ଖାଦ୍ୟ ସହିତ ବାଲି ଖାଉଛନ୍ତି ବୃଦ୍ଧା କେଶରୀ

Get real time updates directly on you device, subscribe now.

ଭଞ୍ଜନଗର,(ବି.ବି.ନୁ୍ୟଜ୍): ଅଜବ ଲାଗୁଥିଲେ ବି ସତ । ଦୀର୍ଘ ୧୮ବର୍ଷ ଧରି ଖାଦ୍ୟ ସହିତ ବାଲି ଖାଉଛନ୍ତି ବୃଦ୍ଧା କେଶରୀ ବିଶ୍ୱାଳ । କେତେ କଅଣ ସୁଖାଦ୍ୟ ମନକୁ ରୁଚୁନି । ନିୟମିତ ଖାଦ୍ୟ ସହିତ ବାଲି ପ୍ରଧାନ । ଆରମ୍ଭରେ ଘର ଲୋକ ଏହାକୁ ବାରଣ କରୁଥିଲେ । ହେଲେ କେଶରୀଙ୍କ ଏଭଳି ଅଭ୍ୟାସ ଦେଖି ଶେଷରେ ନିରବ ରହିଲେ । ପ୍ରତିଦିନର ଖାଦ୍ୟ ଭିତରେ ବାଲି ସାମିଲ କରିଥିଲେ କେଶରୀ । ଏବେ ତାଙ୍କୁ ୮୦ବର୍ଷ ହେଲାଣି । ସେ ଦିନକୁ ୨ରୁ ୩ କିଲୋ ଯାଏଁ ବାଲି ଖାଉଥିଲେ । ଏବେ ବୟସ କମିବା ସହ ଖାଦ୍ୟରେ ବାଲି ଖାଇବା ବି କମିଗଲାଣି । ତଥାପି ନିୟମିତ ଖାଦ୍ୟ ଖାଇବା ପରେ ବାଲି ମୁଠେ କିମ୍ବା ଦି’ମୁଠା ପାଟିକୁ ନଗଲେ ଶାନ୍ତି ଲାଗୁନି ବୋଲି କହନ୍ତି ବୃଦ୍ଧା କେଶରୀ ବିଶା୍ୱଳ ।
ଆସିକା କାଳଷଣ୍ଢପୁର ଗ୍ରାମର ବୃଦ୍ଧା କେଶରୀ ବିଶ୍ୱାଳ । ଘର ପଛ ଦେଇ ବହିଯାଇଛି ଋଷିକୁଲ୍ୟା ନଦୀ । ପ୍ରତିଦିନ ନଦୀକୁ ଗାଧୋଇବାକୁ ଗଲା ବେଳେ ନଦୀ ବାଲିକୁ ଦୁଇ ହାତରେ ଏପଟସେପଟ କରି ସରୁବାଲି ବାହାର କରିବା ପରେ ତାକୁ ପ୍ରଥମେ ପାଟିରେ ପକାଇବା ଅଭ୍ୟାସ ଆରମ୍ଭ କରିଥିଲେ କେଶରୀ । ଧୀରେ ଧୀରେ ଏହାକୁ ନିୟମିତ ଅଭ୍ୟାସ କରିଥିଲେ । ନଦୀରୁ ଗାଧୋଇ ସାରି ଘରକୁ ଫେରିଲା ବେଳେ ଲୁଗାରେ ସରୁବାଲି ଘରକୁ ନେଇଥାନ୍ତି ସେ । ଏପରକି କାହା ଘରକୁ କୁଣିଆ ଗଲେ ମଧ୍ୟ କେଶରୀ ବୁଢୀ ସାଥିରେ ବାଲି ନେଇ ଯାଇଥାନ୍ତି । ତବେ ଦୀର୍ଘଦିନ ଧରି ଏତେ ପରିମାଣ ବାଲି ଖାଉଥିଲେ ମଧ୍ୟ ଏଯାଏଁ ଏହାକୁ ନେଇ କୌଣସି ସମସ୍ୟା ଭୋଗି ନାହାନ୍ତି ବୃଦ୍ଧା । ଏହା ହିଁ ସବୁଠାରୁ ଆଶ୍ଚର୍ଯ୍ୟର କଥା ବୋଲି କହନ୍ତି କେଶରୀଙ୍କ ବୋହୂ ସବିତା ବିଶ୍ୱାଳ । ସବିତାଙ୍କ କହିବା ପ୍ରକାରେ ଭାତ ନଖାଇଲେ ତାଙ୍କ ଶାଶୂ ଚଳିଯିବେ, ହେଲେ ବାଲି ନଖାଇଲେ ସେ ମୁହୂର୍ତ୍ତେ ରହିପାରିବେ ନାହିଁ । ୧୮ବର୍ଷ ହେଲା ଖାଉଛନ୍ତି । କେବେ ବି ତାଙ୍କର କିଛି ଅସୁବିଧା ହୋଇନାହିଁ । କାଳଷଣ୍ଢପୁର ଗ୍ରାମର ଦଣ୍ଡପାଣି ମହାନ୍ତି କହିଛନ୍ତି ଯେ ଆମ ପେଟକୁ ଖାଦ୍ୟରେ ଟିକିଏ ବାଲି ଗଲେ କେତେ ଅସୁବିଧା ହେଉଛି । ହଲେ କେଶରୀ ବୁଢୀ ଦୀର୍ଘ ୧୮ବର୍ଷ ହେଲା ନିୟମିତ ବାଲି ଖାଉଛି । ଦିନକୁ ପାଖାପାଖି ୨ କିଲୋ ବାଲି ଖାଉଥିବା କେଶରୀଙ୍କର କିଛି ହେଉନି । ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରଛି । ଏସମ୍ପର୍କରେ ଡାକ୍ତର ମୋହନ ବାରିକ କହିଛନ୍ତି ଯେ ନିୟମିତ ୧୮ବର୍ଷ ଧରି ଜଣେ ବାଲି ଖାଇବା ଘଟଣାକୁ ଅଧିକ ପରୀକ୍ଷା ନିରୀକ୍ଷା ଜରୁରି । ଏହା ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ନିଶ୍ଚିତ ଭାବେ ଏକ ବ୍ୟତିକ୍ରମ । ତେବେ ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଗଲେ ତାକୁ କିଭିଳି ଚିକିତ୍ସା ସେବା ଦରକାର ତାହା ଜଣାପଡିବ ବୋଲି କହିଛନ୍ତି । ବାସ୍ତବରେ ନିୟମିତ ୧୮ବର୍ଷ ଧରି ବାଲି ଖାଉଥିବା ୮୦ ବର୍ଷୀୟା କେଶରୀ ବଶ୍ୱାଳ ଆଜିର ଚିକିତ୍ସା ବିଜ୍ଞାନୀଙ୍କ ପାଇଁ ଏକ ଆହ୍ୱାନ ନିଶ୍ଚୟ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons