ଯୁବକଙ୍କୁ ପେଟ୍ରୋଲ ଢାଳି ଜାଳିଦେଲେ

Get real time updates directly on you device, subscribe now.

ଭଞ୍ଜନଗର, (ବି.ବି.ନୁ୍ୟଜ୍): ଗଞ୍ଜେଇ ନିଶାରୁ ତିନି ବନ୍ଧୁଙ୍କ ମଧ୍ୟରେ ବଚସା । ଆଉ ବଚସାରୁ ଅଘଟଣ । ଜଣେ ଯୁବକଙ୍କୁ ଭିଡ଼ି ଧରି ଦେହରେ ପେଟ୍ରୋଲ୍ ଢାଳିବା ସହ ନିଅାଁ ଲଗାଇ ଦେଇଛନ୍ତି ଆଉ ୨ ଯୁବକ । ନିଜକୁ ବଞ୍ଚାଇବା ପାଇଁ ଆଉ ଜଳୁଥିବା ଅବସ୍ଥାରେ ବାଇକ୍ ଯୋଗେ ଜଣକ ଘର ଭିତରକୁ ପଶିଯାଇଥିଲେ ଯୁବକ । ଘର ଲୋକ ତୁରନ୍ତ ନିଅାଁ ଲିଭାଇବା ସହ ଦମକଳ ବାହିନୀ ସହାୟତାରେ ପ୍ରାୟ ୫୦ ପ୍ରତିଶତରୁ ଊଦ୍ଧ୍ୱର୍ ପୋଡ଼ି ଯାଇଥିବା ଯୁବକଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ । ଅବସ୍ଥା ଗମ୍ଭୀର ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ଆକ୍ରମଣର ଶୀକାର ଯୁବକ ଜଣକ ହେଉଛନ୍ତି ଧୁମୁଛାଇ ଗ୍ରାମର ଶତୃଘ୍ନ ନାୟକଙ୍କ ପୁଅ ସନ୍ତୋଷ ନାୟକ (୨୬) । ଶୁକ୍ରବାର ଅପରାହ୍ଣରେ ଏହି ଘଟଣା ଘଟିଛି । ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଭଞ୍ଜନଗର ପୁଲିସ ଜଣେ ଯୁବକକୁ ଅଟକ ରଖି ପଚରାଉଚୁରା କରୁଥିବା ବେଳେ ଅନ୍ୟ ଜଣେ ଯୁବକକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି ।
ଭଞ୍ଜନଗର ଥାନା ତଥା ବେଲଗୁଣ୍ଠା ଫାଣ୍ଡି ଅନ୍ତର୍ଗତ ଧୁମୁଛାଇ ଗ୍ରାମର ସନ୍ତୋଷ ଶୁକ୍ରବାର ଅପରାହ୍ନ ୨ଟାରେ ବାପାଙ୍କ ସହ ମଧ୍ୟାହ୍ନ ଭୋଜନ କରିବା ପରେ ଗାଅାଁ ଛକକୁ ଆସିଥିଲେ । ସେଠାରେ ଗ୍ରାମର ଜଣେ ବନ୍ଧୁ ଓ ନୂଅାଁଗାଁ ଛକର ଆଉ ଜଣେ ସାଙ୍ଗ ମିଶି ସନ୍ତୋଷଙ୍କୁ ଗଞ୍ଜେଇ ଟାଣିବାକୁ ଡାକିଥିଲେ । ତିନିହେଁ ମିଶି ଗଞ୍ଜେଇ ଟାଣିଥିଲେ । ମାତ୍ର ଗଞ୍ଜେଇ ନିଶାରେ ମସଗୁଲ ୨ ସାଙ୍ଗଙ୍କ ସହ ସନ୍ତୋଷଙ୍କ କୌଣସି କାରଣରୁ ବଚସା ହୋଇଥିଲା । କ୍ରମେ ଉଗ୍ରରୂପ ନେଇ ଜଣେ ପେଟ୍ରୋଲ୍ ଢାଳି ନିଅାଁ ଲଗାଇ ମାରିଦେବାକୁ ଧମକ ଦେଇଥିଲା । ମାତ୍ର ସନ୍ତୋଷ ସେଠାରେ ଠିଆ ହୋଇ ରହିଥିଲେ । ଦୁଇ ଯୁବକଙ୍କ ମଧ୍ୟରୁ ଜଣେ ପେଟ୍ରୋଲ୍ ଆଣି ସନ୍ତୋଷ ଉପରେ ଢାଳିଦେବା ପରେ ଅନ୍ୟ ଜଣେ ଦିଆସିଲି ଲଗାଇ ଦେଇଥିଲା । ସେମିତି ଛିଡ଼ା ହେବା ଅବସ୍ଥାରେ ସନ୍ତୋଷଙ୍କ ଦେହରେ ନିଆଁ ଲାଗି ଯାଇଥିଲା । ନିଜକୁ ବଞ୍ଚାଇବାକୁ ସେ ତୁରନ୍ତ ନିଜ ବାଇକ୍ରେ ବସି ପାଖରେ ଥିବା ଜଣକ ଘର ଭିତରକୁ ପଶିଯାଇଥିସଲେ । ସ୍ଥାନୀୟ ଲୋକ ନିଅାଁ ଲିଭାଇବା ସହ ଦମକଳ କେନ୍ଦ୍ରକୁ ଖବର ଦେଇଥିଲେ । ବେଲଗୁଣ୍ଠା ଦମକଳ ବାହିନୀ ଗୁରୁତର ସନ୍ତୋଷଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଇଥିଲେ ।
ସନ୍ତୋଷଙ୍କ ବାପା ଶତୃଘ୍ନଙ୍କ ଅଭିଯୋଗକୁ ଭିତ୍ତି କରି ଭଞ୍ଜନଗର ପୁଲିସ ଧୁମୁଛାଇରେ ଚଢ଼ଉ କରି ଏହି ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଜଣେ ଯୁବକକୁ ଅଟକ ରଖିଛି । ଅନ୍ୟ ଜଣେ ଅଭିଯୁକ୍ତ ଫେରାର ହୋଇଯାଇଛି । ତେବେ ଘଟଣାର ବାସ୍ତବ ସତ୍ୟ ଏଯାଏଁ ଜଣାପଡ଼ିନାହିଁ । କାହିଁକି ଓ କେଉଁ ପରିସ୍ଥିତିରେ ଜଣକ ଦେହରେ ପେଟ୍ରୋଲ ଢାଳି ୨ ବନ୍ଧୁ ନିଅାଁ ଲଗାଇଦେଲେ ସେ ସମ୍ପର୍କରେ ପଚରାଉଚୁରା ପରେ ବାସ୍ତବ ସତ୍ୟ ଜଣାଯିବ ବୋଲି ଥାନାଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons