ଯାଜପୁର: ଯାଜପୁର ଧର୍ମଶାଳା ଥାନା ଅଞ୍ଚଳରୁ ନାବାଳିକା ଅପହରଣ ଘଟଣାକୁ ନେଇ ତାତିଛି ବିଜେପି। ଏହି ଘଟଣାରେ ଦଳ ଯାଜପୁର ଏସ୍ପିଙ୍କୁ ଟାର୍ଗେଟ କରିବା ସହ ଏହାକୁ ସ୍ମିତାରାଣୀ ପାର୍ଟ-ଟୁ ବୋଲି ଅଭିହିତ କରିଛି।
ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତ ସିଂହାର ଅଭିଯୋଗ କରିଛନ୍ତି ଯେ, ବଜରଙ୍ଗୀ ଲେଡିଜ୍ କର୍ଣ୍ଣର ମହିଳା ନିର୍ୟାତନାର କେନ୍ଦ୍ର ପାଲଟିଛି । ସେଠାରେ ଗରିବ ଓ ନିଷ୍ପେସିତ ମହିଳାଙ୍କୁ ଶୋଷଣ କରାଯାଉଛି । ନାବାଳିକା ଅପହରଣର ମୁଖ୍ୟ ଅଭିଯୁକ୍ତର ଭାଇ ଓ ଭାଉଜ ଧର୍ମଶାଳା ଥାନାରେ କାମ କରୁଛନ୍ତି।
ସେମାନଙ୍କ ଜାଣତରେ ଏଭଳି କାମ ଚାଲୁଥିଲା । ସେହି ଦୁଇ ଜଣଙ୍କୁ ବହିଷ୍କାର ଓ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛି ବିଜେପି। ବର୍ତ୍ତମାନର ଏସ୍ପି ଥିବା ପର୍ୟ୍ୟନ୍ତ ଏଭଳି ଘଟଣା ଯାଜପୁରରେ ଘଟୁଥିବ ବୋଲି ଅଭିଯୋଗ କରି ତାଙ୍କୁ ବଦଳି କରିବାକୁ ମଧ୍ୟ ଦାବି କରିଛନ୍ତି ଲେଖାଶ୍ରୀ।
ଏ ନେଇ ଯାଜପୁର ଏସ୍ପିଙ୍କ ପ୍ରତିକ୍ରିୟା ମିଳିପାରି ନଥିବା ବେଳେ ବିଜେଡି ଏହାର ଜବାବ ରଖିଛି। ଗତ ୧୨ ତାରିଖରେ ଧର୍ମଶାଳା ଅଞ୍ଚଳରୁ ଜଣେ ନାବାଳିକାକୁ ଅପହରଣ କରାଯାଇଥିଲା ଏହି ଘଟଣାରେ ୪ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।
Comments are closed, but trackbacks and pingbacks are open.