ବାରିପଦା ,(ବି.ବି.ନୁ୍ୟଜ୍): ଜେଲ ଭିତରେ ଅଭିନବ ଢଙ୍ଗରେ ବାହାଘର । ନଥିଲା ବାଣ, ରୋଷଣୀ କି ଢୋଲ, ନାଗରା । ମନ୍ତ୍ରଚାରଣ ପାଇଁ ବେଦଜ୍ଞ ବ୍ରାହ୍ମଣ ବି ନଥିଲେ । ତଥାପି ନିଆରା ଢଙ୍ଗରେ ଜେଲ ସଂସ୍କାର କାର୍ଯ୍ୟକ୍ରମରେ ସମାଜରେ ଏକ ଉଦାହରଣ ସୃଷ୍ଟି କରିବା ସହ ଏକ ନିଆରା ବାର୍ତ୍ତା ଦେବାକୁ ଜେଲ କର୍ତ୍ତୃପକ୍ଷ କରାଇଥିଲେ ଏହି ବାହାଘର । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ଜେଲରେ ହୋଇଥିବା ଏହି ବାହାଘର ବେଶ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ସୂଚନା ମୁତାବକ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ଥାନା ଅନ୍ତର୍ଗତ ସାରିପଦା ଗାଁର କୁମାର ହେମ୍ବ୍ରମ ନାମକ ଜଣେ ଯୁବକ ଦେଓ ପ୍ରକଳ୍ପରେ ଡମ୍ଫର ଡ୍ରାଇଭର ଭାବେ କାମ କରୁଥିବା ବେଳେ ସେଠାରେ ଦିନ ମଜୁରିଆ ଭାବେ କାମ କରୁଥିବା କରଞ୍ଜିଆ ମିରିଗି ନେଣ୍ଡିି ଗାଁର ଜଣେ ଯୁବତୀଙ୍କ ସହ ପ୍ରେମ ସଂପର୍କ ଗଢି ଉଠିଥିଲା । ଏହି ସଂପର୍କ ଆଗକୁ ବଢି ଶାରୀରିକ ସଂପର୍କରେ ପରିଣତ ହୋଇଥିବା ବେଳେ ଏହାକୁ କୌଣସି କାରଣରୁ ଗାଁ ଲୋକେ ଓ ପରିବାର ଲୋକେ ବିରୋଧ କରିଥିଲେ । ଫଳରେ କରଞ୍ଜିଆ ଥାନାରେ ଅଭିଯୋଗ ପରେ କରଞ୍ଜିଆ ପୁଲିସ କୁମାରଙ୍କୁ ବଳାକ୍ରାର କରିଥିବା ଅଭିଯୋଗରେ ଗିରଫ କରିଥିଲା । ଗତ ୨୦୧୯ ମସିହା ମାର୍ଚ୍ଚ ମାସ ୨୫ତାରିଖରୁ କୁମାର କରଞ୍ଜିଆ ଜେଲର କାଳ କୋଠରୀ ଭିତରେ ରହୁଥିବା ବେଳେ ଥିଲେ ତାଙ୍କର ବ୍ୟବହାର, କଥାବାର୍ତ୍ତା ଏବଂ ହାବଭାବ ଜେଲ କର୍ତ୍ତୃପକ୍ଷଙ୍କୁ ବେଶ ମୋହିତ କରିଥିଲା । ଏକଦା ମାଜିଷ୍ଟେ୍ରଟ ଜେଲ ପରିଦର୍ଶନରେ ଆସିଥିବା ବେଳେ ଜେଲ କର୍ତ୍ତୃପକ୍ଷ ମାଜିଷ୍ଟେ୍ରଟଙ୍କ ଆଗରେ କୁମାର ହେମ୍ବ୍ରମଙ୍କ ପ୍ରମସଂପର୍କ ବାବଦରେ କହିଥିଲେ । ଭୁଲ ବୁଝାମଣା ପାଇଁ ଏଭଳି ହୋଇଥିବା ବେଳେ କୁମାର ପୀଡିତାଙ୍କୁ ତାଙ୍କ ଜୀବନ ସାଥୀରୂପେ ଗ୍ରହଣ କରିବାକୁ ଚାହାନ୍ତି ବୋଲି କହିଥିଲେ । ଏହି ପ୍ରେମ କାହାଣୀକୁ ସଂପୂର୍ଣ୍ଣ ଶୁଣିବାପରେ କୁମାର ଓ ପୀଡିତାଙ୍କ ବାହାଘର ପାଇଁ ମାଜିଷ୍ଟେ୍ରଟ ରାଜି ହୋଇଥିଲେ । ଏହା ପରେ ଜେଲ କର୍ତ୍ତୃ ପକ୍ଷ ଏ ନେଇ ଚିଠିପତ୍ର ଲେଖାଲେଖି କରିବା ସହ ମ୍ୟାରେଜ ରେଜିଷ୍ଟାରଙ୍କୁ ଏହି ବାହାଘର କରାଇବା ପାଇଁ ଅନୁରୋଧ କରିଥିଲେ । ଏଥି ସହିତ ଦୁଇ ପରିବାରଙ୍କୁ ମଧ୍ୟ ଡାକି କଥାବାର୍ତ୍ତା କରିଥିଲେ । ବାହାଘର ପାଇଁ ଉଭୟ ପକ୍ଷର ସମସ୍ତେ ରାଜି ହେବା ପରେ କୁମାର ପୁଣି ଥରେ ତାଙ୍କ ପ୍ରେମକୁ ତାଙ୍କର ଜୀବନସାଥୀ ପାଇଛନ୍ତି । ଜେଲ ଭିତରେ ସେ ତାଙ୍କର ପ୍ରେମିକାଙ୍କୁ ମାଳ ବଦଳ କରିବା ସାଙ୍ଗକୁ ସିନ୍ଦୂର ଲଗାଇ ସାରା ଜୀବନ ପାଇଁ ଜୀବନ ସାଥୀ କରିଛନ୍ତି । ଏହି ବାହାଘରରେ ନବଦମ୍ପତି ଉଭୟ ଉଭୟଙ୍କୁ ପାଇ ଖୁସି ବୋଲି କହିବା ସହ ମ୍ୟାରେଜ ରେଜିଷ୍ଟାରଙ୍କ ଆଗରେ ଶପଥ ପାଠ କରିଛନ୍ତି । ଶୁକ୍ରବାର କରଞ୍ଜିଆ ଉପକାରାଗାର ଭିତରେ ହୋଇଥିବା ଏହି ବାହାଘରରେ ଜେଲର ଉପେନ୍ଦ୍ର ଜେନାଙ୍କ ସମେତ ସମସ୍ତ ଜେଲ କର୍ମଚାରୀ ଓ ରେଜେଷ୍ଟ୍ରି ଅଫିସର କର୍ମଚାରୀ ଉପସ୍ଥିତ ଥିଲେ ।
Comments are closed, but trackbacks and pingbacks are open.