ମାଲକାନଗିରି, (ବି.ବି.ନୁ୍ୟଜ୍): ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳର ଲୋକେ ଦେଖାଇଛନ୍ତି ସ୍ୱାଭିମାନ । ଡରି ନାହାନ୍ତି ମାଓବାଦୀଙ୍କ ନାଲି ଆଖିକୁ, କି ତାଙ୍କ ବନ୍ଧୁକକୁ । ପାରମ୍ପରିକ ଅସ୍ତ୍ର ଓ ଢେଲାପଥରେ ଦେଇଛନ୍ତି ଜବାବ୍ । ଜଣେ ଦୁର୍ଦ୍ଧାନ୍ତ ମାଓବାଦୀ ନିହତ ହୋଇଥିବା ବେଳେ ଜଣେ ଇନାମୀ ମାଓବାଦୀ ଗୁରୁତର ଆହତ ହୋଇଛି । ଏହି ଘଟଣାରେ ଲଜ୍ଜିତ ମାଓବାଦୀ ପୁଣି ପତିଆରା ଦେଖାଇବାକୁ ପାଖ ଗାଁରେ ହମଲା କରି ୧୦ଟି ଘର ପୋଡ଼ି ଦେଇଛନ୍ତି । ବିକାଶକୁ ସମର୍ଥନ କରି ମାଓବାଦୀଙ୍କୁ ଚ୍ୟାଲେଞ୍ଜ ଦେଇଥିବା ଆଦିବାସୀଙ୍କ ମନୋବଳ ବଢ଼ାଇବାକୁ ସେହି ଅଞ୍ଚଳରେ ପହଞ୍ଚିଛନ୍ତି ଜିଲ୍ଲାପାଳ ଏବଂ ଏସପି । ସୁରକ୍ଷା ଓ ଅଧିକ ବିକାଶର ଭରସା ଦେଇଛନ୍ତି ଏବଂ ସମଗ୍ର ଅଞ୍ଚଳରେ ପୁଲିସ ଛାଉଣୀ କରାଯାଇଛି ।
ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳରେ ଗତ ୨୫ ତାରିଖ ରାତିରୁ ଆରମ୍ଭ ହୋଇଛି ରାଜ୍ୟ ସରକାରଙ୍କ ବିକାଶକୁ ସମର୍ଥନ କରୁଥିବା ଆଦିବାସୀ ଓ ଏହାକୁ ବିରୋଧ କରୁଥିବା ମାଓବାଦୀଙ୍କ ମଧ୍ୟରେ ମୁକାବିଲା । ୨୫ ତାରିଖ (ଶନିବାର) ରାତି ପ୍ରାୟ ୧୦ଟା । ପାପରମେଟଲା ଥାନାଞ୍ଚଳର ମାଓଗଡ଼ ଭାବେ ପରିଚିତ ଜନ୍ତୁରାଇ ଗାଁରେ ପହଞ୍ଚିଥିଲେ ପ୍ରାୟ ୨୫ ସଶସ୍ତ୍ର ମାଓବାଦୀ । ଗାଁ ମୁଖିଆଙ୍କୁ ଖୋଜିଥିଲେ । ମାଓବାଦୀମାନେ କାହିଁକି ଖୋଜୁଛନ୍ତି ଭାବି ଏକାଠି ହୋଇଥିଲେ ଗ୍ରାମବାସୀ । ମାଓବାଦୀ କହିଥିଲେ ଜିଲ୍ଲା ପ୍ରଶାସନ ଓ ମାଓ କ୍ୟାମ୍ପ୍କୁ ବିରୋଧ କର । ରାସ୍ତାଘାଟ କାମ ବନ୍ଦ କର । କିନ୍ତୁ ନାଲିଆଖିକୁ ଏଥର ଡରିନଥିଲେ ଗାଁ ଲୋକେ । ପ୍ରତିବାଦ କଲେ ଏବଂ ତୁରନ୍ତ ଗାଁ ଛାଡ଼ି ଚାଲିଯିବାକୁ ମାଓବାଦୀଙ୍କୁ ଚେତାବନୀ ଦେଇଥିଲେ । ସିଧା କଥା ଶୁଣାଇଥିଲେ, ‘ଦୀର୍ଘବର୍ଷ ଧରି ଆମେ ଜଳବନ୍ଦୀ ଜୀବନ ବିତାଉଛୁ । ଗୁରୁପ୍ରିୟା ସେତୁ ହେବା ପରେ ଅଞ୍ଚଳର ଉନ୍ନତି ହେଉଛି । ମାଓବାଦୀଙ୍କ ପାଇଁ ଆମ ଅଞ୍ଚଳ ଆଜି ବି ବିକାଶଠାରୁ ବହୁ ଦୂରରେ । ଆପଣମାନେ ତୁରନ୍ତ ଗାଁ ଛାଡ଼ି ପଳାନ୍ତୁ’ ।
ଏକଥାକୁ ବରଦାସ୍ତ କଲେନି ମାଓବାଦୀ, ରାଗିପାଚି ଲାଲ୍ ହୋଇଯାଇଥିଲେ । କେତେକ ଗ୍ରାମବାସୀଙ୍କୁ ମାଡ଼ ମାରିଥିଲେ, ଡରାଇବାକୁ ଫାଙ୍କା ଗୁଳି ଚାଳନା କଲେ । ବାଧ୍ୟହୋଇ ଗାଁ ଲୋକେ ଢେଲାପଥର ଫିଙ୍ଗିବା ସହ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ମାଓବାଦୀଙ୍କୁ ଗୋଡ଼ାଇଥିଲେ । ଅନ୍ଧାର ରାତିର ସଂଘର୍ଷରେ ଦୁଇ ଜଣ ଦୁର୍ଦ୍ଧାନ୍ତ ମାଓବାଦୀ ଆହତ ହୋଇଥିଲେ । ସେମାନଙ୍କୁ ଗ୍ରାମବାସୀ ନିକଟସ୍ଥ ପୁଲିସ କ୍ୟାମ୍ପ୍କୁ ହସ୍ତାନ୍ତର କରିଥିଲେ ।
ପରେ ଡାକ୍ତରଖାନାରେ ଗଙ୍ଗା ମାଢ଼ି ଓରଫ୍ ଆଡମାର ମୃତୁ୍ୟ ହୋଇଥିଲା କାଲିମେଳା ବିଚ୍ଛିନ୍ନାଞ୍ଚଳ ମାଓ ଦଳମ୍ର ସଦସ୍ୟ ଆଡମାର ମୁଣ୍ଡରେ ରାଜ୍ୟ ସରକାର ରଖିଥିଲେ ୧ ଲକ୍ଷ ଟଙ୍କାର ପୁରସ୍କାର । ଆହତ ହୋଇଥିବା ଦୁର୍ଦ୍ଧାନ୍ତ ମାଓବାଦୀ କିରଣ ଓରଫ୍ ଜିପ୍ର କୋରାପୁଟ ଜିଲ୍ଲାର ବାସିନ୍ଦା । ସେ ଗୁମ୍ମା ଓ ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ ମାଓ ଏରିଆ କମିଟିର ସକ୍ରିୟ ସଦସ୍ୟ ଏବଂ ତା’ ମୁଣ୍ଡରେ ଅଛି ୪ ଲକ୍ଷ ଟଙ୍କାର ପୁରସ୍କାର ।
ଲୋକଙ୍କ ଆକ୍ରମଣକୁ ବରଦାସ୍ତ କରି ନଥିଲେ ମାଓବାଦୀ । ଜନ୍ତୁରାଇ ଗ୍ରାମରୁ ଛତ୍ରଭଙ୍ଗ ଦେଇ ପଳାଇଥିଲେ । କିନ୍ତୁ ଜଙ୍ଗଲରେ ଏକାଠି ହୋଇ ରବିବାର ଭୋର୍ ସମୟରେ ଜନ୍ତୁରାଇ ଠାରୁ ପ୍ରାୟ ୨ କିଲୋମିଟର ଦୂର ଯୋଡ଼ାମ୍ବ ଗ୍ରାମ ଉପରେ କରିଥିଲେ ହମ୍ଲା । ପ୍ରାୟ ୧୦ଟି ଘର ପୋଡ଼ି ଦେଇଥିଲେ । ଲୋକଙ୍କ ବର୍ଷକର ସମ୍ପତ୍ତି ଜଳିପୋଡ଼ି ଛାର୍ଖାର୍ ହୋଇଗଲା । ଧାନ, ଚାଉଳ, ମାଣ୍ଡିଆ, ବାସନକୁସନ, ଗାଡିÿ ସମେତ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନିଆଁର ଆଁ ଭିତରେ ପାଉଁଶ ହୋଇ ଯାଇଥିଲା । ଲୋକମାନେ ଗାଁ ଛାଡ଼ି ପାଖ ଗ୍ରାମ ଏବଂ ପୁଲିସ କ୍ୟାମ୍ପରେ ଆଶ୍ରୟ ନେବାକୁ ବାଧ୍ୟ ହୋଇଥିଲେ ।
ମାଓବାଦୀଙ୍କୁ ଆଦିବାସୀ ମୁହଁତୋଡ଼ ଜବାବ ଦେବା ପରେ ତପôର ହୋଇଉଠିଛି ଜିଲ୍ଲା ପ୍ରଶାସନ । ସୋମବାର ଚିତ୍ରକୋଣ୍ଡାରେ ଥିଲା ଜନଶୁଣାଣି । ଜିଲ୍ଲାପାଳ ମନୀଷ ଅଗ୍ରୱାଲ ଜନଶୁଣାଣି ସାରିବା ପରେ ଦିପହର ବେଳକୁ ଏସପି ରିଷିକେଶ ଡି.ଖିଲାରୀଙ୍କ ସହ ଯାଇ ପହଞ୍ଚିଥିଲେ ଜନ୍ତୁରାଇ ଠାରୁ ୨ କିଲୋମିଟର ଦୂର ହନ୍ତାଳଗୁଡ଼ା ବିଏସଏଫ କ୍ୟାମ୍ପରେ । ଲୋକଙ୍କ ସହ ହାତ ମିଳାଇଥିଲେ । ତଳେ ବସି ପ୍ରାୟ ଘଣ୍ଟାଧିକ କାଳ ଆଲୋଚନା କରିଥିଲେ । ପ୍ରତିଶ୍ରୁତି ଦେଇଥିଲେ, ସମ୍ପୂର୍ଣ୍ଣ ସୁରକ୍ଷା ଦିଆଯିବ । ଯେଉଁମାନଙ୍କ ଘର ପୋଡ଼ି ଯାଇଛି ସେମାନଙ୍କୁ ଛାତ ଘର ଦିଆଯିବ । ଯୋଡ଼ାମ୍ବରେ ଶୀଘ୍ର ଏକ ସ୍ୱାସ୍ଥ୍ୟକେନ୍ଦ୍ର ପ୍ରତିÂା କରାଯିବ । ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ କାର୍ଯ୍ୟକାରୀ ହେଉଥିବା ସମସ୍ତ ଯୋଜନା ଏଠାରେ ବି ଲାଗୁ ହେବ ଏବଂ ବିକାଶର ଧାରା କେବେବି ଶିଥିଳ ହେବନାହିଁ । ଜିଲ୍ଲାପାଳଙ୍କ କଥା ଶୁଣିବା ପରେ ଦମ୍ଭ ଧରିଛନ୍ତି ସ୍ଥାନୀୟ ଲୋକେ ।
ଅପରପକ୍ଷରେ ଏହି ଘଟଣା ପରେ ଜନ୍ତୁରାଇ, ଯୋଡ଼ାମ୍ବ ଓ କୁନ୍ତୁରପଦର ଗ୍ରାମ ଏବଂ ଆଖପାଖ ଅଞ୍ଚଳରେ ମୁତୟନ ହୋଇଛନ୍ତି ପ୍ରାୟ ହଜାରେ ଯବାନ୍ । ସତର୍କ ହୋଇ ଉଠିଛନ୍ତି ୨ କିଲୋମିଟର ଦୂରରେ ଥିବା ବିଏସଏଫ କ୍ୟାମ୍ପର ଯବାନମାନେ । ବିଏସଏଫ, ଏସଓଜି, ଡିଭିଏଫ ଏବଂ ଜିଲ୍ଲା ପୁଲିସ ତତ୍ୱର ହୋଇଛନ୍ତି ଆଦିବାସୀଙ୍କୁ ସୁରକ୍ଷା ଦେବାକୁ । ସୁରକ୍ଷା ମିଳିଥିବାରୁ ଭୟରେ ଗାଁ ଛାଡ଼ିଥିବା ଲୋକମାନେ ପୁଣି ଘରକୁ ଫେରିଛନ୍ତି । ତେବେ ଘର ପୋଡ଼ି ଯାଇଥିବା ପରିବାର ଗୁଡ଼ିକ ପାଖ ଗ୍ରାମ ଏବଂ ପୁଲିସ କ୍ୟାମ୍ପ୍ରେ ଆଶ୍ରୟ ନେଇଛନ୍ତି ।
ଏକଦା ମାଓଗଡ଼ ଭାବେ ପରିଚିତ ଥିବା ସ୍ୱାଭିମାନ ଅଞ୍ଚଳର ବାସିନ୍ଦା ସ୍ୱାଭିମାନର ସହ ଏବେ ମାଓବାଦୀଙ୍କୁ ଜବାବ ଦେବା ଘଟଣାକୁ ଜିଲ୍ଲାବାସୀ ସ୍ୱାଗତ କରିଛନ୍ତି ।
Comments are closed, but trackbacks and pingbacks are open.