ଉମରକୋଟ,(ବି.ବି.ନୁ୍ୟଜ୍): ମଙ୍ଗଳବାର ପୂର୍ବାହ୍ଣରେ ଏଠାରେ ଏକ ସଡକ ଦୁର୍ଘଟଣାରେ ଦମ୍ପତିଙ୍କ ମୃତୁ୍ୟ ଘଟିଛି । ମୃତ ଦମ୍ପତି ହେଲେ ରାଇଘର ବ୍ଲକ୍ କଚରାପାରା ଗାଁର ମିଣ୍ଟୁ ହୀରା ଓ ରେଖା ହୀରା । ସେମାନଙ୍କ ମୃତୁ୍ୟରେ ରାଇଘର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି । ଏହି ଘଟଣା ପରେ ଅନାଥ ହୋଇ ଯାଇଛନ୍ତି ତାଙ୍କର କୁନି କୁନି ୩ ଝିଅ । ସ୍ଥାନୀୟ ଦର୍ଗାଗୁଡା ନିକଟରେ ଆଜି ଏକ ଟ୍ରକ୍ ଧକ୍କାରେ ପ୍ରାଣ ହରାଇଛନ୍ତି ଏହି ଦମ୍ପତି ।
ମିଳିଥିବା ସୂଚନା ଅନୁଯାୟୀ, କଚରାପାରା ଗାଁର ଚାଷୀ ମିଣ୍ଟୁ ଓ ତାଙ୍କ ସ୍ତ୍ରୀ ରେଖା ଆଜି ଏକ ବାଇକ୍ (ସିଜି-୦୬ଡି-୩୫୦୩)ରେ ଗ୍ରୁପ୍ ଟଙ୍କା ଉଠାଇବା ଲାଗି ଉମରକୋଟ ଆସୁଥିଲେ । ପୂର୍ବାହ୍ଣ ପ୍ରାୟ ୧୧ଟା ବେଳେ ଦର୍ଗାଗୁଡା ନିକଟରେ ଦୁହେଁ ଏକ ଟ୍ରାକ୍ଟରକୁ ଓଭର୍ଟେକ୍ କରୁଥିଲେ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ଟ୍ରକ୍ (ଏପି-୩୧ଟିପି-୪୨୭୬) ସେମାନଙ୍କୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ମିଣ୍ଟୁ ଓ ରେଖା ତଳେ ପଡିଯିବା ପରେ ଟ୍ରକ୍ର ଚକ ଉଭୟଙ୍କ ଗୋଡ଼ ଉପରେ ଚଢିଯାଇଥିଲା । ଘଟଣାସ୍ଥଳରେ ହିଁ ମିଣ୍ଟୁଙ୍କ ମୃତୁ୍ୟ ଘଟିଥିଲା । ଗୁରୁତର ଅବସ୍ଥାରେ ରେଖାଙ୍କୁ ପ୍ରଥମେ ଉମରକୋଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଅବସ୍ଥା ଉଦ୍ବେଗଜନକ ଥିବାରୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜ ଓ ହସ୍ପିଟାଲ୍କୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାଙ୍କର ମୃତୁ୍ୟ ହୋଇ ଯାଇଥିଲା । ଡାକ୍ତରଖାନାରେ ପହଞ୍ଚିବା ପରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା ।
ଖବରପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ଉମରକୋଟ ପୁଲିସ୍ । ଦୁର୍ଘଟଣାଗ୍ରସ୍ତ ବାଇକ୍ ସମେତ ମିଣ୍ଟୁଙ୍କ ମୃତଦେହ ଜବତ କରିଥିଲା । ଉମରକୋଟ ଗୋÂୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ବ୍ୟବଚ୍ଛେଦ ପରେ ସମ୍ପର୍କୀୟମାନଙ୍କୁ ହସ୍ତାନ୍ତର କରାଯାଇଛି । ଅନ୍ୟପକ୍ଷରେ ରେଖାଙ୍କ ମୃତଦେହକୁ କୋରାପୁଟ ମେଡିକାଲ୍ କଲେଜରେ ରଖାଯାଇଛି । ବୁଧବାର ଶବ ବ୍ୟବଚ୍ଛେଦ କରାଯିବ ବୋଲି ସୂଚନା ମିଳିଛି । ଏ ସମ୍ପର୍କରେ ସ୍ଥାନୀୟ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଜାରି ରହିଛି । ସୂଚନା ଥାଉକି, ମୃତ ଦମ୍ପତିଙ୍କ ୩ଟି ଝିଅ ଅଛନ୍ତି । ଜଣେ ସପ୍ତମ ଶ୍ରେଣୀରେ ପଢୁଥିବା ବେଳେ ଅନ୍ୟଜଣେ ଚତୁର୍ଥରେ ପଢୁଛି । ସବା ସାନଝିଅ ଏ ପର୍ଯ୍ୟନ୍ତ ସ୍କୁଲ ଯାଇନାହିଁ । ସେମାନଙ୍କ ଥଇଥାନ ବ୍ୟବସ୍ଥା କରିବା ଲାଗି ଗ୍ରାମବାସୀ ଜିଲ୍ଲା ପ୍ରଶାସନ ନିକଟରେ ନିବେଦନ କରିଛନ୍ତି । ନହେଲେ ସେମାନଙ୍କ ଭବିଷ୍ୟତ ନଷ୍ଟ ହୋଇଯିବ ବୋଲି ସେମାନେ ଦୁଃଖର ସହ କହିଛନ୍ତି ।


Comments are closed, but trackbacks and pingbacks are open.