ୟକର୍ତ୍ତାଙ୍କ ସୁଅ ଛୁଟିଥିଲା ରାଜ୍ୟ କାର୍ୟ୍ୟାଳୟକୁ । ଅପରାହ୍ନରେ ଆରମ୍ଭ ହୋଇଥିଲା ନିର୍ବାଚନୀ ପ୍ରକ୍ରିୟା । ସର୍ବସମ୍ମତିକ୍ରମେ୨୦୧୬ ମସିହାରୁ ରାଜ୍ୟ-ଉପସଭାପତି ଥିବା ସମୀର ମହାନ୍ତି ହିଁ ଭରିଥିଲେ ଏକମାତ୍ର ନାମାଙ୍କନ ପତ୍ର । ଏହାପରେ, ସେ ପରବର୍ତ୍ତୀ ସଭାପତି ଦାୟିତ୍ୱ ନେବା ଘୋଷଣା କେବଳ ମାତ୍ର ଔପଚାରିକତା ଥିଲା ।
୧୯୭୭ରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦରୁ ନିଜ ରାଜନୈତିକ ଜୀବନ ଆରମ୍ଭ କରିଥିବା ସମୀର, ୧୯୮୪ର ବିଜେପି ଯୁବମୋର୍ଚ୍ଚାର ସାଧାରଣ ସଂପାଦକ ହୋଇଥିଲେ । କିନ୍ତୁ ୧୯୮୫ରେ ସରକାରୀ ଚାକିରିରେ ଯୋଗଦାନ କରି ବିଡିଏର ଉପ-ସୂଚନା ଅଧିକାରୀ ଭାବେ ସେ ଦାୟିତ୍ୱ ତୁଲାଇଥିଲେ ।
ମାତ୍ର ୧୯୯୫ରେ ଚାକିରି ଛାଡି, ବିଜେପି ଭୁବନେଶ୍ୱର ଜିଲ୍ଲା ଉପସଭାପତି ଦାୟିତ୍ୱ ନେଲେ ସମୀର । ୨୦୦୦ରେ ରାଜ୍ୟ ବିଜେପିର ସଂପାଦକ ହେଲେ ।
୨୦୦୯ରେ ଏକାମ୍ର ଭୁବନେଶ୍ୱର ଆସନରୁ ବିଜେପିର ବିଧାୟକ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢିଥିଲେ । ଏବେ ବିଜେପିର ସଂଗଠନକୁ ସୁଦୃଢ କରିବା ସହ ଶାସକ ବିଜେଡିର ବିଜୟଧାରାକୁ ଆଗାମୀ ପୌର ନିର୍ବାଚନ ଏବଂ ପଞ୍ଚାୟତ ପରୀକ୍ଷାରେ ପ୍ରତିହତ କରିବା ତାଙ୍କ ପାଇଁ ବଡ଼ ଚ୍ୟାଲେଞ୍ଜ ହେବ ।
୨୦୧୯ରେ ବହୁ ଚର୍ଚ୍ଚିତ ମିଶନ ୧୨୦ ବିଫଳ ହୋଇଥିଲେ ମଧ୍ୟ, ବିଜେପି ୨୧ଟିରୁ ୮ଟି ଲୋକସଭା ଆସନ ଏବଂ ବିଧାନସଭାରେ କଂଗ୍ରେସକୁ ପଛରେ ପକାଇ ମୁଖ୍ୟ ବିରୋଧୀ ଦଳର ମାନ୍ୟତା ହାସଲ କରିଛି । ଆଉ ଏବେ ନୂଆ ଦଳପତିଙ୍କ ନେତୃତ୍ୱରେ ବିଜେପି ତୃଣମୂଳସ୍ତରରୁ କିଭଳି ସଙ୍ଗଠନ ସଜାଡୁଛି ଏବଂ କେତେ ନିର୍ବାଚନୀ ସଫଳତା ପାଉଛି ତାହା ଉପରେ ରହିବ ନଜର ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons