ସୁରକ୍ଷା କର୍ମୀ ସମେତ ୭ ଆନ୍ତଃରାଜ୍ୟ ଅଭିଯୁକ୍ତ ଗିରଫ

Get real time updates directly on you device, subscribe now.

ବଡ଼ବିଲ,(ବି.ବି.ନୁ୍ୟଜ୍): ଜଗନ୍ନାଥ ଷ୍ଟିଲ୍ ପ୍ଲାଣ୍ଟରୁ ୬ଟି ଡମ୍ଫରରେ ରବିବାର ହୋଇଥିବା ଲୁହାପଥର ଚୋରା ଚାଲାଣ ଅଭିଯୋଗକୁ ବଡ଼ବିଲ ଥାନା ପୁଲିସ ଗୁମ୍ଭୀରତାର ସହ ନେଇଛି । ପୁଲିସକୁ ଏହି ଲୁହାପଥର ଚୋରି ର୍ୟାକେଟ୍ ଚକ୍ମା ଦେଖାଇ ଖସି ଯାଇଥିଲା । ତେବେ ଚାଇଁବସାରୁ ସମ୍ପୃକ୍ତ ୭ ଅଭିଯୁକ୍ତଙ୍କୁ ଗିରଫ କରିଛି । ପୁଲିସ ୬ଟି ଡମ୍ଫରକୁ ମଧ୍ୟ ଜବତ କରିଛି । ମଙ୍ଗଳବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ସତ୍ୟବିକାଶ ଭୂୟାଁ ଓ ଥାନାଧିକାରୀ ସୁଶାନ୍ତ କୁମାର ଦାସ ଏହି ସୂଚନା ଦେଇଛନ୍ତି ।
ଗିରଫ ୭ ଅଭିଯୁକ୍ତ ହେଲେ ପଶ୍ଚିମ ସିଂହଭୂମ ଜିଲ୍ଲା ହାଟଗମ୍ଭାରିଆ ଗ୍ରାମର ଦିପକ ସିଂକୁ (୧୯), ବଡ଼ବିଲ ୱାର୍ଡ ନଂ ରବି ପାତ୍ର (୧୮), ୱାର୍ଡ ନଂ ୧୫ର ବିଜୟ ଦାସ (୨୦), ୯ ନଂ ୱାର୍ଡର ଯଶମନ ଧନୱାର (୨୩) ଟ୍ରାନ୍ସପୋର୍ଟ ଏଜେଣ୍ଟ, ୮ ନଂ ୱାର୍ଡର ବିଶ୍ରାମ ତୀର୍କି (୧୯) ଟ୍ରାନ୍ସପୋର୍ଟ ଏଜେଣ୍ଟ, ପଶ୍ଚିମ ସିଂହଭୂମ ଗୋବର ଗାଁର ବିକାଶ ପ୍ରଧାନ (୨୩) ଓ ପଶ୍ଚିମ ସିଂହଭୂମ ଜିଲ୍ଲାର ଜଗନ୍ନାଥପୁର ଥାନା ଅଞ୍ଚଳର ଅମୂଲ୍ୟ ରତ୍ନ ପ୍ରଧାନ (୨୩) । ଦୀପକ, ରବି ଓ ବିଜୟ ଡମ୍ଫରର ଡ୍ରାଇଭର ହୋଇଥିବା ବେଳେ ବିକାଶ ଓ ଅମୂଲ୍ୟ ଜଗନ୍ନାଥ ଷ୍ଟିଲ୍ର ସୁରକ୍ଷା କର୍ମୀ ଏବଂ ଅବଶିଷ୍ଟ ୨ ଜଣ ଟ୍ରାନ୍ସପୋର୍ଟ ଏଜେଣ୍ଟ । ମାଫିଆମାନେ ସୁରକ୍ଷା କର୍ମୀଙ୍କ ସହିତ ମିଶି ପ୍ରାୟ ୬୦ ଟନ୍ ମୂଲ୍ୟବାନ ଲୁହାପଥର ଚୋରି କରି ଚାଲାଣ କରୁଥିଲେ । ପୁଲିସ ବିକାଶ ଠାରୁ ୨୦ ହଜାର ଟଙ୍କା ସମେତ ଓଆର-୦୯ ଇ-୯୬୭୮, ଓଆର -୧୪ ଏଲ-୨୭୮୩, ଓଆର-୦୪ ଇ -୮୪୭୯, ଓଆର- ୦୪ଏଚ୍-୮୪୨୧, ଓଆର-୦୯ ଜେ-୭୩୫୮ ଓ ଓଆର-୦୯ ଇ-୮୩୫୭ ନମ୍ବର ଗାଡ଼ିକୁ ଜବତ କରିଛି । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି ।
ଏଠାରେ ଉଲ୍ଲେଖ କରାଯାଇପାରେ, ଏକ ସଂଗଠିତ ର୍ୟାକେଟ କେନ୍ଦୁଝର ଜିଲ୍ଲାରୁ ବିପୁଳ ଖଣିଜ ସମ୍ପଦ ଚୋରି କରି ପଡେ଼ାଶୀ ରାଜ୍ୟ ଝାଡ଼ଖଣ୍ଡକୁ ନିୟମିତ ଚାଲାଣ କରୁଛନ୍ତି । ପୁଲିସ ନିକଟରେ ବାରମ୍ବାର ଏଭଳି ଅଭିଯୋଗ ହୋଇ ଆସୁଛି । ହେଲେ ମାଫିଆମାନେ ପୁଲିସ ଆଖିରେ ଧୂଳିଦେଇ ଏଭଳି କାରବାର ଚଳାଇ ଆସୁଛନ୍ତି । ଏହି ଚାଲାଣ ର୍ୟାକେଟ୍ରେ ଆନ୍ତଃରାଜ୍ୟ ତଥା ଏକ ପ୍ରଭାବଶଳୀ ଗ୍ୟାଙ୍ଗ୍ ଲିପ୍ତ ରହିଥିବା ପୁଲିସ ଠୋସ୍ ସୂଚନା ପାଇଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons