ଉତ୍ତୋଳନ ବେଳେ ଜାତୀୟ ପତାକା ଖସି ପଡ଼ିଲା:୨ ହାବିଲଦାର ନିଲମ୍ବିତ

Get real time updates directly on you device, subscribe now.

ଜଗତସିଂହପୁର,(ବି.ବି.ନୁ୍ୟଜ୍): ଜିଲ୍ଲାସ୍ତରୀୟ ୭୧ ତମ ସାଧାରଣତନ୍ତ୍ର ଦିବସରେ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା । ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା ଜାତୀୟ ପତାକା ଉତ୍ତୋଳନ କରିବା ସମୟରେ ତାହା ସ୍ତମ୍ଭରୁ ସିଧା ତଳକୁ ଖସି ପଡ଼ିଥିଲା । ଜାତୀୟ ପତାକା ବନ୍ଧାରେ ତ୍ରୁଟି ଯୋଗୁଁ ଏପ୍ରକାର ଅଘଟଣ ସୃଷ୍ଟି ହେବା ପରେ ନବକୃଷ୍ଣ ଚୌଧୁରୀ ଷ୍ଟାଡ଼ିୟମ ପରିସରରେ ଉପସ୍ଥିତ ଥିବା ଦର୍ଶକ ସ୍ତବ୍ଧ ହୋଇ ଯାଇଥିଲେ । କେଇ ମୁହୂର୍ତ୍ତ ପାଇଁ ମୁଖ୍ୟ ଅତିଥିଙ୍କ ସମେତ ମଞ୍ଚରେ ଉପସ୍ଥିତ ରହିଥିବା ଜଗତସିଂହପୁର ବିଧାୟକ ପ୍ରଶାନ୍ତ ମୁଦୁଲି, ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଏସ୍ପି ପ୍ରକାଶ ରଙ୍ଗରାଜ ମଧ୍ୟ ହତବାକ୍ ହୋଇ ପଡ଼ିଥିଲେ । ସମସ୍ତଙ୍କ ନଜର ସ୍ତମ୍ଭ ଉପରକୁ ରହିଥିବା ବେଳେ କେହି ଜଣେ ହେଲେ ତଳେ ପଡ଼ି ରହିଥିବା ଜାତୀୟ ପତାକାକୁ ଉଠାଇବାକୁ ଆସିନଥିଲେ । ଶେଷରେ ଏସ୍ପି ପ୍ରକାଶ ରଙ୍ଗରାଜ ନିଜେ ପତାକାକୁ ଯଥୋଚିତ ସମ୍ମାନ ଦେଇ ତଳୁ ଉଠାଇ ନେଇଥିବା ଦେଖିବାକୁ ମିଳିଥିଲା ।
ଦୀର୍ଘ ବର୍ଷ ଧରି ଏହି ଜିଲ୍ଲାକୁ ସ୍ୱାଧୀନତା ଦିବସ କିମ୍ବା ସାଧାରଣତନ୍ତ୍ର ଦିବସରେ କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଜ୍ୟର ମନ୍ତ୍ରୀମାନଙ୍କ ଆଗମନ ହେଉନଥିଲା । ତେବେ ଏହି ପରମ୍ପରା ଚଳିତ ବର୍ଷ ଭଙ୍ଗ ହେବା ସହ ମନ୍ତ୍ରୀ ଶ୍ରୀ ସାରକା ଗତକାଲି ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ସୁଦ୍ଧା ଏପ୍ରକାର ଅଭାବନୀୟ ଘଟଣା ଘଟିବା ପରେ ପୂରା ସମାରୋହ ଏକ ପ୍ରକାର ଫିକା ପଡ଼ି ଯାଇଥିଲା । ଅବଶ୍ୟ ପରବର୍ତ୍ତୀ ସମୟରେ ଜାତୀୟ ପତାକାକୁ ବନ୍ଧା ଯାଇ ଉତ୍ତୋଳନ କରାଯାଇଥିଲା, କିନ୍ତୁ ଏଭଳି ଘଟଣା ପ୍ରଥମ ଥର ଘଟିବାକୁ ନେଇ ପ୍ରଶାସନକୁ ଆଲୋଚନାର ଶରବ୍ୟ ହେବାକୁ ପଡ଼ିଥିଲା ।
