ଭୁବନେଶ୍ୱର,(ବି.ବି.ବୁ୍ୟରୋ): କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ (ଏସ୍ସିବି)ର ହେବ ନବକଳେବର । ବିଶ୍ୱସ୍ତରୀୟ ହସ୍ପିଟାଲ ଭଳି ଏହାର ଭିତ୍ତିଭୂମିକୁ ଆଧୁନିକୀକରଣ କରାଯିବ । ମୁଖ୍ୟମନ୍ତ୍ରୀ ଏ ଘୋଷଣା କରିବାର ଠିକ୍ ଅଢେ଼ଇ ମାସ ପରେ କଟକ ବଡ଼ ମେଡିକାଲକୁ ଏମ୍ସ ପ୍ଲସ ଅନୁÂାନ ଭାବେ ବିକଶିତ କରିବାକୁ ରୂପରେଖ ଚୂଡ଼ାନ୍ତ ହୋଇଛି । ଆସନ୍ତା ମାର୍ଚ୍ଚ ପହିଲାରୁ ଏ ନବକଳେବର କାମର ଶୁଭାରମ୍ଭ ହେବ । ଏଥିପାଇଁ ଆବଶ୍ୟକ ଜମି ଅଧିଗ୍ରହଣ କାମକୁ ତ୍ୱରିତ କରାଯିବ । ଆସନ୍ତା ଫେବ୍ରୁଆରୀ ୨୮ ସୁଦ୍ଧା ପ୍ରଥମ ପର୍ଯ୍ୟାୟ ଜମି ଅଧିଗ୍ରହଣ ପ୍ରକ୍ରିୟା ସରିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତାକାଲି (ଗୁରୁବାର) କଟକ ଗସ୍ତରେ ଯାଇ ଏ ସମ୍ପର୍କରେ ସମୀକ୍ଷା କରିବେ । ଯେଉଁମାନେ ଉଚ୍ଛେଦ ପ୍ରକ୍ରିୟାରେ ବାଦ୍ ପଡ଼ିବେ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍ ମଧ୍ୟ ଘୋଷଣା କରାଯିବା ସମ୍ଭାବନା ଅଛି ।

କଟକ ବଡ଼ ମେଡିକାଲର ଶଯ୍ୟା ସଂଖ୍ୟା ୩ ହଜାରକୁ ବଢ଼ିବ । ବିଶ୍ୱସ୍ତରୀୟ ହସ୍ପିଟାଲ ଭଳି ଏଠାରେ ସମସ୍ତ ପ୍ରକାର ଅତ୍ୟାଧୁନିକ ଚିକିତ୍ସା ସେବା ମିଳିବ । ମୁଖ୍ୟମନ୍ତ୍ରୀ ଏ ନେଇ ଗତ ନଭେମ୍ବରରେ ଘୋଷଣା କରିଥିଲେ । ଏହି ଯୋଜନାକୁ ସାକାର ରୂପ ଦେବା ପାଇଁ ଆଜି ଭୋରରୁ ଯୋବ୍ରାସ୍ଥିତ ନୌବାଣିଜ୍ୟ କେନ୍ଦ୍ର (ମ୍ୟାରିଟାଇମ ମୁ୍ୟଜିିୟମ) ନିକଟରେ ପହଞ୍ଚିଥିଲେ ୫-ଟି ସଚିବ ଭି.କେ. ପାଣ୍ଡିଆନ । ତାଙ୍କ ସହ ଥିଲେ ପୂର୍ତ୍ତ ସଚିବ ଡ.କ୍ରିଷନ କୁମାର, ଜଳସମ୍ପଦ ସଚିବ ସୁରେନ୍ଦ୍ର କୁମାର ଓ ଗୃହ ଏବଂ ନଗର ଉନ୍ନୟନ ସଚିବ ଜି.