ଜୟପୁର,(ବି.ବି.ନୁ୍ୟଜ୍): ଦିନ ଦ୍ୱିପହରରେ ଚାଲିଛି ବେଆଇନ ବନ୍ୟପ୍ରାଣୀ ଶିକାର । ଶିକାରୀମାନେ ବନ ବିଭାଗ ଆଖିରେ ଆଙ୍ଗୁଠି ଗେଞ୍ଜି ଜୀବଜନ୍ତୁ ମାରି ଚାଲିଛନ୍ତି । ତଥାପି ବିଭାଗର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନି । ବିଭାଗର ନାକତଳେ କୋରାପୁଟ ଘାଟି ତାରିଣୀ ମନ୍ଦିର ପଛପଟେ ଏକ ଝିଙ୍କ ଶିକାର କରି ଦୁର୍ବୃତ୍ତମାନେ ନେଇଯାଇଛନ୍ତି । ଏଥିଲାଗି ବିଭାଗୀୟ କର୍ମଚାରୀଙ୍କ ଅପାରଗତାକୁ ଦାୟୀ କରିଛନ୍ତି ପ୍ରକୃତିପ୍ରେମୀ । ଯାହାକୁ ନେଇ ଅସନ୍ତୋଷ ବଢିବାରେ ଲାଗିଛି ।
ମିଳିଥିବା ସୂଚନା ଅନୁଯାୟୀ, ଶୁକ୍ରବାର ସକାଳୁ ଆଖପାଖ ଅଞ୍ଚଳର କେତେକ ଲୋକ ଜଙ୍ଗଲରେ ପଶିଥିଲେ । ପ୍ରାୟ ୧୦ଟା ବେଳେ ଗୋଟିଏ ଝିଙ୍କ ଶିକାର କରିଥିଲେ । ଏହା ଜଣାପଡିବା ପରେ କେତେକ ସ୍ୱେଚ୍ଛାସେବୀ ସେମାନଙ୍କୁ ଗୋଡାଇଥିଲେ । କେବଳ ଜଣେ ଦୁଇଜଣ ନୁହନ୍ତି, ଆହୁରି ଅନେକ ଲୋକ ଜଙ୍ଗଲ ଭିତରେ ଅଛନ୍ତି ବୋଲି କହି ଝିଙ୍କ ଧରି ସେମାନେ ଚମ୍ପଟ ମାରିଥିଲେ । ମୃତ ଝିଙ୍କର ଓଜନ ୧୦ରୁ ୧୫ କେଜି ହେବ । ଏହାର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ମୃତ ଝିଙ୍କର କାଠି, ନଖ, ମାଂସ, ଦାନ୍ତ ଏବଂ ଚମଡା ବିଭିନ୍ନ କାମରେ ଆସୁଥିବାରୁ ଶିକାରୀଙ୍କ ଲୋଲୁପଦୃଷ୍ଟି ଏହା ଉପରେ ପଡିଥିଲା । ଏ ସମ୍ପର୍କରେ ଡିଏଫଓ ଏନ. ଏସ୍ ଜଗଦୀଶ ପ୍ରସାଦ ସିଂ କହିଛନ୍ତି, ଘଟଣା ସମ୍ପର୍କରେ ତାଙ୍କ ପାଖରେ କିଛି ଖବର ନାହିଁ । ତଥାପି ବିଭାଗୀୟ କର୍ମଚାରୀଙ୍କୁ ତଦନ୍ତଲାଗି ନିଦେ୍ର୍ଧଶ ଦିଆଯିବ । ତଦନ୍ତ ରିପୋର୍ଟ ମିଳିବା ପରେ ଯାହା କିଛି କୁହାଯାଇପାରିବ ।
ଅଭିଯୋଗ ହେଉଛି, ବିଭାଗୀୟ କର୍ମଚାରୀ ନାମକୁମାତ୍ର କ୍ଷେତ୍ର ପରିଦର୍ଶନ କରୁଛନ୍ତି । କେତେକ ଅସାଧୁ କର୍ମଚାରୀଙ୍କ ସଲାସୁତୁରାରେ ଶିକାର ଚାଲିଛି । ଜଙ୍ଗଲି ଜନ୍ତୁଙ୍କ ମାଂସର ଲାଳସା କାରଣରୁ ଅବାଧ ଶିକାର ବଢୁଛି । କେତେକ କର୍ମଚାରୀ ପ୍ରତିଦିନ କ୍ଷେତ୍ର ପରିଦର୍ଶନ ନକରି ବସି ରହୁଛନ୍ତି । କେବଳ କାଗଜପତ୍ରରେ ଫିଲଡ୍ ଭିଜିଟ୍ ଚାଲିଥିବା ଦର୍ଶାଉଛନ୍ତି । ବିଭାଗୀୟ ଅଧିକାରୀମାନେ ବି ଏଥିପ୍ରତି ଆଖିବୁଜି ଦେଉଛନ୍ତି । ଜୀବଜନ୍ତୁଙ୍କ ସୁରକ୍ଷା ଦିଗରେ ସେଭଳି କିଛି ଆଖିଦୃଷ୍ଟିଆ ପଦକ୍ଷେପ ନିଆଯାଉନି । ଖିଲାପକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁÂାନ ନିଆଯାଉନଥିବାରୁ ଅସାଧୁ କର୍ମଚାରୀ ଏବଂ ଶିକାରୀଙ୍କ ସାହସ ବଢୁଛି । ସେମାନେ ଅବାଧରେ ବନ୍ୟପ୍ରାଣୀ ଶିକାର କରୁଛନ୍ତି । ଏହାକୁ ରୋକାନଗଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ଏବଂ ଦରକାର ପଡିଲେ ବିଭାଗୀୟ କାର୍ଯ୍ୟାଳୟରେ ତାଲା ପକାଇଦେବେ ବୋଲି କହିଛନ୍ତି କେତେକ ପ୍ରକୃତିପ୍ରେମୀ ।
ସୂଚନାଥାଉକି, ଜୟପୁର ରେଞ୍ଜ ଅଧୀନରେ ଆସୁଥିବା ଏହି ଅଞ୍ଚଳ ବନ୍ୟପ୍ରାଣୀଙ୍କ ଲାଗି ଉପଯୁକ୍ତ ଆବାସସ୍ଥଳୀ । ଏଠାରେ ଝିଙ୍କ, ଭାଲୁ, ବଣ ବିଲେଇ, କୁଟୁରା, ଠେକୁଆ, ବାର୍ହା, ଶାଳିଆପତନି, ନେଉଳ, ଚିଲ ରହୁଛନ୍ତି । ଅବାଧ ଗଛକଟା, ଜନସାଧାରଣଙ୍କ ଚଳପ୍ରଚଳ, ରକ୍ଷଣାବେକ୍ଷଣ ଅଭାବ ଏବଂ ବିଭାଗୀୟ ସ୍ଥାଣୁତା କାରଣରୁ ପଶୁପକ୍ଷୀଙ୍କ ସଂଖ୍ୟା ଦିନକୁ ଦିନ କମିବାରେ ଲାଗିଛି ।


Comments are closed, but trackbacks and pingbacks are open.