ଜାତୀୟ ପତାକା ଉତ୍ତୋଳନ ପରେ ସମ୍ମିଳିତ ପରେଡ଼୍ରେ ଅଭିବାଦନ ଗ୍ରହଣ କରିଥିଲେ ମନ୍ତ୍ରୀ ଶ୍ରୀ ସାରକା । ଏହି ଅବସରରେ ମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ୧୯୫୦ ମସିହାର ଆଜି ଦିନରେ ଭାରତ ବର୍ଷ ଏକ ସାର୍ବଭୈାମ ଗଣତନ୍ତ୍ର ରାଷ୍ଟ୍ରର ମର୍ଯ୍ୟାଦା ପାଇଥିଲା ବୋଲି କହିଥିଲେ । ଓଡ଼ିଶାର ମୁକ୍ତି ସଂଗ୍ରାମରେ ଏହି ମାଟିର ପୁଅ ନବକୃଷ୍ଣ ଚୌଧୁରୀ, ଗୋପବନ୍ଧୁ ଚୌଧୁରୀ, ମାଳତୀ ଚୌଧୁରୀ, ପ୍ରାଣକୃଷ୍ଣ ପଢିହାରୀ, ଭାଗିରଥୀ ମହାପାତ୍ର, ମା’ ରମାଦେବୀ, ଅନ୍ନପୂଣ୍ଣ ର୍ା ମହାରଣା, ନିତ୍ୟାନନ୍ଦ କାନୁନ୍ଗୋ, ଜାତୀୟ କବି ବୀରକିଶୋର ଦାସ ପ୍ରମୁଖଙ୍କ ଅବଦାନ ଅବିସ୍ମରଣୀୟ ବୋଲି ମନ୍ତ୍ରୀ ଶ୍ରୀ ସାରକା ନିଜ ବକ୍ତବ୍ୟରେ ପ୍ରକାଶ କରିଥିଲେ ।
ପ୍ରାରମ୍ଭରେ ମୁଖ୍ୟ ଅତିଥି ସହରରେ ଅବସ୍ଥିତ ମହାପୁରୁଷଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ । ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଓ ଏସ୍ପି ପ୍ରକାଶ ରଙ୍ଗରାଜ ମୁଖ୍ୟ ଅତିଥିଙ୍କୁ ପତାକା ସ୍ତମ୍ଭ ନିକଟକୁ ପାଛୋଟି ନେଇଥିଲେ । ସମ୍ମିଳିତ ପରେଡ଼୍ରେ ୩୩ଟି ଦଳ ଭାଗ ନେଇଥିଲେ । ସେମାନଙ୍କ ମଧ୍ୟରୁ ୟୁନିଫର୍ମରେ କାଦୁଅପଡ଼ାର ଗାଦିବ୍ରହ୍ମ ବିଦ୍ୟାପୀଠ, ସିନିୟର ସିଭିଲିଆନ୍ରେ ଜଗତସିଂହପୁର ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜୁନିୟର ସିଭିଲିଆନ୍ରେ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ସବ୍ ଜୁନିୟର ସିଭିଲିଆନ୍ରେ ଜଗତସିଂହପୁର ପବ୍ଲିକ୍ ସ୍କୁଲ ପ୍ରଥମ ସ୍ଥାନ ହାସଲ କରି ମୁଖ୍ୟ ଅତିଥିଙ୍କ ଠାରୁ ସିଲ୍ଡ଼ ଗ୍ରହଣ କରିଥିଲେ । ଏତଦ୍ବ୍ୟତୀତ ଜିଲ୍ଲାସ୍ତରୀୟ ବକ୍ତୃତା, ଦେଶାତ୍ମବୋଧକ ସଙ୍ଗୀତ, ଜଣା ଅଜଣା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା । ଆଇଟିଆଇ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ର ସୂର୍ଯ୍ୟକାନ୍ତ ରାଉତ, ୨୭ ତମ ଜାତୀୟ ବିଜ୍ଞାନ କଂଗ୍ରେସରେ ଅଂଶଗ୍ରହଣ କରିଥିବା ଆଳିପିଙ୍ଗଳ ଉଚ୍ଚ ବିଦ୍ୟାଳୟର ଛାତ୍ର ଅବିନାଶ ଚନ୍ଦ୍ର ବଡ଼ୁ ଏବଂ ୨୦୧୯ ମସିହାରେ ମହାନଦୀ ଡଙ୍ଗାବୁଡ଼ି ସମୟରେ ବିପଦ ମୁହଁରେ ଥିବା ଲୋକଙ୍କୁ ଉଦ୍ଧାର କରି ଅସୀମ ସାହସିକତା ପ୍ରଦର୍ଶନ କରିଥିବା ଶୁଭସ୍ମିତା ସାହୁଙ୍କୁ ପୁରସ୍କୃତ କରାଯାଇଥିଲା ।
ସ୍ୱାଧୀନତା ସଂଗ୍ରାମୀମାନଙ୍କୁ ମୁଖ୍ୟ ଅତିଥି ସମ୍ବର୍ଦ୍ଧିତ କରିଥିଲେ । ପରେ ରସଲପୁର ଉଚ୍ଚ ବିଦ୍ୟାଳୟ, ଶୁଦ୍ଧାନନ୍ଦ ବିଦ୍ୟାଳୟ, ଶ୍ରୀଅରବିନ୍ଦ ପୂଣ୍ଣ ର୍ାଙ୍ଗ ଶିକ୍ଷାକେନ୍ଦ୍ର ଓ ସ୍କଲାର ଇଂଲିଶ ମିଡିୟମ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ପରେଡ଼୍ ପରେ ମୁଖ୍ୟ ଅତିଥି ଜିଲ୍ଲା ମୁଖ୍ୟ ଚିକିସôାଳୟରେ ରୋଗୀଙ୍କୁ ଏବଂ ଆଳିପିଙ୍ଗଳ ଉପ କାରାଗାରର ଅନ୍ତେବାସୀମାନଙ୍କୁ ଫଳ ବଣ୍ଟନ କରିଥିଲେ । ଏହି ଦିବସର ଅପରାହ୍ନରେ ନବକୃଷ୍ଣ ଚୌଧୁରୀ ଷ୍ଟାଡ଼ିୟମ ଠାରେ ଜିଲ୍ଲା ପ୍ରଶାସନ ଏକାଦଶ ଓ ସାମ୍ବାଦିକ ଏକାଦଶଙ୍କ ମଧ୍ୟରେ ବନ୍ଧୁତ୍ୱପୂଣ୍ଣ ର୍ କ୍ରିକେଟ୍ ମ୍ୟାଚ୍ ଏବଂ ମହିଳା ପୁଲିସ ଦଳ ଓ ଜଗତସିଂହପୁର ହ୍ୟାଣ୍ଡବଲ ଆସୋସିଏସନ୍ର ମହିଳା ଟିମ୍ ଭିତରେ ହ୍ୟାଣ୍ଡବଲ ମ୍ୟାଚ୍ ଅନୁÂିତ ହୋଇଥିଲା । କ୍ରିକେଟ୍ ମ୍ୟାଚ୍ରେ ଜିଲ୍ଲା ପ୍ରଶାସନ ଏକାଦଶ ଦଳ ଓ ହ୍ୟାଣ୍ଡବଲରେ ହ୍ୟାଣ୍ଡବଲ ଆସୋସିଏସନ୍ର ମହିଳା ଦଳଙ୍କ ବିଜୟ ଘଟିଥିଲା । ସାଧାରଣତନ୍ତ୍ର ଦିବସ ଉତ୍ସ ବରେ ଜିଲ୍ଲା ପରିଷଦ ଅଧ୍ୟକ୍ଷା, ଅତିରିକ୍ତ ଜିଲ୍ଲାପାଳ ସଚିଦାନନ୍ଦ ସାହୁ, ପ୍ରକଳ୍ପ ନିଦେ୍ର୍ଧଶକ ସରୋଜକାନ୍ତ ମହାନ୍ତି, ଉପ ଜିଲ୍ଲାପାଳ ମହେନ୍ଦ୍ର ପ୍ରସାଦ ମହାନ୍ତି, ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିଶ୍ୱନାଥ ମିଶ୍ରଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀ, ବୁଦ୍ଧିଜୀବୀ ସାମିଲ ହୋଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ସମସ୍ତ କାର୍ଯ୍ୟ ପରିଚାଳନା କରିଥିଲେ ।
ସେହିପରି ଉତ୍ତୋଳନ ସମୟରେ ଜାତୀୟ ପତାକା ତଳେ ଖସି ପଡ଼ିବା ଘଟଣାରେ ଉଭୟ ଜିଲ୍ଲା ଓ ପୁଲିସ ପ୍ରଶାସନ ଲଜ୍ଜିତ ହୋଇଥିଲେ । ଜିଲ୍ଲା ସୂଚନା ଓ ଲୋକ ସଂପର୍କ ବିଭାଗର କାର୍ଯ୍ୟଶୈଳୀ ମଧ୍ୟ ଚର୍ଚ୍ଚାର ପରିଧିକୁ ଆସିଥିଲା । ତେବେ ଘଟଣାକୁ ଗମ୍ଭୀରତାର ସହ ନେଇଥିଲେ ଏସ୍ପି ପ୍ରକାଶ ରଙ୍ଗରାଜ । ତତ୍କାଳ କାର୍ଯ୍ୟରେ ଚରମ ଅବହେଳା ପାଇଁ ଏସ୍ପି, ହାବିଲଦାର ଶତ୍ରୁଘ୍ନ ବେହେରା ଓ ହାବିଲଦାର ମେଜର ଶିଶିର କୁମାର ପଣ୍ଡାଙ୍କୁ ନିଲମ୍ବିତ କରିଥିଲେ । ନିକଟରେ ଶ୍ରୀ ବେହେରା ପଦୋନ୍ନତି ପାଇବାକୁ ଥିବା ବେଳେ ଆଉ କିଛି ମାସ ପରେ ହାବିଲଦାର ମେଜର ଶ୍ରୀ ପଣ୍ଡା ଅବସର ଗ୍ରହଣ କରିଥାନ୍ତେ । ତେବେ ଶୂନ୍ୟରୁ ବଜ୍ରପାତ ପଡ଼ିବା ଭଳି ପତାକା ଖସିବା ଘଟଣାରେ ଉଭୟଙ୍କୁ ନିଲମ୍ବିତ କରାଯାଇଥିବା ରିଜର୍ଭ ଇନ୍ସପେକ୍ଟର(ଆରଆଇ)ସତ୍ୟକାନ୍ତ ମନୋରଞ୍ଜନ ଜେନା ପ୍ରକାଶ କରିଛନ୍ତି । ଅପରପକ୍ଷେ କେବଳ ଏହି ଦୁଇ ଜଣ ପୁଲିସ କର୍ମଚାରୀଙ୍କୁ ଦୋଷୀ ଭାବେ ଚିତ୍ରଣ କରାଯିବାକୁ ନେଇ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି । ଏହାଛଡ଼ା ସାଧାରଣତନ୍ତ୍ର ଦିବସରେ ବ୍ୟବହାର ହୋଇଥିବା ଜାତୀୟ ପତାକା, ଦଉଡ଼ି ଆଦି ପୁରୁଣା କି ନୂଆ ଥିଲା ତାହାର ଖୋଳତାଡ଼ କରାଯାଇ ନ ଥିବା ଚର୍ଚ୍ଚାର ପରିଧିକୁ ଆସିଛି ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons