ଗାଡ଼ି ଚୋରି ହେଲେ ଏଣିକି ଅନ୍ଲାଇନର ଏତଲା

Get real time updates directly on you device, subscribe now.

ଭୁବନେଶ୍ୱର,(ବି.ବି.ବୁ୍ୟରୋ): ଗାଡ଼ି ଚୋରି ହେଲେ ଆଉ ଥାନା ଦୁଆରକୁ ଧାଇଁବାକୁ ହେବନି । ଥାନାବାବୁଙ୍କ ଛି ଛି ମାର ମାର୍ ଶୁଣିବାକୁ ପଡ଼ିବନି । ପୁଲିସକୁ ଡରିମରି ଏତଲା ଲେଖିବାକୁ ହେବନି । ପୁଲିସର ନାଲିଆଖି ସହ ଘଉଡ଼ାରୁ ମଧ୍ୟ ନିସ୍ତାର ମିଳିବ । ଗାଡ଼ି ଚୋରି ପରେ ଫଟାଫଟ୍ ପାଇବେ ବୀମାରାଶି । ସିଟିଜେନ୍ସ ପୋର୍ଟାଲ କିମ୍ବା ସହାୟତା ଆପ୍ରେ ଗାଡ଼ି ଚୋରିର ଏତଲା ଦାଖଲ କରିହେବ । ଏଥିପାଇଁ ରାଜ୍ୟରେ ଆଜିଠାରୁ ଭର୍ଚୁଆଲ ପୁଲିସ ଷ୍ଟେସନ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପ;ନାୟକ ଏ ଥାନାକୁ ଲୋକସଭା ଭବନରେ ଉଦ୍ଘାଟନ କରିଛନ୍ତି । ‘୫ ଟି’ରେ ମୁଖ୍ୟମନ୍ତ୍ରୀଙ୍କର ଏହା ହେଉଛି ଆଉ ଏକ ବଡ଼ ସଂସ୍କାର । ଏହା ଗାଡ଼ି ଚୋରି କ୍ଷେତ୍ରରେ ସାଧାରଣ ଲୋକଙ୍କୁ ଥାନା ଦୁଆରକୁ ଦୌଡ଼ିବାରୁ ମୁକ୍ତି ଦେବ ।
ଆଜି ଲୋକସେବା ଭବନରେ ଏକ ସ୍ୱତନ୍ତ୍ର ଉତ୍ସବରେ ମୁଖ୍ୟମନ୍ତ୍ରୀ ୩ଟି ସଂସ୍କାରମୂଳକ ପଦକ୍ଷେପର ଶୁଭାରମ୍ଭ କରିଛନ୍ତି । ଭର୍ଚୁଆଲ ପୁଲିସ ଷ୍ଟେସନ, ରୋଡ ଆକ୍ସିଡେଣ୍ଟ କେସ ଡକୁ୍ୟମେଣ୍ଟସ୍ ମଡୁ୍ୟଲ ଏବଂ ମେଡିକୋ ଲିଗାଲ ଓପନିଅନ ସିଷ୍ଟମର ଶୁଭାରମ୍ଭ ହୋଇଛି । ଏ ନୂଆ ବ୍ୟବସ୍ଥାର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ କହିଲେ, ମୋ ସରକାର ରାଜ୍ୟବାସୀଙ୍କୁ ନାଗରିକ ଅନୁକୂଳ ସେବା ଓ ଶାସନ ବ୍ୟବସ୍ଥା ଦେବାକୁ ସଂକଳ୍ପବଦ୍ଧ । ଭର୍ଚୁଆଲ ପୁଲିସ ଷ୍ଟେସନ ଅନ୍ଲାଇନରେ କାମ କରିବ । ଏହା ରାଜ୍ୟ କ୍ରାଇମ ରେକର୍ଡସ ବୁ୍ୟରୋ କ୍ୟାମ୍ପସ ପରିସରରେ ଲୋକଙ୍କୁ ସେବା ଦେବ । ଯଦି କାହାର ଗାଡ଼ି ଚୋରି ହୋଇଯାଏ ତେବେ ସେ ଥାନାକୁ ନଯାଇ ସିଟିଜେନସ ପୋର୍ଟାଲ କିମ୍ବା ସହାୟତା ମୋବାଇଲ ଆପ୍ରେ ଏତଲା ଦେଇପାରିବେ । ୨୧ ଦିନ ମଧ୍ୟରେ ଯଦି ଚୋର ଧରା ନପଡ଼ିଲା ତେବେ ଏହା ସିସିଟିଏନଏସରେ ରେକର୍ଡ ହେବ ଏବଂ ଅଭିଯୋଗକାରୀଙ୍କୁ ଫାଇନାଲ ରିପୋର୍ଟ ମିଳିଯିବ । ଏହାଦ୍ୱାରା ଗାଡ଼ି ଚୋରିର ଶିକାର ବ୍ୟକ୍ତି ଶୀଘ୍ର ବୀମା ରାଶି ପାଇବାକୁ ଦାବି କରିପାରିବେ । ଥାନା ଅଡୁଆ ପାଇଁ ଫାଇନାଲ ରିପୋର୍ଟ ପାଇବାକୁ ଆଉ ମାସ ମାସ ଅପେକ୍ଷା କରିବାକୁ ହେବନି ।
ସେହିଭଳି ରୋଡ ଆକ୍ସିଡେଣ୍ଟ କେସ୍ ଡକୁ୍ୟମେଣ୍ଟସ ମୋଡୁ୍ୟଲରେ ବୀମା କମ୍ପାନି ସୁବିଧାରେ ଏତଲା, ଫାଇନାଲ ରିପୋର୍ଟ, ଏମଭିଆଇ ରିପୋର୍ଟ, ଶବ ବ୍ୟବଚ୍ଛେଦ ରିପୋର୍ଟ ଆଦି ପାଇ ତୁରନ୍ତ ବୀମା ରାଶି ପ୍ରଦାନ କରିପାରିବେ । ଅବଶ୍ୟକ ଡ୍ରାଇଭିଂ ଲାଇସେନସ୍, ରେଜିଷ୍ଟେ୍ରସନ ସାର୍ଟିଫିକେଟ୍ ମଧ୍ୟ ଅନଲାଇନରେ ବୀମା କମ୍ପାନି ପାଇପାରିବେ । ଏଥିରେ ମଧ୍ୟସ୍ଥି କିମ୍ବା ଦଲାଲଙ୍କ ଭୂମିକା ଆଦୌ ରହିବନି । ଏହି ୱେବ୍ ବେସଡ ଆପ୍ଳିକେସନ ଦ୍ୱାରା ସୁବିଧାରେ ବୀମା କମ୍ପାନି ତୁରନ୍ତ ବୀମାରାଶି ପ୍ରଦାନ କରିପାରିବେ । ଅଭିଯୋଗକାରୀମାନେ ଏହି ପୋର୍ଟାଲକୁ ଯାଇ ନିଜ ବୀମା କ୍ଲେମ କରିପାରିବେ । ସେହିଭଳି ମେଡିକୋ ଲିଗାଲ ଓପନିଅନ୍ ସିଷ୍ଟମରେ ପୁଲିସ ଓ ଡାକ୍ତରମାନେ ଲାଭବାନ ହେବେ । ପୁଲିସ ଅନଲାଇନରେ ପୀଡ଼ିତାଙ୍କ ଡାକ୍ତରୀ ପରୀକ୍ଷା ପାଇଁ କହିପାରିବେ । ଡାକ୍ତରମାନେ ରିପୋର୍ଟ ଅନଲାଇନରେ ମଧ୍ୟ ଅପଲୋଡ କରିପାରିବେ । ଏହାକୁ ପୁଲିସ ଡାଉନଲୋଡ କରିପାରିବେ । ଏହାଦ୍ୱାରା ରିପୋର୍ଟରେ ଅଧିକ ସ୍ୱଚ୍ଛତା ରହିପାରିବ । ମେଡିକାଲ ରିପୋର୍ଟ ପାଇବାରେ ଅହେତୁକ ବିଳମ୍ବ ହେବନାହିଁ । ଠିକ୍ ସମୟରେ ମେଡିକାଲ ରିପୋର୍ଟ ହସ୍ତଗତ ହେଲେ ପୀଡ଼ିତାଙ୍କୁ କ୍ଷତିପୂରଣ ମିଳିପାରିବ ।
ଏ ଅବସରରେ ମୁଖ୍ୟମନ୍ତ୍ରୀ କହିଲେ, ୫ ଟିରେ ଏହା ହେଉଛି ବଡ଼ ସଂସ୍କାରଧର୍ମୀ ବ୍ୟବସ୍ଥା । ଲୋକମାନେ ସରକାରୀ ଅଫିସକୁ ନ ଧାଇଁ କିଭଳି ସୁବିଧାରେ ସେବା ପାଇବେ ସେ ଦିଗକୁ ସରକାର ଅଗ୍ରାଧିକାର ଦେଉଛନ୍ତି । ଏ ନୂଆ ବ୍ୟବସ୍ଥାରେ ସାଧାରଣ ଲୋକଟିଏ ବିନା ବାଧାରେ ଅନଲାଇନରେ ଗାଡ଼ି ଚୋରି ଏତଲା ଦାଖଲ କରିବା ସହ ଶୀଘ୍ର ବୀମାରାଶି ପାଇପାରିବ । ପୁଲିସ ଓ ଡାକ୍ତରମାନେ ମଧ୍ୟ ନୂଆ ବ୍ୟବସ୍ଥାରେ ସୁଫଳ ପାଇବେ ।
ଏହି କାର୍ଯ୍ୟକ୍ରମରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର, ଡିଜିପି ଅଭୟ ଉପସ୍ଥିତ ଥିଲେ । ୫ ଟି ସଚିବ ଭି କେ ପାଣ୍ଡିଆନ କହିଲେ ପୁଲିସ ବ୍ୟବସ୍ଥାରେ ବଡ଼ ସଂସ୍କାର ଆସିଛି । ଜିଲ୍ଲାସ୍ତରରୁ ଆମକୁ ପୁଲିସର କାର୍ଯ୍ୟକଳାପ ନେଇ ସକରାତ୍ମକ ମତାମତ ମିଳୁଛି । ଡାକ୍ତରଖାନା ଓ ଆରଟିଓ ଅଫିସରୁ ଦଲାଲ ବ୍ୟବସ୍ଥା ଉଚ୍ଛେଦ ହୋଇପାରିଛି । ଏ ଅବସରରେ ଶ୍ରୀ ପାଣ୍ଡିଆନ ଜିଲ୍ଲା ଏସପିମାନଙ୍କ ସହ ନୂଆ ବ୍ୟବସ୍ଥା ଓ ଭର୍ଚୁଆଲ ଥାନା ନେଇ ଆଲୋଚନା କରିଥିଲେ ।

Get real time updates directly on you device, subscribe now.

Comments are closed, but trackbacks and pingbacks are open.

Show Buttons
Hide Buttons