ପାରାଦୀପ,(ବି.ବି.ନୁ୍ୟଜ୍): ଚୋରା ବେପାର କରିବାକୁ ଟଙ୍କା ଧାର ଦେଇଥିଲେ । ହେଲେ ଟଙ୍କା ନ ଫେରାଇବାରୁ ଅପହରଣ କଲେ । ଚିଙ୍ଗୁଡ଼ି ଘେରି ଭିତରେ ରଖି ହତ୍ୟା ଧମକ ଦେଲେ । ପୁଲିସ ପାଖରେ ଏ ଖବର ପହଞ୍ଚିବା ପରେ ପୁଲିସ ଚିଙ୍ଗୁଡ଼ି ଘେରି ଉପରେ ଚଢ଼ଉ କରି ଅପହରଣକାରୀ କୁଖ୍ୟାତ ଅପରାଧୀ ସମୀର ପ୍ରଧାନ ଏବଂ ତାର ଦୁଇ ଜଣ ସହଯୋଗୀଙ୍କୁ ଗିରଫ କରିଛି । ସେମାନଙ୍କଠାରୁ ବନ୍ଧୁକ ଏବଂ ଗୁଳି ଜବତ କରିଛି ।
ପାରାଦୀପ ଥାନା ଅନ୍ତର୍ଗତ ଲକ୍ପଡ଼ାରେ ଘଟିଛି ଏଭଳି ଘଟଣା । ଲକ୍ପଡାର ରଞ୍ଜିତ୍ ମଣ୍ଡଳ(୩୨)ଙ୍କ ଅଭିଯୋଗ ଅନୁସାରେ ସେ ଗତ ୨୬ ତାରିଖ ଦିନ ତାଙ୍କ କେନ୍ଦ୍ରାପଡ଼ା ସୁନିତି ଗ୍ରାମରେ ଥିବା ଶ୍ୱଶୁର ଘରକୁ ଯାଇଥିଲେ । ରଞ୍ଜିତ ସେଠାରେ ଥିବା ବେଳେ ବାହାରେ କଥା ହେବାକୁ କହି କୁଜଙ୍ଗ ଥାନା ମଙ୍ଗରାଜପୁର ଗ୍ରାମର ଶ୍ରୀନିବାସ ରାଉତ(୪୫),କୁଜଙ୍ଗ ଥାନା ବାଗୋଇ ଗ୍ରାମର ସମୀର ପ୍ରଧାନ ଓ ଲକ୍ ଥାନା ଅନ୍ତର୍ଗତ ପିପଳ ଗ୍ରାମର ବଳରାମ ବେହେରା(୨୫) ରଞ୍ଜିତଙ୍କୁ ଘରୁ ଡ଼ାକି ଆଣି ଏକ କାର୍ (ଓଡ଼ି-୩୩-ଏଲ୍-୦୬୦୮)ରେ ଅପହରଣ କରି ନେଇଆସିଥିଲେ । ସେମାନେ ତାଙ୍କୁ ଆଣି ଭୁଇଁପାଳ ପାଖରେ ଥିବା ଏକ ଚିଙ୍ଗୁଡ଼ି ଘେରିରେ ରଖି ମାଡ଼ ମାରିବା ସହ ବନ୍ଧୁକ ଦେଖାଇ ହତ୍ୟା ଧମକ ଦେଇଥିଲେ । ତେବେ କୌଣସି ସୂତ୍ରରୁ ଖବର ପାଇ ପୁଲିସ ଉକ୍ତ ଚିଙ୍ଗୁଡ଼ି ଘେରି ଉପରେ ଚଢ଼ଉ କରି ରଞ୍ଜିତଙ୍କୁ ଉଦ୍ଧାର କରିବା ସହ ୩ ଜଣଙ୍କୁ ଗିରଫ କରିଛି ।
ଅଭିଯୁକ୍ତ ଶ୍ରୀନିବାସ ରାଉତ ରଞ୍ଜିତଙ୍କୁ ବିଭିନ୍ନ କିସ୍ତିରେ ପ୍ରାୟ ୨ଲକ୍ଷ ୩୦ ହଜାର ଟଙ୍କା ବ୍ୟବସାୟ ପାଇଁ ଦେଇଥିବା କଥା ପୁଲିସ ଆଗରେ ସ୍ୱୀକାର କରିଛି । ଏପରିକି ଉଭୟଙ୍କ ଭିତରେ ମନାନ୍ତର ହୋଇ ସେମାନେ କରୁଥିବା ବେପାର ବନ୍ଦ ହୋଇଯିବାରୁ ଶ୍ରୀନିବାସ ଟଙ୍କା ଫେରସ୍ତ ମାଗିଥିଲା । ରଞ୍ଜିତ ଟଙ୍କା ନ ଫେରାଇବାରୁ ୩ ଜଣ ମିଶି ରଞ୍ଜିତଙ୍କୁ ଅପହରଣ କରିଥିଲେ । ଘଟଣାରେ ପୁଲିସ ଗୋଟିଏ ଦେଶୀ ବନ୍ଧୁକ, ଦୁଇଟି ଗୁଳି, ଗୋଟିଏ ମାଗାଜିନ୍, ଗୋଟିଏ ଠେଙ୍ଗା, ୪ ହଜାର ଟଙ୍କା, ଅପହରଣରେ ବ୍ୟବହୃତ କାର୍ ଓ ଏକ ଆପାଚି ବାଇକ୍, ୫ଟା ମୋବାଇଲ୍ ଜବତ କରିଛି । ଆଜି ଗିରଫ ୩ଜଣଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି । ଆଜି ଅଭୟଚାନ୍ଦପୁର ଥାନାରେ ଏ ନେଇ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପାରାଦୀପ ଏଏସ୍ପି ବିଷ୍ଣୁଚରଣ ମିଶ୍ର, ଅଭୟଚାନ୍ଦପୁର ଆଇଆଇସି ଯୁଗଳ କିଶୋର ଦାସ, ଲକ୍ ଥାନା ଆଇଆଇସି ପ୍ରଭାସଚନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ରହି ଏହି ସୂଚନା ଦେଇଥିଲେ । ଗିରଫ ୩ ଜଣଙ୍କ ଭିତରେ ଥିବା କୁଖ୍ୟାତ ଅପରାଧୀ ସମୀର ଦୀର୍ଘ ୨ବର୍ଷ ପରେ ପୁଣି ପୁଲିସ କବ୍ଜାକୁ ଆସିଛି । ତା’ ନାମରେ ବିଭିନ୍ନ ଥାନାରେ ୬ରୁ ଉଦ୍ଧ୍ୱର୍ ଅପରାଧିକ ମାମଲା ଥିବା ପୁଲିସ ପ୍ରକାଶ କରିଛି । ହତ୍ୟା ଧମକ ଦେବା, ଡ଼କାୟତି ଉଦ୍ୟମ କରିବା, ମାର୍ପିଟ ଓ ଧମକ ଦେବା, ବନ୍ଧୁକ ଦେଖାଇ ମାରିବାକୁ ଧମକାଇବା ଭଳି ୪ ମାମଲା ତା ନାଁରେ କୁଜଙ୍ଗ ଥାନାରେ ରହିଛି । ପାରାଦୀପ ଲକ୍ ଥାନାରେ ଡକାୟତି ଉଦ୍ୟମ ଓ ଅଭୟଚାନ୍ଦପୁର ଥାନାରେ ବନ୍ଧୁକ ଧରି ଡକାୟତି ଉଦ୍ୟମ ଭଳି ମାମଲା ରହିଛି । ଗତ ୨ ବର୍ଷ ମଧ୍ୟରେ ସମୀର ପୁଲିସ ପଞ୍ଝାକୁ ଆସି ପାରୁନଥିଲା । ଏଇ ଅପହରଣ ଘଟଣାରେ ପୁଲିସ ତାକୁ ଗିରଫ କରିଛି ।
ସେହିଭଳି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଶ୍ରୀନିବାସର ପାରାଦୀପ ଲକ୍ ଥାନା ଓ କୁଜଙ୍ଗ ଥାନାରେ ଦୁଇଟି ମାମଲା ରହିଛି । ଏହି ଘଟଣା କୋଇଲା ଓ ସ୍କ୍ରାପ୍ ବେପାରକୁ ନେଇ ଉପୁଜିଥିବା ବିବାଦ ଯୋଗୁଁ ହୋଇଥିବା କୁହାଯାଉଛି । ତେବେ କେଉଁ ବେପାର ଯୋଗୁଁ ଏହି ଅପହରଣ ହୋଇଥିଲା ତାହା ପୁଲିସ ସ୍ପଷ୍ଟ କରିନାହିଁ ।
Comments are closed, but trackbacks and pingbacks are open.