ମାଥିଭାଥନନ, ଜିଲ୍ଲାପାଳ ଭବାନୀ ଶଙ୍କର ଚୟନି ପ୍ରମୁଖ । ନୌବାଣିଜ୍ୟ କେନ୍ଦ୍ର ପରିସରରେ ୫-ଟି ସଚିବ ଶ୍ରୀ ପାଣ୍ଡିଆନଙ୍କ ଅଧ୍ୟକ୍ଷତାରେ ଏସ୍ସିବିର ନବକଳେବର ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପୂରା ଯୋଜନାର ସମୀକ୍ଷା ହୋଇଥିଲା । ଏସ୍ସିବି ସମ୍ପ୍ରସାରଣ ହେଲେ ଜଳ ସମ୍ପଦ ବିଭାଗର କେତେ କ୍ୱାର୍ଟର୍ସ ଓ ଅଫିସ ସ୍ଥାନାନ୍ତରିତ ହେବା ସହ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲର ଜମି ବାବଦରେ ଆଲୋଚନା ହୋଇଥିଲା । ବରିÂ ଅଧିକାରୀମାନେ କଟକରୁ ଫେରିବା ପରେ ଲୋକସେବା ଭବନରେ ଜରୁରୀ ବୈଠକ ବସି ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇଛି । ଆଜି ସନ୍ଧ୍ୟା ସୁଦ୍ଧା ଜିଲ୍ଲାପାଳ ଓ ଆର୍ଡିସି ଜମି ଅଧିଗ୍ରହଣ ନେଇ ପ୍ରସ୍ତାବ ଦେଇଛନ୍ତି । ଏ ସଂପର୍କରେ ବିଜ୍ଞପ୍ତି ଜାରି ସହ ତ୍ୱରିତ ଅଧିଗ୍ରହଣ ପ୍ରକ୍ରିୟା ଆରମ୍ଭ ହେବ ।
ଆଜିର ସମୀକ୍ଷା ପରେ ନିଷ୍ପତ୍ତି ହୋଇଛି ଯେ, ଏସ୍ସିବିର ନବକଳେବର ପାଇଁ ପ୍ରଥମ ପର୍ଯ୍ୟାୟରେ ୨୫ ଏକର ଜମିକୁ ଅକ୍ତିଆରକୁ ଅଣାଯିବ । ଏଥିମଧ୍ୟରେ ପ୍ରାୟତଃ ସରକାରୀ ଜମି ରହିଛି । ରାଣୀହାଟ ପଟୁ ମେଡିକାଲକୁ ଆସିବାବେଳେ ଡାକ୍ତରମାନଙ୍କ ପାଇଁ ଥିବା ୧୩ଟି କ୍ୱାର୍ଟର୍ସକୁ ଉଚ୍ଛେଦ କରାଯିବ । ଏହାବଦଳରେ ସେଇ ଡାକ୍ତରମାନଙ୍କୁ ଘର ଭଡ଼ା ବାବଦକୁ ଆର୍ଥିକ ସହାୟତା ଦିଆଯିବ । ଏହି କ୍ୱାର୍ଟର୍ସ ପାଖରେ ଆଉ କିଛି ଜମି ଖାଲି ଅଛି । ଏଭଳି ଭାବେ ସହଜରେ ୬/୭ ଏକର ଜମି ମିଳିଯିବ । ସେହିପରି ଏସ୍ସିବି ଖେଳ ପଡ଼ିଆ ଓ ଏହା ପାଖକୁ ଲାଗି ଥିବା ଷ୍ଟାଫ୍ କ୍ୱାର୍ଟର୍ସଗୁଡ଼ିକୁ ଭଙ୍ଗାଯିବ । ସେହି କର୍ମଚାରୀମାନଙ୍କ ରହଣି ପାଇଁ ସରକାର ସ୍ୱତନ୍ତ୍ର ବ୍ୟବସ୍ଥା ଘୋଷଣା କରିବେ । କ୍ଷତିଗ୍ରସ୍ତଙ୍କ ପାଇଁ ପ୍ୟାକେଜ୍ ମଧ୍ୟ ଘୋଷଣା ହେବ । ଏଭଳି ଭାବେ ଏସ୍ସିବି ପଡ଼ିଆ ଓ ଷ୍ଟାର୍ଫ କ୍ୱାର୍ଟସ ଜମିକୁ ମିଶାଇ ପ୍ରାୟ ୭/୮ ଏକର ଜମି ମିଳିଯିବ । ଏସ୍ସିବି ପରିସରରୁ ପ୍ରାୟ ୧୩ରୁ ୧୪ ଏକର ଜମି ମିଳିଯିବ ପ୍ରକଳ୍ପ ପାଇଁ । ଅବଶିଷ୍ଟ ଜମି ଏସ୍ସିବି ପରିସର ବାହାରେ ଅଛି । ଯୋବ୍ରା ଆନିକଟ ପାଖରୁ ଏସ୍ସିବି ପାଖ ପର୍ଯ୍ୟନ୍ତ ଲମ୍ବିଥିବା ଜଳ ସମ୍ପଦ ବିଭାଗର ପ୍ରାୟ ୭ରୁ ୮ ଏକର ଜମି ଅଣାଯିବ ଏସ୍ସିବିର ନବକଳେବର ପ୍ରକଳ୍ପ ପାଇଁ । ଏହି ଜମିରେ ବର୍ତ୍ତମାନ କିଛି ଷ୍ଟାଫ୍ କ୍ୱାର୍ଟର ଓ ପୁରୁଣା ଅଫିସ୍ ଆଦି ରହିଛି । ଏହି ଜମି ଦେବା ପାଇଁ ଜଳ ସମ୍ପଦ ବିଭାଗ ମଧ୍ୟ ସହମତି ଜଣାଇଛି । ସେହିପରି ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲର ଖେଳ ପଡ଼ିଆ ଜମି (ପ୍ରାୟ ୪ ଏକର) ମଧ୍ୟ ଏସ୍ସିବିର ଉନ୍ନତିକରଣ ପାଇଁ ବ୍ୟବହାର କରାଯିବ । ଏଭଳି ଭାବେ ଏସ୍ସିବି ପାଇଁ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୨୫ ଏକର ଜମି ଅଣାଯିବ । ବିଶ୍ୱସ୍ତରୀୟ ହସପିଟାଲ ପାଇଁ ଆବଶ୍ୟକ ପଡୁଥିବା ଜମି ଲାଗି ଡାକ୍ତରଖାନା ନିକଟରେ ଥିବା ଜଳସମ୍ପଦ, ଉଚ୍ଚଶିକ୍ଷା, ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗର କିଛି ସ୍ଥାନ ସମେତ ଚତୁର୍ଥଶ୍ରେଣୀ କର୍ମଚାରୀଙ୍କ କ୍ୱାର୍ଟର୍ସ ଉଚ୍ଛେଦ ହେବ । କ୍ଷତିଗ୍ରସ୍ତମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ ବ୍ୟବସ୍ଥା କରାଯିବ ।

ଆଗାମୀଦିନରେ ରିଙ୍ଗ୍ରୋଡରୁ ସିଧା ଏସ୍ସିବିକୁ ଓସାରିଆ ବାଟ ଫିଟିବ । ମଙ୍ଗଳବାଗ ରାସ୍ତା ଅଣଓସାରିଆ ହୋଇଥିବାବେଳେ ରିଙ୍ଗ୍ରୋଡ୍ ପାଶ୍ୱର୍ ହିଁ ହେବ ଏସ୍ସିବିର ମୁଖ୍ୟ ପ୍ରବେଶ ପଥ । ଗାଡ଼ିମୋଟର, ଆମ୍ବୁଲାନ୍ସ ରିଙ୍ଗରୋଡ୍ରୁ ସିଧା ମେଡିକାଲ ଭିତରକୁ ଆରାମରେ ଯା’ଆସ କରିପାରିବେ । ଏଥିପାଇଁ ରାସ୍ତା ପ୍ରଶସ୍ତିକରଣ କରାଯିବ । ଏହି ରାସ୍ତା ୪ ଲେନ୍ କିମ୍ବା ୬ ଲେନ୍ ହେବ । ଏଥିପାଇଁ ଭୁବନାନନ୍ଦ ଇଞ୍ଜିନିୟରିଂ ସ୍କୁଲ (ବୋସ୍) ଖେଳ ପଡ଼ିଆ ଜମି ନିଆଯିବ । ଏହା ମଧ୍ୟ ଦେଇ ଏସ୍ସିବିକୁ ମୁଖ୍ୟ ରାସ୍ତା ସଂଯୋଗ ହେବ ।
ତାଳଦଣ୍ଡା କେନାଲ୍ କଡ଼ ଦେଇ ମେଡିକାଲକୁ ଆସିଥିବା ରାସ୍ତା ନୂଆ ରୂପ ନେବ । ଯୋବ୍ରା ପାଖରୁ ରାଣୀହାଟ ପର୍ଯ୍ୟନ୍ତ (ମେଡିକାଲ ଗେଟ୍ ପାଖ) ତାଳଦଣ୍ଡା କେନାଲ୍ର ଦୁଇ ପାଶ୍ୱର୍ ରାସ୍ତା ଚଉଡ଼ା ହେବ । କେନାଲର ଉଭୟ ପାଶ୍ୱର୍କୁ ୩ ଲେନ୍ ଲେଖାଏଁ ଚଉଡ଼ା କରାଯିବ । ଏଭଳି ଭାବେ ମୋଟ ୬ ଲେନ୍ ରାସ୍ତା ବାହାରିବ । ବର୍ତ୍ତମାନ ଏହି ରାସ୍ତା ସଙ୍କୁଚିତ ହୋଇ ଥିବାବେଳେ ଅନେକ ଜାଗାରେ ଜବରଦଖଲ ମାଡ଼ି ବସିଛି । ରାସ୍ତା ପ୍ରଶସ୍ତିକରଣ ପୂର୍ବରୁ ଜବରଦଖଲ ହଟାଯିବ । ତେବେ ତାଳଦଣ୍ଡା କେନାଲ ଉପର ଦେଇ ଏସ୍ସିବିକୁ ଯିବା ପାଇଁ ୨ଟି ଓଭରବ୍ରିଜ୍ ନିର୍ମାଣ ଯୋଜନା ରହିଛି ।

କଟକ ବଡ଼ ମେଡିକାଲର ଉନ୍ନତିକରଣ ପାଇଁ ଏସ୍ସିବି ଖେଳ ପଡ଼ିଆ ଓ ଭୁବନାନନ୍ଦ ଇଞ୍ଜିନିୟରିଂ କଲେଜର ଖେଳ ପଡ଼ିଆ ଜମି ନିଆଯିବ । ତେଣୁ ଏହା ବଦଳରେ ଉଭୟ ଏସ୍ସିବି ଓ ଭୁବନାନନ୍ଦ ଇଞ୍ଜିନିୟରିଂ କଲେଜ ପାଇଁ ବିକଳ୍ପ ଖେଳ ପଡ଼ିଆ ନିର୍ମାଣ କରାଯିବ । ମହାନଦୀ ପଠାରେ ଦୁଇଟି ଖେଳ ପଡ଼ିଆର ବିକାଶ କରାଯିବ । ଜଳସମ୍ପଦ ବିଭାଗ ଏଥିପାଇଁ ନଦୀ ପଠାକୁ ପୋତୁଥିବାବେଳେ ଖୁବଶୀଘ୍ର ଏହାର ଉନ୍ନତିକରଣ କରାଯିବ ।
ପ୍ରଥମ ପର୍ଯ୍ୟାୟରେ ୨୫ ଏକର ଜମି ମିଳିବା ପରେ ସରକାର ଏସ୍ସିବି ପାଇଁ କାମ ଆଗେଇବେ । ତେବେ ଏସ୍ସିବିକୁ ନୂଆ ରୂପ ଦେବା ପାଇଁ ଆହୁରି ଜମି ଆବଶ୍ୟକ ପଡ଼ିବ । ଏଥିପାଇଁ ଦ୍ୱିତୀୟ ପର୍ଯ୍ୟାୟ ଜମି ଅଧିଗ୍ରହଣ ଯୋଜନା ମଧ୍ୟ ରହିଛି । ଦ୍ୱିତୀୟ ପର୍ଯ୍ୟାୟରେ ଏସ୍ସିବି ପାଖରେ ଥିବା ଆଇଆଇଏମ୍ଟି, ମଧୁସୂଦନ ଆଇଟିଆଇ ଜମିକୁ ମଧ୍ୟ ଅଧିଗ୍ରହଣ କରାଯିବା ଯୋଜନା ଅଛି । ଏହା ସହ ମତ୍ସ୍ୟ ସମ୍ପଦ ବିଭାଗର ଜମିକୁ ମଧ୍ୟ ଅକ୍ତିଆରକୁ ଆଣିବାକୁ ହେବ । କିଛି ଘରୋଇ ଜମି ମଧ୍ୟ ଅଧିଗ୍ରହଣ ହୋଇପାରେ ।

କଟକ ବଡ଼ ମେଡିକାଲକୁ ବିଶ୍ୱସ୍ତରୀୟ ରୂପ ଦେବା ପାଇଁ ରାଜ୍ୟ ସରକାର ଜୋରଦାର ପ୍ରୟାସ ଚଳାଇଛନ୍ତି । ଏହି ପ୍ରକଳ୍ପରେ ସହାୟତା ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ପୂର୍ବତନ ଚିଫ୍ ଆର୍କିଟେକ୍ ଡକ୍ଟର ଚନ୍ଦ୍ରଶେଖରଙ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି । ସେ ପ୍ରକଳ୍ପର କନସଲଟାଣ୍ଟ ନିଯୁକ୍ତିରୁ ନେଇ ପୂରା ପ୍ରକ୍ରିୟା ଶେଷ ପର୍ଯ୍ୟନ୍ତ ରାଜ୍ୟ ସରକାରଙ୍କୁ ବାଟ ଦେଖାଇବେ । ଖୁବଶୀଘ୍ର ଏହି ପ୍ରକଳ୍ପ ଲାଗି ଏକ କନସଲଟାଣ୍ଟ ସଂସ୍ଥା ନିଯୁକ୍ତ କରାଯିବ । ଏଥିପାଇଁ ଆଗ୍ରହୀମାନଙ୍କ ଆବେଦନ ଆହ୍ୱାନ କରାଯାଇଛି । କନସଲଟାଣ୍ଟ ପ୍ରକଳ୍ପର ପ୍ଲାନ, ଡିଜାଇନ୍ ପ୍ରସ୍ତୁତ କରିବ । ପ୍ରକଳ୍ପ କାମକୁ ତଦାରଖ ମଧ୍ୟ କରିବ ।
ଦୁଇ ଶହ ବର୍ଷ ତଳର କଟକ ମେଡିକାଲ କଲେଜକୁ ଏମସ୍ ପ୍ଲସ ଅନୁÂାନ ଭାବେ ବିକଶିତ କରିବାକୁ ଘୋଷଣା କରି ମୁଖ୍ୟମନ୍ତ୍ରୀ ହଜାରେ କୋଟିର ପ୍ୟାକେଜ୍ ଗତ ନଭେମ୍ବର ମାସରେ ଘୋଷଣା କରିଥିଲେ । ଏଠାରେ ରାଜ୍ୟ ବାହାରୁ ଡାକ୍ତର ଓ ବିଶେଷଜ୍ଞମାନେ ଆସି ଯେପରି ଚିକିତ୍ସା ସେବା ଯୋଗାଇବାକୁ ପସନ୍ଦ କରିବେ ସେଭଳି ଭିତ୍ତିଭୂମି ବିକାଶ କରାଯିବ । ଏହା ଦେଶର ଶ୍ରେÂ ଚିକିତ୍ସା ସେବା ଅନୁÂାନ ସହ ତୁଳନୀୟ ହେବ । ସୁଲଭ ଓ ଗୁଣାତ୍ମକ ଚିକିିତ୍ସା ସେବା ଯୋଗାଇବାରେ ଏ ଅନୁÂାନ ନୂଆ ଉଦାହରଣ ହେବ । ଏ ସମନ୍ୱିତ ହସପିଟାଲରେ ଏମିତି ଚିକିତ୍ସା ସେବା ଉପଲବ୍ଧ ହେବ ଯେ, ଓଡ଼ିଶାରୁ କୌଣସି ବ୍ୟକ୍ତିଙ୍କୁ ଚିକିତ୍ସା ପାଇଁ ରାଜ୍ୟ ବାହାରକୁ ଯିବାକୁ ପଡ଼ିବନି ।

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ପ୍ରାଥମିକ ପର୍ଯ୍ୟାୟରେ ସରକାର କଟକ ବଡ଼ ମେଡିକାଲ ପରିସରରେ ନୂଆ ୨୨ ମହଲା କିମ୍ବା ତା’ଠାରୁ ଅଧିକ ଉଚ୍ଚ କୋଠା ଛିଡ଼ା କରାଇବେ । ଏଠାରେ ଇନ୍ଡୋର ରୋଗୀ ଚିକିତ୍ସା ସେବା ପାଇବେ । ଗୋଟିଏ ଛାତତଳେ ରୋଗୀଙ୍କ ପାଇଁ ସମସ୍ତ ସୁବିଧା ଉପଲବ୍ଧ ହେବ । ନୂଆ ବହୁତଳ ଅଟ୍ଟାଳିକା ନିର୍ମାଣ ପରେ ପର୍ଯ୍ୟାୟକ୍ରମେ ପୁରୁଣା ଆଉଟଡୋର ଓ ଇନ୍ଡୋର କୋଠାକୁ ଭଭଙ୍ଗାଯିବ । ୫ ଲକ୍ଷ ବର୍ଗଫୁଟର କୋଠା ନିର୍ମାଣ ପାଇଁ ଯୋଜନା ରହିଛି । ନୂଆ ସୁଉଚ୍ଚ ଅଟ୍ଟାଳିକା ନିର୍ମାଣ ପରେ ବଡ ମେଡିକାଲକୁ ଯୋଗାଯୋଗ ବ୍ୟବସ୍ଥାର ଉନ୍ନତୀକରଣ କରାଯିବ । ରୋଗୀ ଓ ସଂପର୍କୀୟଙ୍କ ଓ କର୍ମଚାରୀଙ୍କ ଗାଡ଼ି ମଟର ପାଇଁ ବହୁତଳ ପାର୍କିଂ ବ୍ୟବସ୍ଥା ମଧ୍ୟ ନିର୍ମାଣ ହେବ ।


Comments are closed, but trackbacks and pingbacks are open.