ନୂଆଦିଲ୍ଲୀ: ଚୀନ୍ ଠାରୁ ନେଇଥିବା ବିପୁଳ ଋଣ ସୁଝିବାକୁ ପାକିସ୍ତାନ ଅକ୍ଷମ ହେଉଛି । ତେଣୁ ଏବେ ସିଏ ଋଣ ବାବଦକୁ ପିଓକେ(ପାକ୍ ଅଧିକୃତ କାଶ୍ମୀର)ର କିଛି ଅଂଶ ଚୀନ୍କୁ ଦେବାକୁ ଚିନ୍ତା କରୁଛି ।
ୟୁରେସିଆନ ଟାଇମ୍ସ ସମ୍ବାଦପତ୍ରରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ପାକିସ୍ତାନ ଦେଇ ଯେଉଁ ଚାଇନା-ପାକିସ୍ତାନ ଇକୋନୋମିକ୍ କରିଡର( ସିପିଇସି) ପ୍ରକଳ୍ପ ନିର୍ମାଣ କରୁଛି, ସେଥିପାଇଁ ସେଠାରେ ପ୍ରାୟ ୬୦ ବିଲିୟନ ଡଲାର ନିବେଶ କରିଛି । ଏହା ମଧ୍ୟରୁ ୨୧.୭ ବିଲିୟନ ଡଲାର ଚୀନ୍ ପାକିସ୍ତାନକୁ ଋଣ ଆକାରରେ ଦେଇଛି । ଏହି ଋଣରୁ ୧୫ ବିଲିୟନ ଡଲାର ଚୀନ୍ ସରକାର ଦେଇଥିଲାବେଳେ ବାକି ୬.୭ ବିଲିୟନ ଡଲାର ସେଠାକାର କିଛି ଅର୍ଥ ଲଗାଣକାରୀ ସଂସ୍ଥା ଦେଇଛନ୍ତି । କିନ୍ତୁ ଆର୍ଥିକ ସଂକଟ ଏବଂ ଅନ୍ୟାନ୍ୟ ଆଭ୍ୟନ୍ତରୀଣ ସମସ୍ୟା ଯୋଗୁ ପାକିସ୍ତାନ ଏବେ ଋଣ କେମିତି ସୁଝିବ ତାହା ଜାଣିପାରୁନାହିଁ । ପାକିସ୍ତାନ ପାଖରେ ମାତ୍ର ୧୦ ବିଲିୟନ ଡଲାରର ବିଦେଶୀ ମୁଦ୍ରା ଭଣ୍ଡାର ରହିଛି । ଦେଶରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡିକର ମୂଲ୍ୟ ଆକାଶଛୁଆଁ ହୋଇଥିଲାବେଳେ ସରକାରୀ ରାଜସ୍ୱର ଏକ ବଡ଼ ଭାଗ ଋଣ ସୁଝିବାରେ ଯାଉଛି । ଏପରି ସ୍ଥିତିରେ ପାକିସ୍ତାନ ଚୀନ୍ର ଋଣ ସୁଝିବା ପାଇଁ ଏକ ନୂଆ ପନ୍ଥା ବାହାର କରିଛି । ସିଏ ଏଥିପାଇଁ ପିଓକେର କିଛି ଅଂଶ ଚୀନ୍କୁ ବିକ୍ରି କରିବାକୁ ଚାହୁଁଛି ।
ଚୀନ୍ ପୂର୍ବରୁ ପିଓକେ ଏବଂ ଗିଲଗିଟ୍-ବାଲତିସ୍ତାନ ଦେଇ ସିପିଇସି ପ୍ରକଳ୍ପ ନିର୍ମାଣ କରୁଛି । ଏହାକୁ ନେଇ ଭାରତ ଅନେକ ଥର ଆପତ୍ତି କରୁଛି । ଭାରତ ସେଇ ଦୁଇଟି ଅଞ୍ଚଳକୁ ନିଜର ବୋଲି ମାନୁଥିବାରୁ ସିପିଇସି ଯୋଗୁ ତା’ର ସାର୍ବଭୌମତ୍ୱର ଉଲ୍ଲଂଘନ ହେଉଥିବାର ଅଭିଯୋଗ କରୁଛି । ଏବେ ଯଦି ପାକିସ୍ତାନ ସତରେ ପିଓକେର କିଛି ଅଂଶ ଚୀନ୍କୁ ବିକ୍ରି କରେ, ତାହାହେଲେ ଏହାଯୋଗୁ ଭାରତ ସହ ତା’ର ତିକ୍ତତା ଆହୁରି ବଢ଼ିଯିବ ବୋଲି ମନେ କରାଯାଉଛି ।
ସୂଚନାଯୋଗ୍ୟ ଯେ, ସିପିଇିସି ପ୍ରକଳ୍ପ ଜରିଆରେ ଚୀନ୍ ନିଜର ଜିନଜିୟାଙ୍ଗ ପ୍ରଦେଶକୁ ପାକିସ୍ତାନର ବେଲୁଚିସ୍ତାନ ପ୍ରଦେଶ ଅନ୍ତର୍ଗତ ଗ୍ୱାଦର ସହର ସହିତ ଯୋଡ଼ୁଛି । ଚୀନ୍ ଆରବ ସାଗରରୁ ଗ୍ୱାଦର ବନ୍ଦର ଏବଂ ସିପିଇସି ମାର୍ଗ ଦେଇ ବାଣିଜ୍ୟ କାରବାର ଚଳାଇବାକୁ ଚାହୁଁଛି । ଚୀନ୍ ଏଥିପାଇଁ ପାକିସ୍ତାନରେ ସଡ଼କ, ରେଳ ପଥ ଏବଂ ଅନ୍ୟାନ୍ୟ ଭିତ୍ତିଭୂମିର ନିର୍ମାଣ କରୁଛି । ଚୀନ୍ ସିପିଇସିର ଅଧିକାଂଶ ପ୍ରକଳ୍ପର ଠିକା ନିଜ କଂପାନିଙ୍କୁ ଦେଇଥିଲାବେଳେ ନିଜ ଦେଶରୁ ଶ୍ରମିକମାନଙ୍କୁ ଆଣି ପାକିସ୍ତାନରେ ସେସବୁକୁ କାର୍ଯ୍ୟକାରୀ କରାଉଛି । ଏହାଯୋଗୁ ପାକିସ୍ତାନ ଋଣଗ୍ରସ୍ତ ହେଉଥିବାର ଅନେକ ବିଶେଷଜ୍ଞ ମତ ଦେଉଥିଲେ ମଧ୍ୟ ପାକିସ୍ତାନ ତାହାକୁ ଅଣଦେଖା କରୁଛି ।
Comments are closed, but trackbacks and pingbacks are open.