ନଡ୍ଡା ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ

Get real time updates directly on you device, subscribe now.

ନୂଆଦିଲ୍ଲୀ: ବିଜେପିର କାର୍ଯ୍ୟକାରୀ ଅଧ୍ୟକ୍ଷ ଜଗତ ପ୍ରକାଶ ନଡ୍ଡା ସୋମବାର ନିଦ୍ୱର୍ନ୍ଦରେ ତଥା ସର୍ବସମ୍ମତି କ୍ରମେ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ ହୋଇଛନ୍ତି । ବିଜେପିର ଏକାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ୩ ବର୍ଷ ଅର୍ଥାତ ୨୦୨୨ ପର୍ଯ୍ୟନ୍ତ ସେ ଏହି ପଦବି ସମ୍ଭାଳିବେ । ଦଳର ବିଦାୟୀ ଅଧ୍ୟକ୍ଷ ଅମିତ ଶାହଙ୍କ ଠାରୁ ନଡ୍ଡା ଦାୟିତ୍ୱ ଗ୍ରହଣ କରିଛନ୍ତି ।
ବିଜେପି ସଂଗଠନର ନିର୍ବାଚନ ପ୍ରଭାରୀ ରାଧାମୋହନ ସିଂହ ଦିଲ୍ଲୀସ୍ଥିତ ଦଳର ମୁଖ୍ୟ କାର୍ଯ୍ୟଳୟରେ ନୂତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ନଡ୍ଡାଙ୍କ ନାମ ଘୋଷଣା କରିଥିଲେ । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ସମେତ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏବଂ ସଡକ ପରିବହନ ମନ୍ତ୍ରୀ ନୀତୀନ ଗଡକରୀ ନଡ୍ଡାଙ୍କ ନାମ ପ୍ରସ୍ତାବ ଦେଇଥିଲେ । ଫଳରେ ସର୍ବସମ୍ମତକ୍ରମେ ନଡ୍ଡାଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚିତ କରାଯାଇଥିଲା । ଦଳର ମୁଖ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଦଳର ବରିÂ ନେତା ଲାଲକୃଷ୍ଣ ଆଡଭାନୀ, ମୁରଲୀ ମନୋହର ଯୋଶୀ ଏବଂ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଉପସ୍ଥିତ ଥିଲେ । ୫୯ ବର୍ଷୀୟ ନଡ୍ଡା ଦଳର ଅଧ୍ୟକ୍ଷ ନିର୍ବାଚିତ ହେବା ଯଦିଓ ପୂର୍ବରୁ ସୁନିଶ୍ଚିତ ଥିଲା, ତେବେ ସୋମବାର ବିଧିବଧ ଭାବେ ଏହି ପ୍ରକ୍ରିୟା ଶେଷ ହୋଇଛି । ଦଳର ଅଧ୍ୟକ୍ଷ ଭାବେ ଶାହଙ୍କ କାର୍ଯ୍ୟକାଳ ଗତବର୍ଷଠାରୁ ହିଁ ଶେଷ ହୋଇଯାଇଥିଲା । କିନ୍ତୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କ କାର୍ଯ୍ୟକାଳର ସମୟସୀମା ବଢ଼ାଯିବା ସହ ନଡ୍ଡାଙ୍କୁ ଗତବର୍ଷ ଜୁନ୍ରେ କାର୍ଯ୍ୟକାରୀ ଅଧ୍ୟକ୍ଷ ନିଯୁକ୍ତ କରାଯାଇଥିଲା ।

ବିହାରର ପାଟନାରେ ୧୯୬୦ ଡିସେମ୍ବର ୨ରେ ଜନ୍ମିତ ନଡ୍ଡା ଆର୍ଏସ୍ଏସ୍ ଏବଂ ଏବିଭିପି ଜରିଆରେ ତୃଣମୂଳ ସ୍ତରରୁ ଦଳ ପାଇଁ କାମ କରିଛନ୍ତି । ୧୯୯୩ରେ ପ୍ରଥମ କରି ସେ ହିମାଚଳ ପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ୧୯୯୪ରୁ ୧୯୯୮ ପର୍ଯ୍ୟନ୍ତ ସେ ବିଧାନସଭାରେ ଦଳର ନେତା ହୋଇଥିଲେ । ୧୯୯୮ରେ ସେ ପୁଣି ବିଧାନସଭାକୁ ନିର୍ବାଚିତ ହୋଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ୨୦୦୭ରେ ସେ ପୁଣି ବିଧାନସଭାକୁ ନିର୍ବାଚିତ ହେଲେ । ପ୍ରେମ କୁମାର ଧୁମଲଙ୍କ ସରକାରରେ ତାଙ୍କୁ କ୍ୟାବିନେଟ ମନ୍ତ୍ରୀ କରାଯାଇଥିଲା । ୨୦୦୮ରୁ ୨୦୧୦ ପର୍ଯ୍ୟନ୍ତ ସେ ଜଙ୍ଗଲ ଓ ପରିବେଶ ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀ ରହିଥିଲେ । ୨୦୧୨ ବିଧାନସଭା ନିର୍ବାଚନ ସେ ଲଢ଼ିନଥିଲେ । ବଦଳରେ ସେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ୨୦୧୪ରେ ମୋଦିଙ୍କ ପ୍ରଥମ ପାଳି କ୍ୟାବିନେଟରେ ସେ ସ୍ୱାସ୍ଥ୍ୟମନ୍ତ୍ରୀ ଥିଲେ ।
ନୂତନ ଦାୟିତ୍ୱ ଗ୍ରହଣ କରିବା ପରେ ବିଭିନ୍ନ ମହଲରେ ନଡ୍ଡାଙ୍କୁ ଶୁଭେଚ୍ଛା ଜଣାଯାଇଛି । ଦଳର ମୁଖ୍ୟ କାର୍ଯ୍ୟାଳୟରେ ଆୟୋଜିତ ଅଭିନନ୍ଦନ ସମାରୋହରେ ମୋଦି ନଡ୍ଡାଙ୍କର ନେତୃତ୍ୱ ଶୈଳୀର ପ୍ରଶଂସା କରିଥିଲେ । କହିଥିଲେ ନଡ୍ଡାଙ୍କ ନେତୃତ୍ୱରେ ଦଳ ନୂତନ ଶିଖର ଛୁଇଁବ । ଦଳ ପ୍ରତି ନଡ୍ଡାଙ୍କର ଥିବା ଉତ୍ସର୍ଗୀକୃତ ମନୋଭାବ ଏବଂ ତାଙ୍କର ଆଦର୍ଶ ଦଳକୁ ଆହୁରି ସୁଦୃଢ଼ ତଥା ତୃଣମୂଳସ୍ତରରୁ ମଜବୁତ କରିପାରିବ ବୋଲି ମୋଦି ପ୍ରକାଶ କରିଥିଲେ ।

ସେହିଭଳି ଶାହ ମଧ୍ୟ ନଡ୍ଡାଙ୍କୁ ଶୁଭକାମନା ଜଣାଇଛନ୍ତି । କହିଛନ୍ତି ନଡ୍ଡାଙ୍କ ନେତୃତ୍ୱରେ ବିଜେପି ନୂତନ କିର୍ତ୍ତୀମାନ ସ୍ଥାପନ କରିବ । ତାଙ୍କର କାର୍ଯ୍ୟ କରିବାର ଶୈଳୀ ଏବଂ ଅଭିଜ୍ଞତାର ଲାଭ ଦଳକୁ ମିଳିବ । ପ୍ରଧାନମନ୍ତ୍ରୀ ମୋଦିଙ୍କ ମାର୍ଗଦର୍ଶନ ଏବଂ ନଡ୍ଡାଙ୍କ ନେତୃତ୍ୱରେ ବିଜେପି ଅଧିକ ସଶକ୍ତ ହେବ । ସେହିଭଳି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ନଡ୍ଡାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଶ୍ରୀ ପ୍ରଧାନ ଏକ ବିବୃତ୍ତିରେ କହିଛନ୍ତି ଯେ ସଙ୍ଗଠନରେ ଦୀର୍ଘ ସମୟର ଅନୁଭବ ରଖିଥିବା ଏବଂ ଦକ୍ଷ କାର୍ଯ୍ୟଶୈଳୀ ପାଇଁ ପରିଚିତ ନଡ୍ଡା ବିଜେପିର ଜଣେ କର୍ମଠ କର୍ମକର୍ତ୍ତା ଅଟନ୍ତି । ତାଙ୍କ ନେତୃତ୍ୱରେ ଦଳ ନୂଆ ଗୌରବ ଓ ସଫଳତା ହାସଲ କରିବ ବୋଲି ସେ ଆଶା କରିଥିବା ଧର୍ମେନ୍ଦ୍ର କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons