ବରଗଡ଼,(ବି.ବି.ନୁ୍ୟଜ୍): ବରଗଡ଼ ନିକଟ ଟୁକୁର୍ଲା ଖେଦାପାଲିରେ ୪୫ କୋଟି ବ୍ୟୟରେ ଅତ୍ୟାଧୁନିକ ଚିକିତ୍ସା ସୁବିଧା ସହ ନାନାବିଧ ଯନ୍ତ୍ରପାତି ଏବଂ ଲାଇଫ୍ ସେଭିଂ ଉପକରଣ ବିଶିଷ୍ଟ ବରଗଡ଼ ଡିଏଚ୍ଏଚ୍ ଆଜି ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଲୋକାର୍ପଣ କରି ବରଗଡ଼ ଜିଲ୍ଲାବାସୀଙ୍କୁ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ହାତପାହାନ୍ତାରେ ମଲ୍ଟି ସ୍ପେସାଲିଟି ହସପିଟାଲ ଭଳି ସମସ୍ତ ସୁବିଧା ସୁଯୋଗ ପାଇଥିବାରୁ ବରଗଡ଼ର ନୂତନ ଡିଏଚଏଚ୍ ଘେନି ଆପଣମାନେ ଖୁସି ତ…ବୋଲି ମୁଖ୍ୟମନ୍ତ୍ରୀଙ୍କ ପ୍ରଶ୍ନରେ ସମସ୍ୱରରେ ଗର୍ଜ ଉଠିଥିବା ୨୦ ହଜାର ବ୍ୟକ୍ତିଙ୍କ ଉତ୍ତର “ଆମେ ଖୁସି’ ସହିତ ମୁଖ୍ୟମନ୍ତ୍ରୀଙ୍କ ପ୍ରତ୍ତୁ୍ୟତ୍ତର “ମୁଁ ମଧ୍ୟ ଖୁସି’ ବରଗଡ଼ବାସୀଙ୍କୁ ପୁଣି ଥରେ ଭାବର ବନ୍ଧନରେ ବାନ୍ଧି ପକାଇଛି । ସେହିପରି ଏହି ଅବସରରେ ବରଗଡ଼ବାସୀଙ୍କ ଅନ୍ତରରେ ବସା ବାନ୍ଧିଥିବା ଭୟ ଦୂର କରିବାକୁ ଯାଇ ବରଗଡ଼ରେ ନିଶ୍ଚିତ ଭାବେ ଏକ କ୍ୟାନସର ହସ୍ପିଟାଲ ହେବ ବୋଲି କରିଥିବା ଦୃଢେ଼ାକ୍ତି ବରଗଡ଼ବାସୀଙ୍କୁ ଉହ୍ଲସିତ କରିଛି ।
ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଲୋକାର୍ପଣ ଉତ୍ସବକୁ ଜିଲ୍ଲା ଯୋଜନା ବୋଡର଼୍ ଅଧ୍ୟକ୍ଷ ତଥା ବିଧାୟକ ଦେବେଶ ଆଚାର୍ଯ୍ୟ ସଂଯୋଜନା କରିଥିବା ସମୟରେ ରାଜ୍ୟସଭା ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ, ମନ୍ତ୍ରୀ ଅଶୋକ ପଣ୍ଡା, ମନ୍ତ୍ରୀ ସୁଶାନ୍ତ ସିଂଙ୍କ ସମେତ ପଦ୍ମପୁର ବିଧାୟକ ବିଜୟ ରଞ୍ଜନ ସିଂ ବରିହା, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବିଜେପୁର ବିଧାୟିକା ରୀତା ସାହୁ ତଥା ପୂର୍ବତନ ସାଂସଦ ଡ. ପ୍ରଭାସ ସିଂହ ମଞ୍ଚାସୀନ ରହି ଉଦ୍ବୋଧନ ଦେଇ ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ । ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନ ସ୍ୱାଗତ ଭାଷଣ ପ୍ରଦାନ କରି ନୂତନ ଡିଏଚ୍ଏଚ୍ ବ୍ୟବସ୍ଥା ଉପରେ ସୂଚନା ଓ ସ୍ୱାସ୍ଥ୍ୟ ବିଭାଗର ଅଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ ।
ସୂଚନା ଯୋଗ୍ୟ ନିର୍ଦ୍ଧାରିତ ସମୟରୁ କିଛି ସମୟ ପରେ ହସପିଟାଲ ନିକଟରେ ତିଆରି କରାଯାଇଥିବା ଅସ୍ଥାୟୀ ହେଲିପ୍ୟାଡ଼ରେ ମୁଖ୍ୟମନ୍ତ୍ରୀ ଅବତରଣ କରିଥିବା ବେଳେ ଉପସ୍ଥିତ ନେତାମନ୍ତ୍ରୀ, ସାଂସଦ, ବିଧାୟକ, ନିଗମ ଅଧ୍ୟକ୍ଷ ତଥା ରାଜନୈତିକ ପଦାଧିକାରୀ ତାଙ୍କୁ ସ୍ୱାଗତ କରିଥିଲେ । ବରଗଡ଼ ଜିଲ୍ଲାପାଳ ଶ୍ରୀ ପ୍ରଧାନ ଓ ଏସପି ପଦ୍ମିନୀ ସାହୁଙ୍କ ସମେତ ଜିଲ୍ଲାର ପଦସ୍ଥ ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ହସପିଟାଲ ପରିସରକୁ ପାଛୋଟି ନେବା ପରେ ମୁଖ୍ୟମନ୍ତ୍ରୀ ଫିତାକାଟିବା ସହ ସ୍ମୃତିଫଳକ ଉନ୍ମୋଚନ କରି ବରଗଡ଼ ଡିଏଚ୍ଏଚ୍ ଲୋକାର୍ପିତ କରିଥିଲେ ।
ହସପିଟାଲରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଭୂତି ଭୂଷଣ ମେହେର ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଥିବା ବେଳେ ଡାକ୍ତରଗଣ, ହସପିଟାଲର ବିଭିନ୍ନ ପଦାଧିକାରୀ ତଥା କର୍ମଚାରୀ ଶ୍ରୀ ପଟ୍ଟନାୟକଙ୍କୁ ଅଭିନନ୍ଦନ ଜଣାଇଥିଲେ । ପରେ ମୁଖ୍ୟମନ୍ତ୍ରୀ ଡିଏଚଏଚ୍ ନିକଟରେ ତିଆରି କରାଯାଇଥିବା ସାଇନ୍ସ ସେଣ୍ଟର ଉଦଘାଟନ କରି ବିଜ୍ଞାନପ୍ରେମୀ ଛାତ୍ରଛାତ୍ରୀ ତଥା ବରଗଡ଼ବାସୀଙ୍କ ଉଦେ୍ଧଶ୍ୟରେ ଉତ୍ସର୍ଗ କରିଥିଲେ । ସେଠାରୁ ହସପିଟାଲ ପରିସରରେ ଥିବା ସଭାମଞ୍ଚକୁ ଫେରି ବରଗଡ଼ବାସୀଙ୍କ ଉଦେ୍ଧଶ୍ୟରେ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ ଲୋକଙ୍କ ବିକାଶ ପାଇଁ ସମାପ୍ତ ହୋଇସାରିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଉଦ୍ଘାଟନ ତଥା ହେବାକୁଥିବା ବିଭିନ୍ନ କାମର ଭିତ୍ତିପ୍ରସ୍ତରକୁ ନେଇ ମୋଟ ୩୨ଟି ଫଳକକୁ ଉନ୍ମୋଚନ କରିଥିଲେ । ସେହିଭଳି ଭିନ୍ନକ୍ଷମଙ୍କୁ ବିବାହ କରିଥିବା ସାଧାରଣ ବ୍ୟକ୍ତିମାନଙ୍କୁ ଉତ୍ସାହିତ କରିବା ସହିତ ଏକ ଦୃଷ୍ଟାନ୍ତ ସ୍ଥାପନ କରିବା ପାଇଁ ତିନି ଯୋଡ଼ା ବିବାହିତ ଯୋଡ଼ିଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହଯୋଗ ପ୍ରଦାନ କରିଥିଲେ । ସେମାନେ ହେଲେ ବରପାଲି ବ୍ଲକ ମହଦା ଜିପିର ବର୍ଲାବହାଲ ଗାଁର ସୁବଳ ମାଝି ଓ କୌଶଲ୍ୟା ମାଝି, ବରଗଡ଼ ବ୍ଲକ ଖଣ୍ଡହତାର ଲକ୍ଷ୍ମଣ ସାହୁ ଓ ହେମାଙ୍ଗିନୀ ସାହୁ ଏବଂ ଭଟଲି ବ୍ଲକ ଗୋପାଳପୁରର ସୁଦାମ ପ୍ରଧାନ ଓ ଅନୀତା ପ୍ରଧାନ । ବରଗଡ଼ ଜିଲ୍ଲା ଡ଼ିଏସଏସଓଙ୍କ କାର୍ଯ୍ୟାଳୟ ତରଫରୁ ପ୍ରଦାନ କରାଯାଇଥିବା ଉକ୍ତ ଅର୍ଥରାଶିକୁ ବର୍ତ୍ତମାନ ପାଇଁ ୩ ବର୍ଷିଆ ଫିrଡ଼ ଜମା କରାଯାଇଥିବା ଡ଼ିଏସଏସଓ ସୂଚନା ଦେଇଥିଲେ । ସେହିଭଳି ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ବନାବିରାର ଭୂମିସୂତା ପ୍ରଧାନ ଓ ଲାଉମୁଣ୍ଡାର ମୋହିତ ମେହେରଙ୍କୁ ୩୫ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଥିବା ସମୟରେ ପୁଟୁରୁପାଲିର ସନ୍ତୋଷିନୀ ସାହୁଙ୍କୁ ୪୫ ହଜାର, ଖରସଲର ସୌଭାଗ୍ୟ ପଟେଲଙ୍କୁ ୭୦ ହଜାର ଟଙ୍କା, ଭେଡେନ ରେମଣ୍ଡାର ନୂଆଦେଇ ମେହେରଙ୍କୁ ୮୫ ହଜାର ଟଙ୍କା ତଥା ରେମଣ୍ଡାର ଚନ୍ଦନ ମେହେର ଏବଂ ପଦ୍ମପୁର ଗୁଠୁର୍ଲାର ଯୁବରାଜ ମେହେରଙ୍କୁ ଲକ୍ଷେ ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରି ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କଲ୍ୟାଣୀ ଦାଶ ସଂଯୋଜନା କରିଥିବା ବେଳେ ବିଭାଗୀୟ ପଦାଧିକାରୀ ସହଯୋଗ କରିଥିଲେ । ପାଖାପାଖି ୨୦ ହଜାର ଦର୍ଶକଙ୍କ ଉପସ୍ଥିତି ସମଗ୍ର ଖେଦାପାଲି ପରିସର ସମେତ ଭଟଲି ରାସ୍ତା ଜାମ୍ କରିଦେଇଥିଲେ ମଧ୍ୟ ପୁଲିସ ବିଭାଗ ପକ୍ଷରୁ ନିଆଯାଇଥିବା କଡ଼ାକଡ଼ି ସୁରକ୍ଷା ବ୍ୟବସ୍ଥା ପାଇଁ ସୁରୁଖୁରୁରେ କାର୍ଯ୍ୟ ସମ୍ପାଦିତ ହେବା ସହିତ କୌଣସି ଟ୍ରାଫିକ ଅବ୍ୟବସ୍ଥା ସୃଷ୍ଟି ହୋଇ ନଥିଲା । ଯାହାକୁ ସଚେତନ ବରଗଡ଼ବାସୀ ସ୍ୱାଗତ କରିଛନ୍ତି ।


Comments are closed, but trackbacks and pingbacks are open.