୩ ଓଡ଼ିଆ ବାଳିକାଙ୍କୁ ସାହସିକତା ପୁରସ୍କାର

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ସାହସିକତା ପାଇଁ ଓଡ଼ିଶାର ୩ ବାଳିକା ପାଇବେ ଜାତୀୟ ସାହସିକତା ପୁରସ୍କାର । ଆସନ୍ତା ସାଧାରଣତନ୍ତ୍ର ଦିବସ ଅବସରରେ ଅନ୍ୟ ୧୯ ଜଣଙ୍କ ସମେତ ଏମାନେ ନୂଆଦିଲ୍ଲୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟରୁ ଏହି ସାହସିକତା ସମ୍ମାନ ଗ୍ରହଣ କରିବେ ।
ଭାରତୀୟ ବାଳ ବିକାଶ ପରିଷଦ (ଆଇସିସିଡବ୍ଲୁ୍ୟ) ପକ୍ଷରୁ ଜାତୀୟ ସାହସିକତା ପୁରସ୍କାର-୨୦୧୯ ପାଇଁ ମନୋନୀତ ହୋଇଥିବା ଓଡ଼ିଶାର ଏହି ୩ ବାଳିକା ହେଲେ, କେନ୍ଦ୍ରାପଡ଼ା ଜିଲ୍ଲା ନିପାଣିଆ ଗ୍ରାମର ଦୁଇ ଭଉଣୀ ପୂର୍ଣ୍ଣିମା ଗିରି (୧୬) ଓ ସବିତା ଗିରି (୧୫) ଏବଂ ଅନୁଗୁଳ ଜିଲ୍ଲା ତାଳଚେର ଘଣ୍ଟପଡ଼ାର ଶ୍ରୀମତୀ ବଦ୍ରା (୧୦) ।
ବତୀଘର ହାଇସ୍କୁଲରେ ନବମ ଶ୍ରେଣୀରେ ପଢ଼ୁଥିବା ଗିରି ଭଉଣୀ ଦ୍ୱୟ ଏକ ଶୀତୁଆ ରାତିରେ କୁମ୍ଭୀର ଥିବା ମହାନଦୀର ଶାଖା ନଦୀ ଗଳିଆ ନଈକୁ ବିନା ସଙ୍କୋଚରେ ଲମ୍ଫ ଦେଇ ବୁଡ଼ି ଯାଉଥିବା ଏକ ଡଙ୍ଗାରୁ ୧୨ ଜଣଙ୍କୁ ଉଦ୍ଧାର କରି ଅଦମ୍ୟ ସାହସିକତାର ପରିଚୟ ଦେଇଥିଲେ । ସେହିପରି ତାଳଚେର ଘଣ୍ଟପଡ଼ା ନୋଡାଲ ଉଚ୍ଚ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଶ୍ରୀମତୀ ଉପସ୍ଥିତ ବୁଦ୍ଧି ତଥା ସାହସ ବଳରେ ରେଳଧାରଣାରେ ଗୋଡ଼ କଟି ଯାଇଥିବା ସାଙ୍ଗକୁ ବୋହି ବୋହି ଡାକ୍ତରଖାନାରେ ପହଞ୍ଚାଇ ଜୀବନ ବଞ୍ଚାଇଥିଲେ ।
୨୦୧୯ ଜାନୁଆରୀ ୨ରେ ନିପାଣିଆ ଗାଁର ପୂର୍ଣ୍ଣିମା ଓ ସବିତା ନିକଟସ୍ଥ ଗଳିଆ ନଈ ଡଙ୍ଗାବୁଡ଼ି ଦୁର୍ଘଟଣାରୁ ୧୨ ଜଣ ଯାତ୍ରୀଙ୍କୁ ଉଦ୍ଧାର କରି ଜାତୀୟ ସାହସିକତା ପୁରସ୍କାର (ଧ୍ରୁବ ପୁରସ୍କାର) ପାଇଁ ବିବେଚିତ ହୋଇଛନ୍ତି । ଜାନୁଆରୀର ଶୀତୁଆ ରାତିରେ ଏକ ୫୨ ଜଣିଆ ବଣଭୋଜି ଦଳ ନଦୀରେ ଡଙ୍ଗା ଯୋଗେ ହୁକିଟୋଲାରୁ କୁଜଙ୍ଗ ଫେରୁଥିଲା । ନିପାଣିଆ ଗ୍ରାମ ନିକଟରେ ଡଙ୍ଗାଟି ବୁଡ଼ିଯାଇଥିଲା । କୁମ୍ଭୀର ଥିବା ନଈରେ ଜୀବନ ବଞ୍ଚାଇବାକୁ ବୁଡ଼ିଯାଉଥିବା ଲୋକମାନେ ସାହାଯ୍ୟ ପାଇଁ ଚିକ୍ରାର କରିଥିଲେ । ନଦୀ କୂଳ ନିକଟରେ ବାସ କରୁଥିବା ଏହି ଦୁଇ ଭଉଣୀ ସେମାନଙ୍କ ଚିକ୍ରାର ଶୁଣି ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଲୋକମାନେ ବୁଡ଼ିବା ଆରମ୍ଭ କରିଥିଲେ । ପୂର୍ଣ୍ଣିମା ଓ ସବିତା ସାମାନ୍ୟତମ ବିଳମ୍ବ ନ କରି ବିନା ଭୟରେ ନଦୀ ଗର୍ଭକୁ ପଶିଥିଲେ ଓ ୧୨ ଜଣ ଲୋକଙ୍କୁ ଉଦ୍ଧାର କରିବାରେ ସମର୍ଥ ହୋଇଥିଲେ । ଏହି ଡଙ୍ଗାବୁଡ଼ି ଘଟଣାରେ ଅନ୍ୟ ୧୧ ଜଣ ଲୋକ ନଦୀରେ ବୁଡ଼ି ପ୍ରାଣ ହରାଇଥିବା ବେଳେ ବଳକା ଲୋକ ନିଜେ ପହଁରି ଜୀବନ ବଞ୍ଚାଇଥିଲେ ।
ଅନୁଗୁଳ ଜିଲ୍ଲା ତାଳଚେର ଘଣ୍ଟପଡ଼ା ନିକଟସ୍ଥ ଏକ ବସ୍ତିରେ ବାସ କରୁଥିବା ଶ୍ରୀମତୀ ବଦ୍ରାଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ଟ୍ରେନ୍ ଲାଇନ୍ରେ ଫସି ରହିଥିବା ସାଙ୍ଗର ଜୀବନକୁ ବଞ୍ଚାଇ ଜାତୀୟ ସାହସିକତା ପୁରସ୍କାର (ପ୍ରହଲ୍ଲାଦ ପୁରସ୍କାର) ପାଇଁ ମନୋନିତ ହୋଇଛନ୍ତି । ଘଣ୍ଟପଡା ନୋଡାଲ୍ ଉଚ୍ଚ ବିଦ୍ୟାଳୟର ପଞ୍ଚମ ଶ୍ରେଣୀ ଛାତ୍ରୀ ଶ୍ରୀମତୀ ଓ ତାଙ୍କ ସାଙ୍ଗ ପ୍ରମିଳା ମୁଣ୍ଡା ୨୦୧୮ ନଭେମ୍ବର ୨୭ ମଧ୍ୟାହ୍ନରେ ସ୍କୁଲରୁ ନିଜ ବସ୍ତିକୁ ଫେରିବା ପାଇଁ ରେଳ ଧାରଣା ଅତିକ୍ରମ କରୁଥିଲେ । ହଠାତ୍ ନିକଟରେ ଛିଡ଼ା ହୋଇଥିବା ଏକ ମାଲବାହୀ ଟ୍ରେନ୍ ଚାଲିବା ଆରମ୍ଭ କରିଥିଲା । ଶ୍ରୀମତୀ ରେଳ ଧାରଣା ଅତିକ୍ରମ କରିବାରେ ସଫଳ ହୋଇଥିଲେ । କିନ୍ତୁ ପ୍ରମିଳାଙ୍କ ଡାହାଣ ଗୋଡ଼ ରେଳ ଧାରଣାରେ ଫସି କଟିଯାଇଥିଲା ଓ ସେ ସାହାଯ୍ୟ ପାଇଁ ଚିକ୍ରାର କରିଥିଲେ । ଶ୍ରୀମତୀ ନିଜର ବୁଦ୍ଧି ଘଟାଇ ତକ୍ରାଳ ପ୍ରମିଳାଙ୍କୁ ରେଳଧାରଣାରୁ ବାହାର କରି କାନ୍ଧରେ ବୋହି ୩୦୦ ମିଟର ଦୂରରେ ଥିବା ନିଜ ଅଞ୍ଚଳକୁ ପହଞ୍ଚିଥିଲେ । ସେଠାରୁ ପ୍ରମିଳାଙ୍କୁ ଡାକ୍ତରଖାନା ନିଆଯାଇଥିଲା ଓ ପରବର୍ତ୍ତୀ ସମୟରେ କଟକସ୍ଥିତ ବଡ଼ ମେଡିକାଲକୁ ନିଆଯାଇ ଅସ୍ତେ୍ରାପଚାର କରାଯାଇଥିଲା । ଶ୍ରୀମତୀଙ୍କ ପ୍ରଚେଷ୍ଟା ଓ ସାହସ ଯୋଗୁ ପ୍ରମିଳାଙ୍କ ଜୀବନ ବଞ୍ଚିଗଲା ।
ଓଡ଼ିଶା ପାଇଁ ଗର୍ବ ଓ ଗୌରବ ଆଣିଥିବା ଏହି ୩ ବାଳିକା ଜାତୀୟ ସାହସିକତା ପୁରସ୍କାର ଗ୍ରହଣ ପାଇଁ ଦିଲ୍ଲୀରେ ଅଛନ୍ତି । ସାଧାରଣତନ୍ତ୍ର ଦିବସ ସନ୍ଧ୍ୟାରେ ସେମାନେ ରାଷ୍ଟ୍ରପତିଙ୍କ ନିକଟରୁ ଏହି ସମ୍ମାନ ଗ୍ରହଣ କରିବେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons